କେନ୍ଦୁଝରରେ ଖରିଫ୍ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା ଓ ଉତ୍ପାଦନରେ ନୂଆ ମାଇଲସ୍ଟୋନ୍

ଆନନ୍ଦପୁର, ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ବିଜେପି ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରୀଣି ସଦସ୍ୟ ତଥା କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଏହି ସଫଳତା ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ଏହା ରାଜ୍ୟର କୃଷି ଖେତ୍ରରେ ଏକ ନୂତନ ଅଧ୍ୟାୟ ରଚନା କରିଛି।ସେ କହିଥିଲେ ଯେ, ଓଡ଼ିଶାର ଲୋକପ୍ରିୟ ଓ ଚାଷୀ-ହିତେଷୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦୃଢ଼ ନେତୃତ୍ୱ ଏବଂ କୃଷକ କଲ୍ୟାଣକାରୀ ଯୋଜନାମାନଙ୍କ ପରିଣାମରେ ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଲକ୍ଷଣୀୟ ସୁଧାର ଆସିଛି। ଏହି ସଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।ଅଧିକ ତଥ୍ୟ ଅନୁସାରେ, ଗତ ବର୍ଷ ୨୦୨୪ ଖରିଫ୍ ଋତୁରେ କେନ୍ଦୁଝର ଜିଲ୍ଲାର ୯୫ଟି ଧାନମଣ୍ଡୀ ମାଧ୍ୟମରେ ୫୬,୬୭୩ ଜଣ ଚାଷୀଙ୍କ ଠାରୁ ୨୧ ଲକ୍ଷ ୮୮ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ୨୦୨୫ ଖରିଫ୍ ଋତୁରେ ସେହି ୯୫ଟି ମଣ୍ଡୀ ମାଧ୍ୟମରେ ୭୪,୪୯୫ ଜଣ ଚାଷୀଙ୍କ ଠାରୁ ୨୫ ଲକ୍ଷ ୭୧ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି।

ଏହା ଗତ ବର୍ଷ ତୁଳନାରେ ୭,୮୧୨ ଜଣ ଅଧିକ ଚାଷୀଙ୍କ ସହଭାଗିତା ଏବଂ ୩ ଲକ୍ଷ ୮୩ ହଜାର କ୍ୱିଣ୍ଟାଲ ଅଧିକ ଧାନ ସଂଗ୍ରହକୁ ସୂଚିତ କରୁଛି। ପ୍ରତିଶତ ଆକାରରେ ଏହା ପ୍ରାୟ ୨୫% ବୃଦ୍ଧି, ଯାହା ଜିଲ୍ଲାରେ ଧାନ ସଂଗ୍ରହ ଇତିହାସରେ ଏକ ନୂତନ ରେକର୍ଡ ରୂପେ ପରିଗଣିତ ହେଉଛି।ଶ୍ରୀ ସାହୁ ଅଧିକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା, ମଣ୍ଡୀ ବ୍ୟବସ୍ଥାକୁ ସକ୍ରିୟ କରିବା ଓ ଚାଷୀଙ୍କୁ ସମୟୋପଯୋଗୀ ସହଯୋଗ ଯୋଗାଇବା ଫଳରେ ଏହି ଅପୂର୍ବ ସଫଳତା ସମ୍ଭବ ହୋଇପାରିଛି।ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, କେନ୍ଦୁଝର ଜିଲ୍ଲାର ଏହି ସଫଳତା ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ପାଇଁ ଏକ ପ୍ରେରଣାଦାୟକ ମାନକ ଭାବେ ଦୃଢ଼ ହେବ ଏବଂ ଆଗାମୀ ଦିନରେ ରାଜ୍ୟର କୃଷି ଉନ୍ନତିକୁ ଆହୁରି ଗତିଶୀଳ କରିବ।

Leave a Reply

Your email address will not be published. Required fields are marked *