ହେ ମାତା ଗାନ୍ଧାରୀ
ହେ ମାତା ଗାନ୍ଧାରୀ
🖋️କବିରତ୍ନ ନୂତନ କୁମାର ବେହେରା
ସ୍ବାମୀଙ୍କୁ ସମ୍ମାନ ଦେବା
ଆଉ ପତିବ୍ରତା ନାରୀର ସ୍ଵାଭିମାନ
ରଖିବା ପାଇଁ କି ଆତ୍ମ ପ୍ରତ୍ୟୟ
ଥିଲା ତୁମ ଆତ୍ମ ବିଶ୍ଵାସରେ …
ହେ ମାତା ଗାନ୍ଧାରୀ !
ତୁମେ ସତୀ ସ୍ଵାଧୀ ନାରୀ ଜାତିର ଆଦର୍ଶ
ତୁମକୁ ପ୍ରଣାମ କରେ ଆର୍ଯ୍ୟବର୍ତ୍ତ,
ହୋଇ ଶତ ପୁତ୍ର ଏକ କନ୍ୟାର ଜନନୀ
ଥିଲ ତୁମେ ସ୍ଵାଭିମାନିନୀ
କି ଦୃଢ଼ ସଂକଳ୍ପ !
ଦଣ୍ଡେ ନିମିଷେ ଆଖି ବନ୍ଦ କଲେ
ହଜିଯାଏ ନିଜଠୁ ଏ ସାରା ଦୁନିଆଁଟା,
ମନର ଚକ୍ଷୁରେ କାଟିଲ ସାରା ଜୀବନ
କେମିତି ଯେ କରି ପାରିଲ ସମ୍ଭବ !
ଏତେ ଘନଘଟାରେ ଥିଲ ନ୍ୟାୟ ପରାୟଣୀ
ପକ୍ଷପାତିତାକୁ ଦେଇନ ପ୍ରଶ୍ରୟ,
ଧନ୍ୟ ତୁମେ ମାତା !
ଧନ୍ୟ ତୁମେ ମହାନ ଗୁଣେ ମହନୀୟା
ଯୁଗେ ଯୁଗେ ଅଛ ହୋଇ ରହିବ ନମସ୍ୟା,
ଆଜିର ମାନସିକତା
ଖୋଲା ଆଜିରେ ହୁଏ ଆନ୍ଦୋଳିତ…
ଦେଖି ବି ଚାଲି ପାରୁନି ଠିକ୍ ରାସ୍ତାରେ।
କି ଯାଦୁ ଥିଲା ସେ ଅନ୍ଧପଟଳରେ
କର୍ତ୍ତବ୍ୟରେ ରହି କଠୋର
ହୃଦୟରୁ ଝରାଉଥିଲ ପୀୟୂଷ ଧାର,
ସେ ଦିନ ଆଉ ଆଜି ଭିତରେ
ଫରକ୍ କେବଳ ଏତିକି
ଅନ୍ଧପଟଳ ବାନ୍ଧି ତୁମେ ଆଖିରେ
ମନର ଆଖିରେ ଦେଖୁଥିଲ ସମତା।
ଏବେ ଅନ୍ୟର ଆଖିରେ ବନ୍ଧାହୁଏ ଅନ୍ଧପଟଳ
ମନର ଆଖି ଦେଖେ ପକ୍ଷପାତିତା,
ତୁମ ପରି ମାଆର ମନ ବୁଝିଲା ନାହିଁ
ଅହଂକାରୀ ମାନୀ ଦୁର୍ଯ୍ୟୋଧନ।
ପୁତ୍ରଟିଏ ଶତ ଉପଦେଶ କରେନା ଅସ୍ବୀକାର
ଯା’ ଲାଗି ବିବଶ ଉଦାସ ହୁଏ
ସମାଜରେ ଆଜି ମମତାମୟୀ ମାଆଟିଏ,
ଆଚରିଲେ ସେ କ୍ରୂର ହିଂସ୍ର ହୀନ ଚରିତ୍ର
କାହୁଁ ପାଇବ ସୁପୁତ୍ରର ମାନ୍ୟତା…?

କୋହି,ବାରିପଦା,ମୟୂରଭଞ୍ଜ।
