ହେ ପ୍ରଭୁ ! ସବୁ ତ ତୁମରି ଖେଳ

       ହେ ପ୍ରଭୁ ! ସବୁ ତ ତୁମରି ଖେଳ
            ( ରାଗ — ରସକୁଲ୍ୟା )

  🔹କବିରତ୍ନ ନୂତନ କୁମାର ବେହେରା

ହେ ପ୍ରଭୁ ! ସବୁ ତ’ ତୁମରି ଖେଳ’
           ଅଦୃଶ୍ୟେ କରୁଛ’ ଭାବି ମଙ୍ଗଳ’,
ତୁମରି ଇଙ୍ଗିତେ’ ଚାଲେ ସଂସାର’
     ବୁଝିପାରେ ଯିଏ’ କରେ ବିଚାର’ ସେ’
ବିଧିର ବିଧାନ’ ମାନି’ଯେ’,
        କର୍ମ ନେଇ ଫଳ’ ପାଇଥାଏ କର୍ମୀ’
ଜୀବାତ୍ମାକୁ ତାର’ ଚିହ୍ନି’ ଯେ’/୧/

ସୃଷ୍ଟିରେ ପରମ ତୁମେ ବିଧାତା
                ବ୍ରହ୍ମାଣ୍ଡ ଚଳାଅ ରଖି ଏକତା,
ତୁମ ପାଶେ ନାହିଁ ପକ୍ଷପାତିତା
    ଭୁଲେ ଯେ ମଣିଷ କରେ ଶତ୍ରୁତା ସେ,
ମନ ନେଇ କରେ ଆଶା ଯେ,
        ସଫଳେ ଉଲ୍ଲାସ ବିଫଳେ ହତାଶ
କ୍ରମେ ତାର ଫୁଟେ ଭାଷା ଯେ/୨/

ବିଭ୍ରାନ୍ତରେ ମନ ରହେ ଅଶାନ୍ତ
               ବିରକ୍ତି ଭାବରୁ ହୁଏନା କ୍ଷାନ୍ତ,
ନେଇଥାଏ ସଦା ନିଜର ପକ୍ଷ
      ଭାବଇ ନାହିଁ ତ କେତେ ସୁଦକ୍ଷ ସେ,
ଖୋଜଇ ସୁଖ ଆରାମ ଯେ,
      ଲାଗେ ଯଦି କଷ୍ଟ ହୋଇ ରହେ ରୁଷ୍ଟ
କରେ ସବୁ ବ୍ୟତିକ୍ରମ ଯେ/୩/

ଦଣ୍ଡ ଦେଇ ତୁମେ କର ସତର୍କ
                ନ ବୁଝି କରଇ ଅଯଥା ତର୍କ,
ନିଜ ଅହଂକାରେ ରହି ଅଟଳ
           ବିଶୃଙ୍ଖଳା କରି ହୁଏ ବିକଳ ସେ,
ସିଦ୍ଧାନ୍ତରେ ବନ୍ଧା ସିଦ୍ଧି ଯେ,
             ପ୍ରକୃତିର ନୀତି ସତ୍ୟ ଚିରନ୍ତନ
ପାଳିଲେ ହୁଏ ସମୃଦ୍ଧି ଯେ/୪/

ରୋଗ ଶୋକ ସବୁ ପାର୍ଥିବ କ୍ଳେଶ
             କର୍ମରୁ ଜନ୍ମି ତା’ କରେ ବିବଶ,
ସ୍ଵାସ୍ଥ୍ୟ ହିଁ ସମ୍ପଦ ଭୁଲି ମଣିଷ
      କରେ ଅବାଞ୍ଛିତେ ନିଜର ଧ୍ଵଂସ ସେ,
ଖାଦ୍ୟେ ଧନେ କରି ଲୋଭ ଯେ,
        ରହି ସଦା ବ୍ୟସ୍ତ ହେଉଥାଏ ତ୍ରସ୍ତ
ଅପକର୍ମେ ଖୋଜେ ଲାଭ ଯେ/୫/

ପ୍ରଭୁ ନ୍ୟାୟବନ୍ତ ଦିଅନ୍ତି ନ୍ୟାୟ
             ଦୁଷ୍ଟକୁ ଦଣ୍ଡିତେ କରାନ୍ତି ଥୟ,
ଶିଷ୍ଟକୁ ସର୍ବଦା ଦେଖାନ୍ତି ଦୟା
      ଅଜ୍ଞାନ ବୁଝେନା ସୃଷ୍ଟିର ମୟା ସେ,
ଆଲୁଅ ଅନ୍ଧାର ପରି ଯେ,
  କର୍ମ ନେଇ ଫଳ ଭୋଗେ ଦୁଃଖ ସୁଖ
ପାପ କରି ଯାଏ ହାରି ଯେ/୬/

ହେ ପ୍ରଭୁ ! ସବୁ ତ ତୁମରି ଖେଳ
      ଖେଳେ ଯେ ଯେମିତି ପାଇ ବେଳ,
ରଖି ତାଳ ମେଳ ପାଏ ସୁଫଳ
  ବେତାଳେ ବିଫଳ ହୁଏ ଅକାଳେ ସେ,
ନୀତି ଦେଖି ରଖ ପ୍ରୀତି ଯେ
     ଆର୍ତ୍ତେ କରି ତ୍ରାଣ ରଖ ତା’ ପରାଣ
କୋପ କର ଦୈତ୍ୟ ପ୍ରତି ଯେ/୭/

ହୃଦୟରେ ଦିଅ ଭକ୍ତିର ଶକ୍ତି
          ଉପଯୋଗ କରି ପାଇବି ମୁକ୍ତି,
ଖେଳିବି ଆଗ୍ରହେ ନିୟମ ମାନି
  ପାର୍ଥିବ ଖେଳକୁ ଆଦରେ ଘେନି ସେ,
ତୁମେ ଜୀବର ଜୀବନ ଯେ,
      ତୁମ ପାଇଁ ପୂର୍ଣ୍ଣ ତୁମ ବିନା ଶୂନ୍ୟ
ବ୍ରହ୍ମାଣ୍ଡର ସବୁ ସ୍ଥାନ ଯେ/୮/

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ ।

Leave a Reply

Your email address will not be published. Required fields are marked *