ପୁଣି ଥରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌, ବିବିଏମ୍‌ଭିପିଏଲ୍‌ ସହ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ବର : ହକିର ଜାତୀୟ ସଂସ୍ଥା ପୁଣି ଥରେ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଆରମ୍ଭ କରିବାକୁ ଯାଉଛି। ଏଥିଲାଗି ହକି ଇଣ୍ଡିଆ ବାଣିଜ୍ୟିକ ଓ ବ୍ୟବସାୟ ସହଯୋଗୀ ଏଜେନ୍ସି ଭାବେ ବିଗ୍‌ ବ୍ୟାଙ୍ଗ୍‌ ମିଡିଆ ଭେଞ୍ଚର ପ୍ରାଇଭେଟ୍‌ ଲିମିଟେଡ୍‌ (ବିବିଏମ୍‌ଭିପିଏଲ୍‌) ସହ ଚୁକ୍ତି ସ୍ବାକ୍ଷରିତ କରିଛି। ହକି ଇଣ୍ଡିଆ ଅଗାମୀ ଦିନରେ ଏଚ୍‌ଆଇଏଲ୍‌ର ସୂଚୀ, ଫର୍ମାଟ ଓ ଆୟୋଜକ ସହର ନାମ ଘୋଷଣା କରିବ। ପୂର୍ବରୁ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ୫ ବର୍ଷ ଧରି ଏଚ୍‌ଆଇଏଲ୍‌ ବିଶ୍ବର ତାରକା ଖେଳାଳିଙ୍କୁ ଏକାଠି କରିଥିଲା। ଏହି ଲିଗ୍‌ ଭାରତୀୟ ହକିର ବିକାଶର ଯାତ୍ରା‌ର ଭାଗୀଦାରି ‌ହୋଇଥିଲା। ଏମିତିକି ଅନେକ ଯୁବ ପ୍ରତିଭା ଏହି ଲିଗ୍‌ରେ ନିଜର ପ୍ରଦର୍ଶନ ଦେଇ ଚୟନକର୍ତ୍ତାଙ୍କୁ ଆକୃଷ୍ଟ କରିଥିଲେ।

ଚୁକ୍ତି ସ୍ବାକ୍ଷରିତ ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି, ‘ମୁଁ ଆଜି ବହୁତ ଖୁସି, କାରଣ ଯେତେବେଳେ ହକି ଇଣ୍ଡିଆ ସଭାପତି ପଦ ଗ୍ରହଣ କଲି ସେତେବେଳେ ଏଚ୍‌ଆଇଏଲ୍‌ ପୁନଃ ଆରମ୍ଭ କରିବା ମୋର ପ୍ରାଥମିକତା ଥିଲା। ଏବେ ଆମେ ଏଚ୍‌ଆଇଏଲ୍‌ର ଏକ ନୂତନ ଯୁଗର ଶୁଭାରମ୍ଭ କରିବାକୁ ଯାଉଛୁ। ଏହା ଖାଲି ଭାରତୀୟ ହକି ନୁହେଁ ସାରା ବିଶ୍ବରେ କ୍ରୀଡ଼ାକୁ ଶକ୍ତି ‌ଯୋଗାଇବ। ଏହା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏଚ୍‌ଆଇଏଲ୍‌ ଲାଗି ଆମର ବାଣିଜ୍ୟିକ ଓ ବ୍ୟବସାୟ ସହଯୋଗୀ ବିବିଏମ୍‌ଭିପିଏଲ୍‌ ହେବ। ଏହି କମ୍ପାନି ନିକଟରେ ସ୍ପୋର୍ଟ୍ସ, ଇ-ସ୍ପୋର୍ଟ୍ସ, କଣ୍ଟେଣ୍ଟ୍‌, ମିଡିଆ ପରି ଅନେକ କାର୍ଯ୍ୟରେ ଅଭିଜ୍ଞତା ରହିଛି।’

କଣ୍ଟେଣ୍ଟ, ଶିକ୍ଷା, ଇ-ସ୍ପୋର୍ଟ୍ସ ଓ ପ୍ରତିଭା ପରିଚାଳନା ସହ ବାଣିଜ୍ୟରେ ବିବିଏମ୍‌ଭିପିଏଲ୍‌ ଦେଶର ଏକ ଅଗ୍ରଣୀ ବ୍ରାଣ୍ଡ। ଏହି କମ୍ପାନି ନିକଟରେ ଇଣ୍ଟରନ୍ୟାସ୍‌ନାଲ ଇ-ସ୍ପୋର୍ଟ୍ସ ଫେଡେରେସନ୍‌ ସହ ମିଶି ଏସିଆ ଓପନ୍‌ ଇ-ସ୍ପୋର୍ଟ୍ସ ଚାମ୍ପିଅନ୍‌ସିପ୍‌ ଆୟୋଜନ କରିଥିଲା। ହକି ଇଣ୍ଡିଆ ଲିଗ୍‌ ଏହି ଖେଳ ପାଇଁ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ହୋଇସାରିଛି। ଲିଗ୍‌ର ବାଣିଜ୍ୟିକ ଦିଗ ପରିଚାଳନା ପାଇଁ ହକି ଇଣ୍ଡିଆର ଅଂଶୀଦାର ହୋଇଥିବାରୁ ଆମେ ଖୁସି। ଏହି ଅବିଶ୍ୱସନୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଅଂଶ ହେବାର ସୌଭାଗ୍ୟ ପାଇଥିବାରୁ ଭାଗ୍ୟବାନ। ଏହାକୁ ସଫଳ କରିବା ପାଇଁ ଅପେକ୍ଷା କରିଛୁ ବୋଲି ବିବିଏମ୍‌ଭିପିଏଲ୍‌ର ପ୍ରତିଷ୍ଠାତା ରଭନୀତ ଗିଲ ଓ ମଧୁ ମାଣ୍ଟେନା କହିଛନ୍ତି।

Leave a Reply

Your email address will not be published. Required fields are marked *