ପବିତ୍ର ବାରୁଣୀ ମେଳା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ପବିତ୍ର ବାରୁଣୀ ମେଳା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର, ୧୦/୦୩/୨୬: ଯାଜପୁର ଜିଲ୍ଲାର ଐତିହାସିକ ବୈତରଣୀ ନଦୀ ତଟସ୍ଥ ଦଶାଶ୍ୱମେଧ ଘାଟର ଉଭୟ ପାର୍ଶ୍ୱରେ ଆୟୋଜିତ ହେବାକୁ ଥିବା ପବିତ୍ର ବାରୁଣୀ ସ୍ନାନ ମେଳାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିରଜା ପଞ୍ଜିକା ଅନୁସାରେ ଚଳିତ ବର୍ଷ ଆସନ୍ତା ମାର୍ଚ୍ଚ ୧୭ ରେ ଆୟୋଜିତ ହେବାକୁ ଥିବା ପବିତ୍ର ବାରୁଣୀ ସ୍ନାନ ଅବସରରେ ଭକ୍ତମାନଙ୍କ ବିପୁଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା। ଏଥିରେ ପ୍ରାୟ ୩୦ ହଜାର ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସ୍ନାନଘାଟରେ ବ୍ୟାରିକେଡିଂ, ଆଲୋକିକରଣ, ପାନୀୟ ଜଳ ଯୋଗାଣ, ଶୌଚାଳୟ ବ୍ୟବସ୍ଥା, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ସେବା ଏବଂ ଅଘଟଣ ପ୍ରତିରୋଧ ପାଇଁ ଯନ୍ତ୍ରଚାଳିତ ଡଙ୍ଗା ବ୍ୟବସ୍ଥା ସହ ବିଭିନ୍ନ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାରୁଣୀ ମେଳା ପରିସରରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ମଧ୍ୟ ରହିବ। ଏହା ସହ ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣ ଓ ଯାନବାହାନ ପାର୍କିଂ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଯାଜପୁର ପୌର ପରିଷଦର ଅଧ୍ୟକ୍ଷା ରଞ୍ଜୁଲତା ହୋତା ଓ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଲିକ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଶାନ୍ତ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଯାଜପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ରାଉତ, ଅଧିକ୍ଷଣ ଯନ୍ତ୍ରୀ, ଯାଜପୁର ଆଇଆଇସି, ଅଗ୍ନିଶମ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *