ମଧୁ ଚୁମ୍ବନ

ମଧୁ ଚୁମ୍ବନ

   🔹ଗାଳ୍ପିକ ନୂତନ କୁମାର ବେହେରା

   ସୃଷ୍ଟିର ଗୁଢ଼ ରହସ୍ୟ ଯେତିକି ବିଚିତ୍ର ତା’ ଠାରୁ ଅଧିକ
ଆଶ୍ଚର୍ଯ୍ୟ ଲାଗେ ଚକିତ କରାଏ ମଣିଷର ଚରିତ୍ର।ଜଣକର
ମନ ଗହନର କଥାକୁ ଆଉ ଜଣେ ବୁଝିବା ଏତେ ସହଜ
ହୁଏନା…ଭାବ ବିନିମୟରେ ହୁଏ କିଛି ହୃଦବୋଧ କରି
ବହୁତ କିଛି ରହିଯାଏ ବାକି…ଜୀବନର ଶେଷ ଯାଏଁ
ଚେଷ୍ଟା ଜାରିଥାଏ ତାର ରହସ୍ୟକୁ ଉନ୍ମୋଚନ କରିବା ପାଇଁ..
ଜଣେ ଅନୁଶୀଳନ କରୁଥାଏ ତାର ସଂପର୍କକୁ…ପ୍ରେମକୁ…
ପାଇବାକୁ ଶାନ୍ତି ତୃପ୍ତି ସନ୍ତୋଷ…।
        ଭଦ୍ର ଓରଫ୍ ବୀରଭ୍ରଦ। ଶ୍ରଦ୍ଧା ଓ ସ୍ନେହରେ ନିଜ
ଆପଣାର ଆତ୍ମୀୟମାନେ ତଥା ଅତି ନିକଟତମ ସାଙ୍ଗ
ସାଥୀମାନେ ଏହି ଭଦ୍ର ନାମରେ ଡାକନ୍ତି ତାଙ୍କୁ।
         ବୀରଭଦ୍ର ବାବୁଙ୍କୁ ସଭିଏଁ ଏବେ ଡାକୁଛନ୍ତି, ସାର୍,
ଅଗାଧ ସମ୍ମାନ ଅଜାଡ଼ି ଦେଇ ହୃଦୟରୁ। କୃତିତ୍ବର ଉଚ୍ଚ
ସୋପାନରେ ଯିଏ ଅଧିଷ୍ଠିତ ହୁଏ ସେ ସମ୍ମାନ ପାଇବା,
ପ୍ରଶଂସା ପାଇବା ପାଇଁ ଯୋଗ୍ୟ ହୋଇଥାଏ। ଅକ୍ଳାନ୍ତ
ପରିଶ୍ରମ କଠିନ ଅଧ୍ୟବସାୟ ଜଣକୁ ସେଇ ସଫଳତା
ଆଣି ଦେଇଥାଏ, ସମ୍ବର୍ଦ୍ଧନା ଦିଏ।
        ସେ ଦିନର ଭଦ୍ର ଆଜିର ଭଦ୍ର ବାବୁ…ଜଣେ ଉଚ୍ଚ
ପଦସ୍ଥ ଅଧିକାରୀ। ମେଧାବୀ ଛାତ୍ର ଭାବରେ ଓଡି଼ଶାର
ଗର୍ବ ଓ ଗୌରବ ବଢାଇଛନ୍ତି ସେ। ମାଆର ଆଶା ପୂରଣ
କରିଛନ୍ତି। ଜନ୍ମମାଟି ନିଶୀଥ ପଲ୍ଲୀର ନାମକୁ ଜାତୀୟ
ସ୍ତରକୁ ପହଞ୍ଚାଇଛନ୍ତି। ଏତେ କମ୍ ବୟସରେ ସେ ବେଶ୍
ପରିଚିତ ସୁନାମଧନ୍ୟ ହୋଇ ପାରିଛନ୍ତି ତାଙ୍କ ଅଞ୍ଚଳରେ।
ତାଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ କରି ସେ ଏକ ଦୃଷ୍ଟାନ୍ତ
ସାଜିଛନ୍ତି…ନିଜ ଅଞ୍ଚଳରେ ପ୍ରେରଣାର ଉତ୍ସ ସେ। ଇପ୍ସିତ
ଇଚ୍ଛା ତାଙ୍କର ପୂରଣ ହୋଇଛି ମାତ୍ର ମନରେ ନାହିଁ ଶାନ୍ତି,
ଏବେ ବି ଅଧୁରା ତାଙ୍କର ଅଭିଳାଷ…।
      ଅଜାଗା ଘାଆ ପରି ତାଙ୍କର ସେ ଯନ୍ତ୍ରଣା… କାହାକୁ
ମନ ଖୋଲି କହି ପାରନ୍ତି ନାହିଁ। ବାଉଁଶକୁ ଘୁଣ ଖାଇଲା
ପରି ସେ ବିଦ୍ରୂପ ତାଚ୍ଛଲ୍ୟ…ଏବେ ବି ତାଙ୍କ କଲିଜାଟାକୁ
ଖିନ୍ ଭିନ୍ କରି ଖାଇଯାଏ…ଏତେ ସାମର୍ଥ୍ୟରେ ବି ସେ
ନିଃସଙ୍ଗତା ଅନୁଭବ କରନ୍ତି। ନିଜକୁ ଅସହାୟ ମଣନ୍ତି।
      ତଥାପି ମନରେ ଆଶା ସଞ୍ଚାର କରନ୍ତି…ଏଇଥି ପାଇଁ
ସେ ସବୁ ବିରୋଧାତ୍ମକ କ୍ରିୟାକୁ ସକରାତ୍ମକ ଭାବନ୍ତି।
ଦେହର ମଳି ପରି ଭାବି ନିଜ ନିଷ୍ଠା କର୍ତ୍ତବ୍ୟ ଓ ଦାୟିତ୍ୱ
ତୁଲାଇବାରେ କେବେ ଅବହେଳା କରି ନାହାଁନ୍ତି।
        ଯେଉଁ କଥାଟିଏ ସେ ରୋମନ୍ଥନ କରି ଏତେ ବାଟ
ଆଗେଇ ଆସିଛନ୍ତି ତା ତାଙ୍କ ଜୀବନ ଜାହାଜର ଏକ
ସୂକ୍ଷ୍ମ ରନ୍ଧ୍ର ଭଳି…ଯା’ ନିଜ ଜୀବନ ଯାତ୍ରାର ଗତିପଥେ
ହୁଏ ଅନ୍ତରାୟ। ଯଦିଓ ସେ ସକାରାତ୍ମକ ଅର୍ଥରେ ସେ
କଟୋକ୍ତିକୁ ଉପହାସକୁ ଗ୍ରହଣ କରି ଏକ ଦୁର୍ବାର ଗତିରେ
ଅନେକ ଘାତ ପ୍ରତିଘାତ ସହି ପ୍ରତିବନ୍ଧକ ଡେଇଁଛନ୍ତି…
ତଥାପି ଆଜି ପ୍ରତିଷ୍ଠିତ ହେଲା ପରେ ସମାଜରେ ସେ
ତାଙ୍କର ଅତୀତକୁ ଭୁଲି ପାରୁ ନାହାଁନ୍ତି…।
    ଦୋଷାରୋପ ମଧ୍ୟ କରି ପାରୁ ନାହାଁନ୍ତି ସେ ସମୟକୁ,
ବାସ୍ତବ ପରିସ୍ଥିତି ଥିଲା ସେମିତି…।
       ଭଦ୍ର ଭଲ ପାଇଥିଲେ ସଞ୍ଜିତାକୁ…ପ୍ଲସ୍ ଥ୍ରୀ ରେ
ପଢୁଥିବା ବେଳେ। ସଂଞ୍ଜିତା ଥିଲା ପ୍ଲ ଟୁ ଛାତ୍ରୀ। କଲେଜ୍
ଡ୍ରାମାରୁ…ନାୟକ ନାୟିକା ଭୂମିକାରେ ଅଭିନୟ କରିଥିଲେ
ଦୁହେଁ…” କେଦାର ଗୌରୀ ” ପ୍ରେମ କାହାଣୀ ଆଧାରିତ
ଥିଲା ନାଟକର କଥାବସ୍ତୁ।
     ଆଜିକାଲିର ପ୍ରେମ… କଲେଜ୍ ପାର୍କ ହୋଟେଲ୍ ଅବା
ସମୁଦ୍ର କୂଳରେ ଯା’ ଚାଲୁଛି ଆଧୁନିକ ଯୁଗରେ… ସ୍ମାର୍ଟ୍
ଯୁଗର ଅନ୍ ଲାଇନ୍ ଜୀବନ ନିର୍ବାହରେ…ସେ ସବୁଠାରୁ
ବହୁ ଦୂରରେ ଭଦ୍ର…ବେଶ ସଂଯତ ଶାନ୍ତ ସୁଧାର ସେ,
ପଦିଏ କଥା କହେ ନାଭିରୁ ବାହାର କରି…ବୁଝି ବିଚାରି।
ତା’ର ସ୍ଵଭାବରେ ପ୍ରଭାବିତ ହୁଅନ୍ତି ଅନେକ ସାଙ୍ଗ…
ଏମିତି କି ଅନେକ ସୁନ୍ଦରୀ ଆଭିଜାତ୍ୟ ପୂର୍ଣ୍ଣ ପରିବାରର
ଝିଅ ମଧ୍ୟ ଭଦ୍ରକୁ ପ୍ରେମରେ ଆକର୍ଷିତ କରିବା ପାଇଁ
ଚାହୁଁଥାନ୍ତି…ଭଦ୍ର ଯେତିକି ଭଦ୍ର ସେତିକି ନମ୍ର ମଧ୍ୟ। କେବେ
କାହା ପ୍ରତି ଖରାପ ନଜର ରଖେ ନାହିଁ।
       ଏତେ ସତର୍କ ସଜାଗ ରହି ମଧ୍ୟ କେମିତି ଏକ
ଦୁର୍ବଳ ମୁହୂର୍ତ୍ତରେ ସେ ଭଲ ପାଇ ବସିଲା ସଂଜିତାକୁ…
ସେ ସଂଜିତାକୁ ଜାଣି ନଥିଲେ ବିଶେଷ ଭାବରେ…
କେବଳ ତାର ନାମ ଜାଣିବା ଓ ପ୍ଲସ୍ ଟୁ ରେ ପଢିବା
ବ୍ୟତୀତ…।
      ପ୍ରେମ ହେଲେ ସେ କିଛି ଭେଦାଭେଦ ଦେଖେ ନାହିଁ,
ହୃଦୟ ହୃଦୟକୁ… ମନ ମନକୁ ଛୁଇଁ ଗଲେ …ପ୍ରାଣରେ
ଆସେ ଏକ ଅପୂର୍ବ ଶିହରଣ…ଦୁଇ ଶରୀର ରୂପୀ କାୟା
ହୁଅନ୍ତି ଆକର୍ଷିତ… ଚିନ୍ତା ଚେତନାରେ ଆସେ ଅସରନ୍ତି
ଭାବନା…ଆଖି ଆଗେ ନାଚେ ସ୍ବପ୍ନ…ଆଖି ବନ୍ଦ୍ କଲେ
ମଧ୍ୟ ଦେଖାଯାଏ ପ୍ରିୟତମ/ପ୍ରିୟତମାର ରୂପ…ମନ
ହୃଦୟର ସ୍ଵୀକୃତି ପ୍ରାପ୍ତ ସଂପର୍କର ନାମ ହିଁ ” ପ୍ରେମ “।
ସହଜରେ ସମାଜ ଏ ସଂପର୍କକୁ ସ୍ଵୀକୃତି ଦିଏ ନାହିଁ।
ବିବାହରେ ଏ ସଂପର୍କ ହୋଇଥାଏ ନିର୍ଭରଯୋଗ୍ୟ।
      ଚୁମ୍ବକର ବିଷମ ମେରୁ ପରସ୍ପରକୁ ଆକର୍ଷଣ କଲା
ପରି ଭଦ୍ର ଓ ସଂଜିତା ଆକର୍ଷିତ ହେଲେ ଯେ ଯାହାର
ହୃଦୟ ପର୍ଯ୍ୟନ୍ତ…ସାଗର ପରି ବିଶାଳ ଓ ଗଭୀର ଅନୁଭବ
ହେଲା ତାଙ୍କର ପ୍ରେମ।
         ପ୍ରେମ ଏକ ସ୍ଵତଃ ପ୍ରବୃତ୍ତ ପ୍ରବାହିତ ହେଉଥିବା
ଝରଣା…ସେ ମାନେନା କିଛି ବାଧା କି ବନ୍ଧନ। ସେହି
ପ୍ରେମ ଝରଣାର ସ୍ଵଚ୍ଛ ଜଳରାଶିରେ ଉଭୟ ସଂଜିତା ଓ
ଭଦ୍ର ଦେଖୁଥାନ୍ତି ତାଙ୍କର ପ୍ରତିଛବି… ଦୁହେଁ ଏମିତି ଏକ
ପର୍ଯ୍ୟାୟରେ ପହଞ୍ଚିଲେ ଜଣେ ଜଣକୁ ଛାଡ଼ି ରହିବା
ଅସମ୍ଭବ ହୋଇ ପଡ଼ିଲା।
     ସ୍ଵାଭାବିକ ଜୀବନ ଯାତ୍ରା ପଥରେ ଏମିତି ମୋଡ଼
ଆସେ ବଦଳିଯାଏ ଗତିପଥ…ଭଦ୍ର ୩ୟ ସେମିଷ୍ଟରରେ
ପରୀକ୍ଷାରେ ଅତି ଖରାପ କଲା…ସାଧାରଣ ପିଲାଙ୍କ ଠାରୁ
ସେ କମ୍ ନମ୍ଵର ରଖିଲା। ଜଣେ ମେଧାବୀ ବିଚକ୍ଷଣ
ଛାତ୍ର ପାଇଁ ଏ ଥିଲା ବହୁତ ବଡ଼ ବିଫଳତା…ଭଦ୍ର ନିଜକୁ
ନିଜ ଆତ୍ମବିଶ୍ଵାସକୁ ହରାଇ ବସିଲା। ସଞ୍ଜିତା ପ୍ରେମରେ
ଏକ ପ୍ରକାର ପାଗଳ ହେଲା ସେ…।
      ସଞ୍ଚିତା ସବୁ ଜାଣିଲା…ସେ ଯଦିଓ ପାଠରେ ଏତେ
ପାରଙ୍ଗମା ନୁହେଁ ତଥାପି ଅଧିକ ପରିଶ୍ରମ କରି ପ୍ରଥମ
ଶ୍ରେଣୀରେ ପାଶ୍ କରିଛି କ୍ଲାସ୍ ଟେନ୍। ତାର ବାପ ଜଣେ
ବଡ଼ ଅଫିସର ପ୍ରଶାସନ ବିଭାଗରେ…ସେ ତା ବାପା ମା’ଙ୍କ
ଅଳିଅଳି ଏକମାତ୍ର ଝିଅ। ଇଚ୍ଛା ମାତ୍ରେ ଯା ଚାହେଁ ପାଏ।
ଭଦ୍ର ଜଣେ ସୁନ୍ଦର ସୁସ୍ଥ ସବଳ ଯୁବକ…ପାଠରେ ସର୍ବୋଚ୍ଚ
ନମ୍ଵର ରଖୁଥିବା ଛାତ୍ର…ତାର ଏ ଅଧଃପତନ ଦେଖି
ସେ ଭଦ୍ର ପାଇଁ ନିଜକୁ ଦୋଷୀ ମନେ କଲା। ତାଙ୍କର
ପ୍ରେମ ହିଁ ଏଥିପାଇଁ ଦାୟୀ….।
       ଭଦ୍ର ଠାରୁ ସଞ୍ଜତା ଶୁଣିଛି ସେ ଏକ ଅତି ଗରିବ
ଘରର ପିଲା। ଦି ଏକର ଚାଷ ଜମି ମାତ୍ର ତାଙ୍କର ସମ୍ବଳ।
ଭଦ୍ର ସାତ ବର୍ଷ ବୟସରେ ତା ବାପାଙ୍କୁ ହରାଇଛି। ତା
ମାଆର ସେବା ଯତ୍ନରେ ସେ ବଢିଛି। ଅନେକ କଷ୍ଟ କରି
ତା ମାଆ ଖର୍ଚ୍ଚ ତୁଲାନ୍ତି…ଭଦ୍ର ୩ୟ ଶ୍ରେଣୀରୁ ଲଗାତାର
ଅଦ୍ୟାବଧି ଛାତ୍ରବୃତ୍ତି ପାଇ ଆସୁଛି…ସେ ବୃତ୍ତି ପାଉଥିବା
ଟଙ୍କାରେ ନିଜର ପଢ଼ା ଖର୍ଚ୍ଚ ତୁଲାଏ। ଭଦ୍ର ତା ମାଆର ଏକମାତ୍ର
ଆଶା ଭରସା ବିଶ୍ଵାସ। ପୁଅକୁ ମଣିଷ କରିବା
ପାଇଁ ତାର ମାଆ ଜୀବନକୁ ବାଜି ଲଗାଇ ଦେଇଛନ୍ତି।
ଭଦ୍ର ସେ ଆଶା ପୂରଣ ନ କଲେ ମାଆର ସ୍ବପ୍ନ ଅଧୁରା ରହିବ… ଶାନ୍ତିରେ ମରି ପାରିବେନି,ପୁଅ ଜନ୍ମ କରିବା ବ୍ୟର୍ଥ ହେବ…
ଏମିତି ଅନେକ ଅନେକ କଥା… ଯେତିକି ଶୁଣିଥିଲା ସଞ୍ଜିତା
…ତା ମନରେ ଗଭୀର ଆଘାତ ଲାଗିଲା ଓ ସେ ଦୃଢ଼ ନିଷ୍ପତ୍ତି ନେଲା…ଭଦ୍ର ଠାରୁ ଦୂରେଇ ଯିବ।
   ଭଦ୍ରକୁ ଅନେକ ବୁଝାଇଲା ସଂଜିତା ମାତ୍ର ସେ ନଛୋଡ଼
ବନ୍ଧା…ତେଣୁ ସେ ଦିନ ତାଙ୍କ ଭିତରେ ତାଙ୍କ ପ୍ରେମକୁ
ନେଇ ଏକ ବିରାଟ ଝଡ଼ ଉଠିଥିଲା….ଯା କି ଆଜି ଯାଏଁ
ପରସ୍ପରକୁ ପରସ୍ପର ଠାରୁ ଦୂରେଇ ରଖିଛି।
      ସେ ଦିନ ସଂଜିତା ଭଦ୍ରକୁ ଅପମାନ ଦେଇଥିଲା
ଭର୍ତ୍ସନା କରି ଅନେକ… ନ କହିବା କଥା ମଧ୍ୟ କହିଥିଲା।
ବିଦ୍ରୁପ କରି କହିଥିଲା…ତୁମର ଅକାତ୍ କ’ଣ ? ମୋତେ
ବାହା ହେବ। ମୁଁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କର ଝିଅ…
ବଡ଼ ଘରେ ଜନ୍ମିଛି,କିଛି ଅଭାବ ନଥିଲା ପରିବାର ମୋର…
ଆଉ ତୁମେ ଗୋଟେ ଭିକାରି’ଠୁ କେଉଁ ଗୁଣରେ କମ୍।
ପାଠ ଯେଉଁ ପଢୁଛ ଯା କେରିୟର୍ ତୁମର ହେଲାଣି ଫେଲ୍
ହେବ,ଚାକିରି ନ ପାଇ ଶ୍ରମିକ ହେବ ଏ ରାଜ୍ୟରେ କାମ ନ
ପାଇଲେ ଦାଦନ ଖଟିବା ପାଇଁ ବାହାରକୁ ଯିବ,ଦୁଇଟି
ହାତର କରାମତିରେ ମୋର କେଉଁ ଅଭାବ ପୂରଣ କରିବ,
ମୋତେ କି ସୁଖ ଦେବ…ଜାଣୁ ଜାଣୁ ମୁଁ ମୋ ଲାଇଫ୍
ବରବାଦ୍ କରିବିନି…ତୁମେ ମୋତେ ଭୁଲିଯାଅ।
     ଚା ପରେ ଭଦ୍ର ଓ ସଂଜିତା ପରସ୍ପର ଠାରୁ ବହୁ
ଦୂରରେ… ସାମ୍ନାରେ ଦେଖି ମଧ୍ୟ ପରସ୍ପରକୁ ଏଭଏଡ଼୍
କରି ଚାଲି ଯାଇଛନ୍ତି।
     ପ୍ରଥମେ ଭଦ୍ର କିଛି ଦିନ ପାଇଁ ଭାଙ୍ଗି ପଡ଼ିଥିଲା…
ନିଜକୁ ଭାବି ନେଇଥିଲା ଏକ ଅପାରଗ ଦୁର୍ବଳ…
ହରାଇ ବସିଥିଲା ତାର ଇଚ୍ଛାଶକ୍ତି ମନୋବଳ ଓ
ଆତ୍ମବିଶ୍ଵାସକୁ… ଝଡ଼ ଶାନ୍ତ ହେଲା ପରେ ଉଜୁଡ଼ା
ଘରକୁ…ଜୀବନକୁ ସଜାଡ଼ିବାକୁ ପୁଣି ଉଦ୍ୟମ ପ୍ରଚେଷ୍ଟା
ଆରମ୍ଭ ହୁଏ। ସେମିତି ଭଦ୍ର ପ୍ରକୃତିସ୍ଥ ହୋଇ ତାର
ଲକ୍ଷ୍ୟକୁ ଦୃଢ଼ କଲା। ମନେ ମନେ ସଂକଳ୍ପ କଲା ମଣିଷ
ପରି ମଣିଷଟିଏ ହୋଇ ନିଜକୁ ପ୍ରମାଣିତ କରିବ। ପାହାଡ଼
ବି ପ୍ରବାହିତ ଝରଣାର ଗତିପଥକୁ ରୋକି ପାରେନା।
       ପଛକୁ ଫେରି ନ ଚାହିଁ…ସଞ୍ଜିତାର ଉପେକ୍ଷାକୁ ଏକ
ଚେତାବନୀ ଭାବି ଏକାଗ୍ରତାର ସହ ପଢ଼ାରେ ଧ୍ୟାନ
ଦେଲା…ବିଶ୍ଵ ବିଦ୍ୟାଳୟରେ ସ୍ଵର୍ଣ୍ଣ ପଦକ ପାଇ ସାରା
ଓଡ଼ିଶାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କଲା।
     ଆଜି ସେଇ ଭଦ୍ର ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ,
ଏ ସୁଖ ଦେଖିବାକୁ ଆଜି ତାଙ୍କ ମାଆ ଆଉ ପାଖରେ
ନାହାଁନ୍ତି… ବିଧିର ବିଧାନ କ୍ରମେ ଦୁଇ ବର୍ଷ ହେଲା ପର
ପାରିକୁ ଚାଲି ଯାଇଛନ୍ତି…। ଏତେ ସଫଳତା ପରେ ବି
ବୀରଭଦ୍ର ବାବୁଙ୍କୁ ଲାଗୁଛି ନିଃସ୍ଵ… କ’ଣ ପାଇଁ ଥିଲା
ତାଙ୍କର ଏ ଦୁର୍ବାର ଅଭିଯାନ…ଯୁଦ୍ଧ ଜୟ ପରେ ନଥିଲେ
ପ୍ରଜାବୃନ୍ଦ କା ଆଗରେ ହେବେ ସେ ରାଜା…?
       ଅନେକ ପ୍ରଶ୍ନର ବାଣ ତାଙ୍କୁ ନୀରବରେ ନୀରବରେ
କ୍ଷତାକ୍ତ କରୁଥାଏ … ସଞ୍ଜିତାର ସେଇ ଧିକ୍କାର ଭର୍ତ୍ସନା
ମନକୁ ଦୁର୍ବଳ କରି ପକାଏ ଏ ସଫଳତା ଭିତରେ।
ସେ ଅପ୍ରତ୍ୟାଶିତ ପ୍ରେମକୁ ଖୋଜି ପାଇବା ଆଉ ସ୍ପୃହା
ନାହିଁ… ଜୀବନକୁ ଏକ ନୂଆ ପଥରେ ନେଇ ସମାଜ
କଲ୍ୟାଣର ଯୋଜନା ପ୍ରସ୍ତୁତି କରୁ ଥାଆନ୍ତି।
       ହଠାତ୍ କଲିଙ୍ଗ୍ ବେଲ୍ ବାଜି ଉଠିଲା। ବୀରଭଦ୍ର
ବାବୁ ସରକାରୀ ବଙ୍ଗଳାରେ ଏକା ରହୁଥାନ୍ତି। ବେଲ୍ ଶବ୍ଦ
ଶୁଣି କବାଟ ଫିଟାଇଲେ…ତାଙ୍କ ଅଫିସ୍ ର ଜଣେ
ଚପରାଶି ସମ୍ମାନ ଜଣାଇ ନମସ୍କାର କଲା ଓ ତାଙ୍କ
ହାତକୁ ଲଫାପାଟିଏ ବଢ଼ାଇ ଦେଲା ଚାଲିଗଲା…।
        ବୀରଭଦ୍ର ବାବୁ…ଲଫାପାଟି ଦୁଇ ପଟ ଓଲଟାଇ
ଦେଖିଲେ…କିଏ ଦେଇଛି କେଉଁଠୁ ଆସିଛି ଜଣା ପଡୁନି…
ଉପରେ ଠିକଣା କିଛି ନାହିଁ…। ଏ କୌଣସି ସରକାରୀ ଚିଠି
ନୁହେଁ ସେ ଠଉରେଇ ନେଲେ।ପୁଣି ଆଶ୍ଚର୍ଯ୍ୟ ହେଲେ ସେ
ଲଫାପାର ଗୋଟାଏ କୋଣରେ ତାଙ୍କର ଦସ୍ତଖତ। ଏକ ଅଜଣା ସନ୍ଦେହ ଓ କୌତୁହଳରେ ସେ କବଟା ବନ୍ଦ କରି ସେ ଲଫାପା ଖୋଲିଲେ। ପଢ଼ିବାକୁ ଆରମ୍ଭ କଲେ ଚଉତା ଯାଇଥିବା କାଗଜଟି ମେଲି….ଲେଖାଥିଲା…
     ପ୍ରିୟ ଜୀବନ ସାଥୀ,
        ତୁମେ ମୋର ଆରାଧ୍ୟ, ଜନ୍ମ ଜନ୍ମାନ୍ତର ସାଥୀ। ତୁମ
ବିନା ମୁଁ କିଛି ନୁହେଁ ଏକ ବିରାଟ ଶୂନ। ତୁମ ପାଇଁ ମୁଁ
ଅଛି ରହିବି ଯେତେ ଥର ନେଉଥିବି ଜନମ। ତୁମକୁ ମୁଁ
କେତେ ଭଲ ପାଏଁ… କହିବାକୁ ବୁଝାଇବାକୁ ଶବ୍ଦ ନାହିଁ।
ଅନୁଭବ ହିଁ ଏକମାତ୍ର ତାର ପ୍ରମାଣ। ତୁମକୁ ପ୍ରେମ କରିଛି
କରୁଥିବି ଜୀବନର ଶେଷ ଯାଏଁ।
         ଆଶ୍ଚର୍ଯ୍ୟ ହେଉଥିବ ମୋ ଲେଖା ପଢ଼ି। ଉପରେ
ତାରିଖ ଦେଖ…ଏ ଚିଠି ମୁଁ ସେ ଦିନ ଦେଇଥାନ୍ତି। କିନ୍ତୁ
ଦେଇନି କାରଣ ସମୟ ଆସି ନଥିଲା। ତୁମେ ବିଶ୍ଵାସ
କରିବନି ତେଣୁ ଲଫାପା ଉପରେ ତୁମର ଦସ୍ତଖତ
ନେଇଥିଲି…କହିଥିଲି ଏ ମୋର ସବୁଠୁ ବଡ଼ ସ୍ମୃତି ହୋଇ
ରହିବ…ସେ ସ୍ମୃତିକୁ ପୁଣି ଜୀବନ୍ତ ରୂପ ଦେବା ପାଇଁ
ପଠାଇଲି ତୁମ ପାଖକୁ… ଖୁବ୍ ନିକଟରେ ଦେଖା ହେବ।
ତୁମେ ମୋର ମୁଁ ତୁମର…।ଇତି।
            ତୁମକୁ ଭୁଲି ପାରୁ ନ ଥିବା ତୁମ ପ୍ରିୟା
                   ସଞ୍ଜିତା
     ବୀରଭଦ୍ର ବାବୁ ସ୍ଥାଣୁ ପାଲଟି ଗଲେ। ସଞ୍ଜିତା ତାଙ୍କୁ
ଏତେ ଭଲ ପାଏ… ଏମିତି ଏକ ମଜଭୁତ ସ୍ଥିତିରେ ଦେଖିବାକୁ
ଏ ସଞ୍ଜିତାର ତ୍ୟାଗ….।
    ପୁଣି କଲିଙ୍ଗ୍ ବେଲ୍… ବୀରଭଦ୍ର ବାବୁ କବାଟ ଖୋଲିଲା
ବେଳକୁ ସଞ୍ଜିତା ଜାବୁଡ଼ି ଧରିଥିଲା ବୀରଭଦ୍ରଙ୍କୁ….ମହା
ମିଳନର ଏକ ପର୍ବ….ଉଭୟେ ଅନୁଭବ କରୁଥିଲେ
ହୃଦୟରେ…ଆଖିରୁ ଅମାନିଆଁ ହୋଇ ବହି ଯାଉଥାଏ
ଆନନ୍ଦାଶ୍ରୁ… ବୀରଭଦ୍ର ବାବୁଙ୍କର ଅପ୍ରତ୍ୟାଶିତ ପ୍ରେମ
ଆଜି ସାକାର ହୋଇଛି…।
       ସଞ୍ଜିତା କହୁଥାଏ…ସତରେ ତୁମେ ମୋତେ ଭୁଲି
ଯାଇଥିଲ…କ୍ଷମା କରିବ ତୁମକୁ ଏମିତି ଏକ ସମ୍ମାନ
ଜନକ ଉଚ୍ଚ ପଦସ୍ଥ କର୍ମଚାରୀ ରୂପରେ ଦେଖିବା ପାଇଁ
ମୁଁ ମିଛରେ ନାଟକ କରି ଦୃଢ଼ ନିଷ୍ପତ୍ତି ନେଇଥିଲି। ତୁମଠୁ
ଦୂରରେ ରହି ବି ୨୪ ଘଣ୍ଟା ପ୍ରତ୍ୟକ୍ଷ ଓ ପରୋକ୍ଷରେ ତୁମର
କଥା ବୁଝୁଥିଲି । ତୁମକୁ ଗୋଟାଏ ସେକେଣ୍ଡ ମଧ୍ୟ ମୋ ଅନ୍ତରର
ମୁଁ ଅନ୍ତର କରି ନାହିଁ।ମୋର ଭୁଲ୍ ଥିଲେ କ୍ଷମା କରିବ…।
        ବୀରଭଦ୍ର ବାବୁ ପ୍ରତିକ୍ରିୟାରେ ଉତ୍ତର କିଛି ନ ଦେଇ
କୋଳକୁ ତାଙ୍କର ତୋଳି ନେଇ ସଞ୍ଜିତାକୁ ବାହୁ ବନ୍ଧନରେ
ରଖି ଆଙ୍କି ଦେଇଥିଲେ ଏକ ମଧୁ ଚୁମ୍ବନ…।
                 
 
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *