ବାଜୁନି ମଧୁ ସମ୍ପର୍କର ମଧୁଗୀତି

     ବାଜୁନି ମଧୁ ସମ୍ପର୍କର ମଧୁଗୀତି

   ✍️କବିରତ୍ନ ନୂତନ କୁମାର ବେହେରା

ଜୀବନର ଜ୍ବଳନରେ ଦେହ ହୁଏ ଦାହ
ଯନ୍ତ୍ରଣାର ଧକ୍କା ଲାଗେ ଅହରହ
ଶାନ୍ତିର ସାନ୍ତ୍ଵନା ଟିକକ
ହୁଏ ସୁଦୂର ପରାହତ ଅନିରୁଦ୍ଦିଷ୍ଟ
ଖୋଜିଲେ ମିଳେନା ଅବଲମ୍ବନର ଠିକଣା
ମିଛର ମାୟା ଜାଲରେ ହୋଇ ବନ୍ଧା
ମୁକୁଳି ପାରନ୍ତି ନାହିଁ ଆଶା ଭରସା
ହୁଅନ୍ତି ସାମୟିକ ଭୋଗ ବିଳାସରେ ବଶ
ହସେ ମଣିଷ ବିଭ୍ରମରେ କୃତ୍ରିମ ହସ
ମରୀଚିକା ପଛରେ ରହି ଧାବମାନ
ପାଏ ଖାଲି ଅବାଞ୍ଛିତ ଅସୀମ ଦୁଃଖ କଷ୍ଟ
ଅଧୁରା ସ୍ବପ୍ନମାନଙ୍କର ଲମ୍ବା ପଟୁଆର
ଛନ୍ଦ ତାଳ ଲୟ ହରା ସାତସୁର
ବେସୁରା ରାଗ ରାଗିଣୀର ତ୍ରୀବ ପ୍ରତିଧ୍ଵନି
ଖେଳାଇ ଦିଏ ପ୍ରମାଦର ମହା ଆତଙ୍କ
ବାଜୁନି ମଧୁ ସମ୍ପର୍କର ମଧୁଗୀତି
ଭାବ ଭାଷା ଦିଏ ମରମେ ଆଘାତ
କର୍କଶ କୋଳାହଳର କଟୁ ତିକ୍ତ ମନ୍ତବ୍ୟ
ଅସ୍ତବ୍ୟସ୍ତ କରାଏ ବଞ୍ଚିବାର ମୁହୂର୍ତ୍ତକୁ
ଆତ୍ମୀୟତାର ନାହିଁ ଆକର୍ଷଣ
ସ୍ଵାର୍ଥର ଅଠା କାଠିରେ ଯୋଡ଼ି ହୋଇ
ସାଉଁଟେ କେବଳ ଦୀର୍ଘ ନିଃଶ୍ବାସ
ବିଶ୍ଵାସକୁ ବିଷ କରି ସେ ପିଉଛି ନିତି
ରଙ୍ଗ ହୁଏ ବେରଙ୍ଗ ବିଭତ୍ସ ଚିତ୍ର ଚରିତ୍ର
ଫିକା ଫିକା ଲାଗେ ଫଗୁଣ ପରାଗ
ବସନ୍ତର ମଳୟ ସାଜେ ପ୍ରଳୟଙ୍କରୀ ଝଡ଼
ଶୁଖିଲା ଦିଶେ ଶ୍ରାବଣର ଆଶାୟୀ ଆଖି
ମୌସୁମୀ ନେଇ ଆସେ ଖାଲି ଲଘୁଚାପ
ନିଷ୍ଠାକୁ ଭୁଲି କାମନାର ନିଶାରେ ରହେ ମାତି
ମିଳନର ବାଜୁନାହିଁ ଶୁଭ ସାହାନାଇଁ
ଶୁଣାଯାଏ ପରିହାସ ପ୍ରତାରଣାର ଅଟ୍ଟହାସ୍ୟ
ଅପ୍ରତ୍ୟାଶିତ ବିଚ୍ଛେଦର ବିଭୀଷିକା
ପବିତ୍ର ବନ୍ଧନକୁ କରି ଦିଏ ଛିହ୍ନ ବିଛିନ୍ନ
ପ୍ରାଣର ପ୍ରଣବ ସ୍ବର ଝଙ୍କୃତ ହୁଏନା
ବାଜୁନି ମଧୁ ସମ୍ପର୍କର ମଧୁଗୀତି……।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *