ପଞ୍ଚାୟତରେ କୃଷି ସମବାୟ ସମିତି ଅଫିସ ପାଇଁ ମିଳୁନି ଘର।ବ୍ଲକ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା।
ରଘୁନାଥପୁର:- ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତରେ କୃଷି ସେବା ସମବାୟ ସମିତି ଅଫିସ ପାଇଁ ରାଜୀବ ଭବନ ପରିସରରୁ ଘର ଯୋଗାଇଦେବା ଦାବିରେ ପଞ୍ଚାୟତବାସୀ ବ୍ଲକ ସମ୍ମୁଖରେ ସୋମବାର ଠାରୁ ଧାରଣା ଦେଇଛନ୍ତି। ଉକ୍ତ ପଞ୍ଚାୟତରେ ଗତ ୨୦୨୪ ଜାନୁଆରୀ ମାସରେ ନୂତନ ଭାବେ କୃଷି ସମବାୟ ସମିତି ପଞ୍ଜୀକୃତ ହୋଇଥିଲା।ଏହାର ଅଫିସ ଖୋଲିବା ନିମନ୍ତେ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ରରୁ ଏକ ଘର ଯୋଗାଇଦେବା ପାଇଁ ପଞ୍ଚାୟତବାସି ଜିଲ୍ଲାପାଳଙ୍କୁ ଲିଖିତ ଅବଗତ କରିଥିଲେ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏଆରସିଏସ ରଘୁନାଥପୁର ବିଡିଓଙ୍କୁ ଗତ ଦୁଇମାସ ତଳେ ଚିଠି କରିଥିଲେ।ହେଲେ ଅଦ୍ୟାବଧି ସମିତି କାର୍ଯ୍ୟାଳୟ ପାଇଁ ବିଡିଓ ଓ ସ୍ଥାନୀୟ ସରପଞ୍ଚ ଧ୍ୟାନ ଦେଉନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଡିଓ ବିରଞ୍ଚି ନାରାୟଣ ବେହେରା ଉକ୍ତ ପଞ୍ଚାୟତକୁ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ସରପଞ୍ଚଙ୍କ କାର୍ଯ୍ୟବେସ୍ତତା ହେତୁ ଆସନ୍ତା ୪ ଦିନ ମଧ୍ୟରେ ସରପଞ୍ଚଙ୍କ ସହ ଆଲୋଚନା କରି କିଛି ଫୈସଲା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ବିଡିଓଙ୍କ ପ୍ରତିଶ୍ରୁତି ଉପରେ ପଞ୍ଚାୟତବାସୀଙ୍କ ଭରସା ନଆସିବାରୁ ଧାରଣା ଜାରି ରହିଛି।୫ ଦିନ ପରେ ଏହି ଧାରଣା ଅନଶନରେ ପରିଣତ ହେବ ବୋଲି ସାମାଜିକ କର୍ମୀ ସରିତ ମହାପାତ୍ର ଓ ପ୍ରିୟରଞ୍ଜନ ସାହାଣୀ ପ୍ରକାଶ କରିଛନ୍ତି।
