ଆଉ କେତେ ଦିନ
ଆଉ କେତେ ଦିନ…
🔹କବିରତ୍ନ ନୂତନ କୁମାର ବେହେରା
ସବୁ ମଣିଷର ଜୀବନରେ ଦୁଃଖର ସୀମା ନାହିଁ
ଏକ ପରେ ଏକ ସମସ୍ୟାରେ ଛନ୍ଦି ହୋଇ
ସେ ଚିନ୍ତୁ ଥାଏ ସଦା ମୁକୁଳିବାକୁ
ବୁଦ୍ଧି ବିଚାରି କାର୍ଯ୍ୟ କରିଥାଏ ନିରଳସରେ
ଯେବେ ସେ ସଫଳ ହୁଏ ଉଦ୍ୟମ ପ୍ରଚେଷ୍ଟାରେ
ଆତ୍ମ ସନ୍ତୋଷ ଲାଭ କରି ଖୁସିରେ ରହେ
ଯଦି ଆଶା ସ୍ବପ୍ନ ତାର ହୁଏନା ପୂର୍ଣ୍ଣ
ନୈରାଶ୍ୟରେ ହତୋତ୍ସାହ ହୋଇ ଭାଙ୍ଗି ପଡ଼େ
ମନକୁ କହେ… ଆଉ କେତେ ଦିନ…
ସହିବାକୁ ହେବ ଏତେ ସବୁ କଷ୍ଟ ଯନ୍ତ୍ରଣା
କରୁଛି ତ ଯଥାସାଧ୍ୟ ନିଜର ଦକ୍ଷତା ଅନୁସାରେ
ତଥାପି କାହିଁକି ଘୁଞ୍ଚୁ ନାହିଁ ଦୁରବସ୍ଥା
ଆତ୍ମ ସମୀକ୍ଷା କରି ଦେଖେ କେଉଁଠି ରହୁଛି ତ୍ରୁଟି
ସାଧନାରେ ତାର ଅଛି କି କିଛି ଅବହେଳା
ଅନୁଭବ କରି ସୁଧାରି ନେଲେ ଆପଣା ପଣେ
ପୂର୍ବ ପରିସ୍ଥିତି ଜଟିଳରୁ ସରଳ ହୁଏ
ମନକୁ ସ୍ଥିର ରଖି କହେ ନାହିଁ ଆଉ କେତେ ଦିନ…
କାମନାର ଅଗ୍ନିରେ ଯେ ପର୍ଯ୍ୟନ୍ତ ଦଗ୍ଧି ହେଉଥାଏ
ଦିଶେ ନାହିଁ ଆଲୋକର ସୁପଥ ତାକୁ
ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ ପାଇବାର ମୋହ ପଛେ ଧାଏଁ
କେବଳ ଭୋଗ ବିଳାସର କଥା ଭାବେ
ନିଜକୁ ତଉଲି ଅନ୍ୟମାନଙ୍କ ସହିତ
ହୁଏ ବିଚଳିତ…ନେଇ ପାରେନାହିଁ ଠିକ୍ ନିଷ୍ପତ୍ତି
ମାୟାର ଜାଲରେ ହୁଏ ବେଶି ବେଶି ଛନ୍ଦି
ନିରୁପାୟ ହୋଇ କହେ… ଆଉ କେତେ ଦିନ…
ଏମିତି ଦୁର୍ଦ୍ଦଶା ଭୋଗି ଚାଲିଥିବି
ସୁଖ ଶାନ୍ତି ତୃପ୍ତି ଯେ ଏକ ଏକ ମାନସିକ ଅବସ୍ଥା
ସମୟ କ୍ରମରେ ଆସେ ଯାଏ କ୍ରମାଗତ
ରହି ସଚେତନ କରୁଥିଲେ ଠିକ୍ ଠିକ୍ କର୍ମ
ଆତ୍ମ ଦ୍ବନ୍ଦ୍ବରେ ରହେ ନାହିଁ ସେ
ଆଉ କେତେ ଦିନ…ର ଅସମାହିତ ପ୍ରଶ୍ନରେ
ଅଟକି ରହେନା କି ବ୍ୟତିବ୍ୟସ୍ତ ହୁଏନା
ଧୈର୍ଯ୍ୟ ସାହସର ସହିତ ଲଢ଼େ
ନିୟତିର ନିୟମ କେବେ ଏଡ଼ି ହୁଏନାହିଁ
ପ୍ରାକୃତିକ ପ୍ରତିକୂଳ ଆସିଥାଏ ଦେବାକୁ ଶିକ୍ଷା
ଅସଜଡ଼ାକୁ ସଜାଡ଼ିବାରେ ଦିଏ ସୁଯୋଗ
ଜ୍ଞାନକୁ ଉଚିତ କ୍ଷେତ୍ରରେ କରି ସେ କାର୍ଯ୍ୟକାରୀ
ତାର କୃତିତ୍ବ କରିଥାଏ ଅର୍ଜନ
ସବୁରି ଜୀବନରେ ସମସ୍ୟା ଆସିଥାଏ
ନିଜ ନିୟନ୍ତ୍ରଣର ବାହାରେ ଆସେ ଯେତେ
ସେ ନେଇ ରହିଲେ ଉତ୍ତେଜନାରେ
ନିଜ ଭିତରେ ହିଁ ଅସନ୍ତୋଷ ବୃଦ୍ଧି ହେଉଥାଏ
ଅବସାଦରେ ବସି ଏକା ଏକା ଭାବୁଥାଏ
ଆଉ କେତେ ଦିନ…ଆଉ କେତେ ଦିନ
ଦିନ ପରେ ଦିନ ବିତିଯାଏ
ଯଥା ପୂର୍ବ ତଥା ପର ହୋଇ ସେ ରହିଥାଏ
ନିର୍ଦ୍ଦିଷ୍ଟ ସମୟରେ ଲକ୍ଷ୍ୟସ୍ଥଳେ ପହଞ୍ଚି ପାରେନା
ତାକୁ ବାନ୍ଧି ରଖିଥାଏ ଏଇ ଭାବନାଟିଏ
ରହିବାକୁ ହେବ ଏମିତି….ଆଉ କେତେ ଦିନ…
ଆଉ କେତେ ଦିନ ………?
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।
