ଅନଲାଇନ ଉପସ୍ଥାନ ବ୍ୟବସ୍ଥା ବିରୋଧରେ ବିଶାଳ ରାଲି, ବିଇଓ ଅଫିସ ଘେରାଉ ଏବଂ ପ୍ରତିବାଦ ସଭା

ନୟାଗଡ଼,୨/୮: ସରକାରଙ୍କ ପକ୍ଷରୁ ଅନ୍‌ଲାଇନରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୟାଗଡ଼ ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଆଜି ମଧ୍ୟାହ୍ନରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ,ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଏକ ବିଶାଳ ରାଲି ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯାଳୟରୁ ବାହାରି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ଏଠାରେ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସମ୍ପାଦକ ମାଣିକେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ବ୍ଲକ ଓଷ୍ଠା ସଂଘ ସଭାପତି ଅଭିମନ୍ୟୁ ମହାନ୍ତି, ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଓପିଏସ) ସମ୍ପାଦକ ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର, ଏନପିଏସ ସଂଘ ସମ୍ପାଦକ ସୁରେଶ କୁମାର ସେଠି, ଏକ୍ସ କ୍ୟାଡର ସଭାପତି ଭଗବାନ ପଣ୍ଡା ପ୍ରମୁଖ ବିନା ଭିତ୍ତିଭୂମିରେ ରାଜ୍ୟ ସରକାରଙ୍କ ଅନଲାଇନ ଉପସ୍ଥାନ ନିର୍ଦ୍ଦେଶକୁ ଜୋରଦାର ବିରୋଧ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ। ପ୍ରଥମେ ଏ ବାବଦରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରି ଅନଲାଇନ୍ ଉପସ୍ଥାନ ପାଇଁ ଆବଶ୍ୟକ ଉପକରଣ, ୱାଇଫାଇ ସେବା, ଡାଟା ଏଣ୍ଟ୍ରି ଅପରେଟର ବିଦ୍ୟାଳୟ ଗୁଡିକୁ ଯୋଗାଇ ନଦେଇ କେବଳ ଅନଲାଇନ୍ ଉପସ୍ଥାନ ପାଇଁ ଚିଠି କରିଥିବାରୁ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯିବା ସହିତ କୌଣସି ଶିକ୍ଷକ କିମ୍ବା ପ୍ରଧାନ ଶିକ୍ଷକ ଅନଲାଇନରେ ଉପସ୍ଥାନ ନଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବାଦ ସଭାରେ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା ବିପିନ ବିହାରୀ ଦାସ,ପୀତବାସ ପ୍ରଧାନ, ଲକ୍ଷ୍ମୀଧର ସାହୁ,ବିଭୁତି ମିଶ୍ର, ସୌଦାମିନୀ ସ୍ୱାଇଁ, ସଂଗ୍ରାମ କେଶରୀ ସାହୁ,ମୃତ୍ୟଞ୍ଜୟ ଷଡ଼ଙ୍ଗୀ, ଉମେଶ ସ୍ୱାଇଁ,ସଲିମ ଇବ୍ରାହିମ, ଅଶୋକ ମଲ୍ଲ, କାଦମ୍ବିନୀ ମହାପାତ୍ର, ଶୋଭନା ସେଠି,ରବୀନ୍ଦ୍ର ସାହୁ,ବିଶ୍ୱନାଥ ସାହୁଙ୍କ ସମେତ ବ୍ଲକ ସ୍ତରରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଶେଷରେ ମିଳିତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ପ୍ରତିବାଦ ସ୍ଥଳକୁ ଆସି ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *