ସଂପର୍କ ରଜ୍ଜୁରେ ବନ୍ଧା ମଣିଷ

          ସଂପର୍କ ରଜ୍ଜୁରେ ବନ୍ଧା ମଣିଷ
     ( ଆଦ୍ୟ ଓ ପ୍ରାନ୍ତରେ ‘ ସ ‘ ଅନୁପ୍ରାସ )

  ✍🏼କବିରତ୍ନ ନୂତନ କୁମାର ବେହେରା

ସଂପର୍କ ରଜ୍ଜୁରେ ବନ୍ଧା ମଣିଷ …..
ସଦିଚ୍ଛାର ସହିତ ରଖେ ସେଠି ଭରସା ବିଶ୍ଵାସ
ସୁଖ ସମୃଦ୍ଧିର ସିଦ୍ଧି ଓଠରେ ଭରି ଦିଏ ହସ
ସବୁରି କଲ୍ୟାଣରେ ତାକୁ ମିଳିଥାଏ ଯଶ
ସଂସାରରେ ଆତ୍ମା ଆତ୍ମାକୁ ଦିଏ ଶୁଭ ସନ୍ଦେଶ
ସାହାଯ୍ୟ ସହଯୋଗରେ ହୁଅଇ ବିକାଶ
ସ୍ନେହ ସରାଗ ସହାନୁଭୂତି ହୃଦେ ଭରେ ସାହାସ
ସଂପର୍କର ସୁମନ ସଜଫୁଟା ରହି ଦିଏ ସୁବାସ
ସୌହାର୍ଦ୍ଦ୍ୟପୂର୍ଣ୍ଣ ଲାଗେ ସାରା ପରିବେଶ
ଶାନ୍ତି ସନ୍ତୋଷ ପାଇଁ ସଂପର୍କ ବାନ୍ଧେ ମଣିଷ
ସଂଜ୍ଞା ତାର ଅତି ବ୍ୟାପକ ଭାବକୁ ରଖେ ସରସ
ସୂର୍ଯ୍ୟ ରଶ୍ମି ପରି ହୃଦୟ ହୁଅଇ ଉଦ୍ଭାସ
ସଂକୀର୍ଣ୍ଣତାର ତୁଚ୍ଛ କାମନା ହୁଏ ନାଶ
ସଂପର୍କର ଅଦୃଶ୍ୟ ରଜ୍ଜୁ ଆଉ ଲାଗେନା ଫାସ
ସବୁ ସହି ମଣିଷ ଆନନ୍ଦେ କରେ ବସବାସ
ସବୁଜ ସମ୍ଭାବନାରେ ଆଶାର ହୁଏ ପରିପ୍ରକାଶ
ସଫଳତା ହୋଇଥାଏ ସତ୍କର୍ମର ନିର୍ଯ୍ୟାସ
ସଂପର୍କ ରଜ୍ଜୁରେ ବନ୍ଧା ମଣିଷ …….
ସଂଘର୍ଷ କରି ନିଷ୍ଠାରେ ମନ ମନ୍ଥି ପାଏ ପୀୟୂଷ
ସପରିବାର ଏକ ସଂକଳ୍ପରେ କରନ୍ତି ମନ ନିବେଶ
ସ୍ଵାର୍ଥ ବିହୀନ ସଂପର୍କ ଚିରଦିନ ରହେ ବିଶେଷ
ଶିକ୍ଷା ସଂସ୍କୃତି ସଂସ୍କାରରେ ହୋଇଥାଏ କ୍ରମବିକାଶ
ସଂପର୍କକୁ ମଧୁର କରିବା ଜୀବନର ଉଦ୍ଦେଶ
ସକରାତ୍ମକ ଚିନ୍ତାଧାରାରେ ଭାବ ହୁଏ ବିନ୍ୟାସ
ସୃଷ୍ଟିର ବିଧି ବିଧାନ ଚାଲିଛି ଚାଲିଥିବ କ୍ରମଶ
ଶଙ୍କା କିଛି ଆସିଲେ ମନେ ରହେ ଜଣେ ଉଦାସ
ସନ୍ଦେହର ଭୂତାଣୁ ବିଚାର ଶକ୍ତିକୁ କରେ ନିଃଶେଷ
ସ୍ଵପ୍ନର କଢ଼ରେ ହୁଏ ଅବିଶ୍ବାସର କୀଟ ଦଂଶ
ସଂରଚିତ ଆଶା ଆକାଂକ୍ଷାର ସୌଧ ହୁଏ ଧ୍ଵଂସ
ସମ୍ଭ୍ରମ ରଖିବାର ମର୍ଯ୍ୟାଦା ହରାଏ ବଂଶ
ସଂପର୍କର ସିନ୍ଧୁରୁ ଉଠି ବାଡ଼ବାଗ୍ନି କରେ ନାଶ
ସ୍ଵାର୍ଥ ନିକଟରେ ଯେ ମଣିଷ ହୁଏ କ୍ରୀତଦାସ
ସେ ମଣିଷ ରୂପରେ ହୋଇଥାଏ ଏକ ରାକ୍ଷସ
ସଂସାରର ଶତ୍ରୁ ହୋଇ ସମସ୍ତଙ୍କୁ କରେ ନିରାଶ
ସଂପର୍କ ରଜ୍ଜୁରେ ବନ୍ଧା ମଣିଷ……..।

        କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *