ରାତି ଅଳପକୁ ସପନ ବେଶି
ରାତି ଅଳପ’କୁ ସପନ ବେଶି
🖋️କବିରତ୍ନ ନୂତନ କୁମାର ବେହେରା
ଆଖି ତ ମାତ୍ର ଦୁଇଟି ଆସୁନି ତାଙ୍କୁ ଶାନ୍ତିର ନିଦ୍ରା
କୋମଳ ଶେଯରେ ଅଧା ରାତିରେ ଶୋଇ ବି
ଦେହଟା କଡ଼ ଲେଉଟାଏ ଥରକୁ ଥର
ସଞ୍ଜ ନଇଁ ଆସିଲେ ସେ ଦୂର ଆକାଶରେ
ଫୁଲ ଫୁଟିଲା ପରି ତାରା ଫୁଟନ୍ତି କୋଟି କୋଟି
ସପନମାନେ ବି ସେମିତି ଫୁଟି ଉଠନ୍ତି ମହକ ଭରି
ଜହ୍ନ ହସେ ମନ ଖୋଲି ଲଗାଇ ଦିଏ ମୋହିନୀ
ଅଜଣା ରାଇଜରୁ ପରୀ ଓହ୍ଲାଇ ଆସେ
ତାର ସୁନ୍ଦର ହାତରେ ଧରି କୁହୁକର ମନ୍ତ୍ରିତ ବାଡ଼ି
ଧାଡ଼ି ବାନ୍ଧି ଅଝଟ ଅବୋଧ ଶିଶୁମାନଙ୍କ ଭଳି
ସପନମାନେ ସବୁ ଆସନ୍ତି ଧାଇଁ ଧାଇଁ
ପରୀ ସାଥେ ମିଶି ହସିବାକୁ ସଭିଏଁ କିରି କରି
ଛୁ… ମନ୍ତର କରୁ କରୁ ଯା’ନ୍ତି ଯେତେ ଦୂରେଇ
କାହାକୁ ଧରି ରଖି ହୁଏନା ହାତରେ ମୁଠେଇ
କାରଣ ରାତି ଅଳପ’କୁ ସପନ ବେଶି
ଟିକି ଟିକି ଦୁଇ ଆଖିରେ ଜାଗା ଏତେ କାହିଁ ଯେ
ସିନ୍ଧୁକରେ ସାଇତି ପାରିଲା ଭଳି ଧନ ରତ୍ନ
ସାଇତି ରଖିହେବ ଦାମିକା ତାଲାରେ ତାଲା ପକାଇ
ସେ ସବୁ ମରୁର ମରୀଚିକା ଆସି ଦିଅନ୍ତି ଧୋକା
ଭାସିଲା ସୋଲ ହୋଇ ଭାସିଲେ ହୁଏନା କୂଳ ଛୁଇଁ
ଉଦ୍ୟମ ପ୍ରଚେଷ୍ଟାର ପବନ ନ ବାଜିଲେ
ସୋଲ ସେମିତି ଭାସୁଥିବ ପାଣିରେ ଭିଜି ଭିଜି
ପତ୍ତା ମିଳେନା ସତ୍ତା କେଉଁଠି ଯାଏ ହଜି
ଆବେଗରେ ବିଭୋର ହୋଇ ଦେଖିଲେ ସପନ
ତସର ପୋକ ପରି ଖୋଳପା କାଟି ପାରେନା ଆସି
କାରଣ ରାତି ଅଳପ’କୁ ସପନ ବେଶି
ଧାଡ଼ିକୁ ଛାଡ଼ି ରହିଲେ ଧାନରୁ ଅଗାଡ଼ି ହୋଇ
ସମୟର ଚକ଼ ସିନା ଯାଏ ଦୂରକୁ ଗଡ଼ି ଗଡ଼ି
ପାରେନା ସଫଳତାର ଶିଡ଼ିରେ ସେ ପାହାଡ଼ ଚଢ଼ି
ସପନମାନଙ୍କର ବି ଗୋଟେ ଗୋଟେ କା’ ଅଛି
ସେ କା’ କୁ କାୟାରେ ବଦଳାଇବାକୁ ଲୋଡ଼ା ଶ୍ରମ
ଶୋଇ ରହିଲେ ସପନ ସବୁ ମିଛ ଆଉ ମିଛ
ସେ ସପନ କରିବାକୁ ସତ ହେବାକୁ ପଡ଼େ ଜାଗ୍ରତ
ଆଖି ସେତିକି ସପନ ଦେଖୁ… ଯେତିକି ବାସ୍ତବ
ମିଛରେ ଭାବିଲେ ଅଶେଷ ଅସରନ୍ତି ମିଳେନା ଫଳ
ଅସୀମିତ ଭିତରେ ଏ ଜୀବନ ଅଟେ ସୀମିତ
ଅଳ୍ପରେ ବି ମନ ହୁଏ ଶାନ୍ତ ପାଳିଲେ ସତ୍ୟ ସଂକଳ୍ପ
ଅତିରେ ଇତି ନ ହେଉ କରିବାକୁ ଅଶ୍ରୁଳ ବିଳାପ
ମାୟାର ଜାଲେ ବାନ୍ଧି ନ ହୋଇ ଗଣ୍ଡରୁ ଆସୁ ଖସି
ଯେ ହେତୁ ରାତି ଅଳପ’କୁ ସପନ ବେଶି….।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
