ପ୍ରଶାସିକା ଭାବରେ ନୁହଁ ଜଣେ ସେବିକା ଭାବରେ ଲୋକଙ୍କ ସେବା କରିବି।
ବ୍ରହ୍ମଗିରି ୨୧/୧୦ : ବ୍ରହ୍ମଗିରିର ଗୌରବୋଜ୍ଜଳ ଗାରିମାମୟ ଐତିହ୍ୟକୁ ଅବଲୋକନ କଲେ ଜାଣି ହୁଏ ସହସ୍ର କିର୍ତ୍ତୀ କିରୀଟିନୀ ସହସ୍ର ବୀର ପ୍ରସବିନୀ “ବ୍ରହ୍ମଗିରି” ଜନନୀ ଅନେକ ବୀର ପୁରୁଷ ବୀରା ରମଣୀଙ୍କୁ ଜନ୍ମ ଦେଇଛି। ଦେଶ ଜାତିପାଇଁ ଲଢେଇକରି ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଯେପରି ବ୍ରହ୍ମଗିରିର ବୀର ଲଢୁଆ ପାଇକମାନେ ଦେଶମାତୃକାର ସେବା କରିଛନ୍ତି ସେହିପରି ଶିକ୍ଷା,ସଂସ୍କତି, ପରମ୍ପରା, ଧର୍ମର ରକ୍ଷା ପାଇଁ ଅତିବଡି ଜଗନ୍ନାଥ ଦାସ, ରାମାନନ୍ଦ ରାୟ, ବିଶର ମହାନ୍ତି ଆଦି ଐତିହ୍ଯ ପୁରୁଷକୁ ଜନ୍ମ ଦେଇଛି ବ୍ରହ୍ମଗିରି ଜନନୀ। ମାଆ ମାନଙ୍କ ମଧ୍ଯରେ ପ୍ରଥମ ଓଡିଆ ନାରୀ କବି ବୈଷ୍ଣବୀ ମାଧବୀ ଦାସୀ ଏଇ ମାଟିରେ ଜନ୍ମ ହୋଇ ବଜ୍ରବୋଲି ,ଓଡିଆ, ସଂସ୍କୃତ ଭାଷାରେ ଅନେକ ଶାସ୍ତ୍ର ଗୀତ ରଚନା କରି ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଉର୍ଦ୍ଧ୍ୱଗାମୀ ବହ୍ନି ଶିଖା ସମ ବୀର ପୂର୍ବଜଙ୍କ ପଦାନୁସରଣ କରି ଏବର ଯୁବ ପିଢି ସଫଳତା ଆଣି ମାଟିର ଗୌରବ ବୃଦ୍ଧି କରିଛନ୍ତି।ସେହିଭାବରେ ମାଧବୀ ଦାସୀଙ୍କ ମାଟିର ଯୋଗ୍ଯ ଦାୟାଦ ଭାବରେ ସୁଶ୍ରୀ ମିତା ସାହୁ ଓଡିଶା ପ୍ରଶାସନିକ ସେବା OAS ପରୀକ୍ଷାରେ ସଫଳ ହୋଇ ୬୪ ତମ ସ୍ଥାନ ହାସଲ କରିଛନ୍ତି। ସାଧାରଣ ଚାଷୀ ପରିବାରର ଦୁହିତା। ତାଙ୍କର ପିତା ଶ୍ରୀ ନବଘନ ସାହୁ ଜଣେ ଚାଷୀ ମାଆ ଶ୍ରୀମତୀ ଭାନୁମତୀ ସାହୁ ଜଣେ ଗୃହିଣୀ। ଅଭାବ ଅନାଟନ ମଧ୍ଯରେ ସମସ୍ତ ପ୍ରତିକୂଳତାକୁ ଅନୁକୂଳତାରେ ରୂପାନ୍ତରିତ କରି ସେ ସଫଳତା ସାଉଁଟିଛନ୍ତି। ଗାଁ ସରକାରୀ ବିଦ୍ୟାଳୟରେ ପାଠ ପଢି ମାଟ୍ରିକ ପାସ କଲାପରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ସ୍ନାତକ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ପାସ କରିଛନ୍ତି। ସ୍ବକୀୟ ସାଧନା ବଳରେ ସାଧାରଣ ପରିବାରରୁ ଆସି ପ୍ରଥମ ଥର ଓପିଏସସି ପରୀକ୍ଷା ଦେଇ ଉକ୍ତ ସଫଳତା ପାଇଛନ୍ତି। ଏବେ ବି ସୁଶ୍ରୀ ମୀତା ତାଙ୍କର ସାଧନା ଜାରି ରଖିଛନ୍ତି । ଭାରତୀୟ ପ୍ରଶାସନିକ ସେବା IAS ପାଇଁ ପ୍ରସ୍ତୁତ ହେଉଛନ୍ତି। ସୁଶ୍ରୀ ମୀତାଙ୍କ ସଫଳତା ପାଇଁ ଆମେ ଗ୍ରାମବାସୀମାନଙ୍କ ସହିତ ଗୌରବ ଖୁସି ଅନୁଭବ କରୁ।

ବ୍ରହ୍ମଗିରିର ସାଧାରଣଲୋକଙ୍କ ଅନୁଷ୍ଠାନ ବ୍ରହ୍ମଗିରି କ୍ଳବ ବ୍ରହ୍ମଗିରି ସଂସ୍କୃତି, ପରମ୍ପରା, ଐତିହ୍ଯ, ଉନ୍ନୟନ ପାଇ ଯେପରି ସମର୍ପିତ ଭାବରେ କାମ କରେ ସହିପରି ଭାବେ ବ୍ରହ୍ମଗିରିର ଭବିଷ୍ୟତ ପିଢି କିପରି ଆଗକୁ ବଢି ବ୍ରହ୍ମଗିରିର ପୂର୍ବ ଐତିହ୍ଯ ପ୍ରତିଷ୍ଠାକୁ ଆଗକୁ ନେବେ ସେଥି ପାଇଁ ଉତ୍ସାହ ପ୍ରେରଣା ମାର୍ଗଦର୍ଶନ ଦେବା ସହ ଅନେକ କ୍ଷେତ୍ରରେ ସହାୟତା ସହଯୋଗ କରିଥାଏ। ମୀତାଙ୍କ ଓଏଏସ ପ୍ରାପ୍ତି ସଫଳତାରେ ଖୁସି ପ୍ରକଟ କରି ସମ୍ବର୍ଦ୍ଧିତ କରିବା ପାଇଁ କ୍ଲବର କାର୍ଯ୍ଯକର୍ତ୍ତା ତାଙ୍କର ତାଙ୍କର ବାସଭବନରେ ଉପସ୍ଥିତ ହୋଇ ଶ୍ରଦ୍ଧାଶିଷ ବଚନ ପ୍ରଦାନ ପୂର୍ବକ ଫୁଳମାଳ, ଫୁଲତୋଡା, ଉତ୍ତରିୟ ଆଦି ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ମିଠା ଖୁଆଇ ଅଭିନନ୍ଦନ ଜଣାଇ ତାଙ୍କର ପିତାମାତାଙ୍କୁ ସଫଳତା ପାଇଁ ସାଧୁବାଦ ଜଣାଇଥିଲେ। ଓଡିଶା ପ୍ରଶାସନିକ ସେବା ପାଇଁ ନବମନୋନୀତା ସୁଶ୍ରୀ ମୀତା କହିଥିଲେ ମୋର ମାତାପିତା ସମସ୍ତ ଅଭାବ ଅସୁବିଧା ସତ୍ତ୍ବେ ପାଠପଢିବା ପାଇଁ ସକଳ ବ୍ଯବସ୍ଥା କରିଛନ୍ତି। ଚାକିରି କ୍ଷେତ୍ରରେ ନିଜକୁ ପ୍ରଶାସିକା ନଭାବି ସାଧାରଣ ସେବକ ଭାବି ଗରୀବ ସାଧାରଣ ଲୋକଙ୍କ ସେବା କରିବି। ଯେଉଁଠାରେ କାର୍ଯରତ ହେଲେ ମଧ୍ଯ ଜନ୍ମମାଟି ବ୍ରହ୍ମଗିରି ମାନ ରକ୍ଷା ତଥା ବୃଦ୍ଧି ପାଇଁ ଦାୟିତ୍ବବାନ ହେବି। କାର୍ଯ୍ୟକ୍ରମରେ ବ୍ରହ୍ମଗିରି କ୍ଲବର ସଭାପତି ଶ୍ରୀ ବିନାୟକ ପାତ୍ର, ଉପଦେଷ୍ଟା ଶ୍ରୀ ସୁଶାନ୍ତ କୁମାର ଜେନା, ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ, ସହସଂପାଦକ ଶ୍ରୀ ବିପିନ ମହାରଣା, ସଭ୍ଯ ଶ୍ରୀ ଶ୍ରବଣ କୁମାର ବେହରା, ସଭ୍ଯ ଶ୍ରୀ କାଶୀନାଥ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
