ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ l ଆଇସିଏଆର-କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇସିଏଆର-ସିଫା), ଭୁବନେଶ୍ବର ପକ୍ଷରୁ ୩୯ତମ ବାର୍ଷିକ ଦିବସ ଏହାର କୌଶଲ୍ୟାଗଙ୍ଗ କ୍ୟାମ୍ପସ୍‌ରେ ପାଳିତ ହୋଇଯାଇଛି। ଦେଶର ଏହି ପ୍ରମୁଖ ମଧୁରଜଳ ଜୀବପାଳନ ଗବେଷଣା ପ୍ରତିଷ୍ଠାନ ୧୯୮୭ ମସିହାରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ପକ୍ଷରୁ ସ୍ଥାପିତ ହୋଇଥିଲା। ଏହି ବାର୍ଷିକ ଦିବସ ପାଳନ ମଧୁରଜଳ କୃଷି କ୍ଷେତ୍ରରେ ବୈଜ୍ଞାନିକ ନବସୃଜନକୁ ତୃଣମୂଳ ସ୍ତରର ବିକାଶ ସହିତ ସଂଯୋଗ କରିବା ପାଇଁ ପ୍ରତିଷ୍ଠାନର ନିରନ୍ତର ଅଙ୍ଗୀକାରକୁ ପ୍ରତିଫଳିତ କରିଥିଲା।ଏହି ସମାରୋହରେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଏ.ପି.ଦାଶ ମୁଖ୍ୟ ଅତିଥିଭାବ ଯୋଗ ଦେଇ ୩୯ବର୍ଷ ପୂରଣ କରିଥିବାରୁ ସିଫାର କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବାରୁ ସେ ପ୍ରତିଷ୍ଠାନର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହି ପ୍ରତିଷ୍ଠାନ ଗବେଷଣା, ସନ୍ଦର୍ଭ ପ୍ରକାଶନ ଓ ପ୍ୟାଟେଣ୍ଟ କ୍ଷେତ୍ରରେ ଅଗ୍ରଗତି ହାସଲ କରିଥିବା ସହ ଏସବୁ ଗବେଷଣାର ସୁଫଳ ଯେପରି ସମାଜ ନିକଟରେ ପହଞ୍ଚିବ ତାହା ସୁନିଶ୍ଚିତ କରିଛି। ଦୁର୍ବଳ ବର୍ଗଙ୍କ କ୍ଷମତା ବୃଦ୍ଧି, ଉଦ୍ୟମିତାକୁ ପ୍ରେତ୍ସାହନ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁଯୋଗକୁ ପ୍ରେତ୍ସାହନ ଲାଗି ସିଫାର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଆଇସିଏଆରର ଉପ-ମହାନିର୍ଦ୍ଦେଶକ (ମତ୍ସ୍ୟ ବିଜ୍ଞାନ ଏବଂ କୃଷି ଶିକ୍ଷା) ଡକ୍ଟର ଜେ. କେ. ଜେନା କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ ଯେ, ପ୍ରତିଷ୍ଠାନର ଜନ୍ମଦିନରେ, ସେମାନେ ଏହି କ୍ଷେତ୍ରକୁ କ’ଣ ଦେଇପାରିବେ ତାହା ଉପରେ ଚିନ୍ତନ କରିବା ଉଚିତ। ସେ କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତ ୩୪ ନିୟୁତ ଟନ୍ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହାମଧ୍ୟରୁ କେବଳ ମଧୁରଜଳ କୃଷି କ୍ଷେତ୍ରରୁ ୨୫ ନିୟୁତ ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ଏକ ଆହ୍ବାନ ହେଲେ ମଧ୍ୟ, ଏଗୁଡ଼ିକୁ ସାମୂହିକ ଭାବରେ ସୁଯୋଗରେ ପରିଣତ କରିବାକୁ ପଡିବ। ଏହି ଅବସରରେ ଓଡ଼ିଶା ସରକାରଙ୍କ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ରାଉତ, ମତବ୍ୟକ୍ତ କରିଥିଲେ ଯେ ବାର୍ଷିକ ଦିବସ ପାଳନ ପ୍ରତିଷ୍ଠାନର ପୂର୍ବତନ କର୍ମଚାରୀମାନଙ୍କ ଅବଦାନକୁ ସ୍ୱୀକାର କରିବାର ସୁଯୋଗ ମଧ୍ୟ ପ୍ରଦାନ କରେ। ସେ ଜଳକୃଷି ପାଇଁ ଏକ ଏଆଇ ଫ୍ରେମୱାର୍କ ପ୍ରତିଷ୍ଠା କରିବା ଦିଗରେ ଆଇସିଏଆର-ସିଫା ଏବଂ ଓକାକ୍ର ମିଳିତ ପ୍ରୟାସ ଉପରେ ଆଲୋକପାତ କରିଥିଲେ।ସିଫାର ନିର୍ଦ୍ଦେଶକ ଡ. ପି.କେ.ସାହୁ ସ୍ବାଗତ ଭାଷଣ ଦେବା ସହ ୨୦୨୫-୨୬ରେ ପ୍ରତିଷ୍ଠାନର ପ୍ରମୁଖ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ AhRJayanti, AmritCatla, ଏବଂ CIFA GI Scampi ଭଳି ଉନ୍ନତ ମାଛ କିସମର ପ୍ରସାର, ବାୟୋଫ୍ଲକ୍, RAS ଏବଂ ଆକ୍ୱାପୋନିକ୍ସ ମାଧ୍ୟମରେ ଜଳବାୟୁ-ସହନକ୍ଷମ ଜଳକୃଷିରେ ଅଗ୍ରଗତି, ମୂଲ୍ୟବାନ ପ୍ରଜାତିରେ ବିବିଧତା, ଏବଂ ବିଲୁପ୍ତପ୍ରାୟ ପ୍ରଜାତି ମାଛର ପାଳନ ଭଳି ସଂରକ୍ଷଣମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ନୂତନ ପ୍ରଯୁକ୍ତିବିଦ୍ୟା, ପେଟେଣ୍ଟ, ଟିକା, ବାହ୍ୟ ପାଣ୍ଠି ପ୍ରକଳ୍ପ, ତାଲିମ ଏବଂ ଜୀବିକା ସହାୟତା ମାଧ୍ୟମରେ ନବସୃଜନ ଉପରେ ପ୍ରତିଷ୍ଠାନର ନିରନ୍ତର ଗୁରୁତ୍ୱ ଉଲ୍ଲେଖ କରିଥିଲେ।ଏହି ଅବସରରେ ଉପସ୍ଥିତ ବିଶେଷଜ୍ଞମାନେ ୮ଟି ସନ୍ଦର୍ଭ ଓ ଦୁଇଟି ନମୁନା ଉପସ୍ଥାପନ କରିଥିଲେ। ଏହାପରେ ଶ୍ରୀମତୀ ଏସ୍. ସୁଶୀଳାମ୍ମା, ଡ. ଗିରିଶ ଚନ୍ଦ୍ର ଚୌଧୁରୀ, ଡ.ଟି.ରାମପ୍ରଭୁ ଓ ଡ. ବି.ଆର. ମହାନ୍ତିଙ୍କ ସ୍ମୃତିରେ ପ୍ରତିଷ୍ଠିତ ଚାରିଟି ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ICAR-NRRI, ICAR-CIWA, ICAR-CTCRI, ICAR-DPR, OUAT, NFDBର ପ୍ରତିନିଧି ଓ ସିଫାର ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଡ. ଜେ.କେ. ସୁନ୍ଦରାୟ, ମୁଖ୍ୟ, ଏଫଜିବିଡି, ସିଫା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *