ଆଦର୍ଶ ଦିନଚର୍ଯ୍ୟା

         ଆଦର୍ଶ ଦିନଚର୍ଯ୍ୟା

   🖊️କବିରତ୍ନ ନୂତନ କୁମାର ବେହେରା

ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ
ଯେତେ ସମୟ ଯାଏ ତା ହେଉଛି ଦିନଚର୍ଯ୍ୟା
ଜୀବନର ଯାତ୍ରା ପଥକୁ ସୁଗମ କରିବା ପାଇଁ
ଶୃଙ୍ଖଳିତ ଓ ମାର୍ଜିତ ଚରିତ୍ର ଗଢ଼ିବାକୁ
ସବୁରି ଲାଗି ଲୋଡ଼ା ହୁଏ ଆଦର୍ଶ ଦିନଚର୍ଯ୍ୟା
ସଂସାରରେ କେହି କାହାକୁ ଗଢ଼ି
ସବୁ ଦିଗରେ ଉତ୍ତମ କରି ପାରେ ନାହିଁ
ନିଜେ ହିଁ ନିଜକୁ ଗଢ଼ିବାକୁ ହୁଏ ଭଲ କରି
ଆଦର୍ଶ ଦିନଚର୍ଯ୍ୟାରେ ଜଣେ ସମୟକୁ
ଠିକ୍ ଠିକ୍ କରିଥାଏ ବିନିଯୋଗ
ପ୍ରାତଃ ମୁହୂର୍ତ୍ତରେ କରି ଜଣେ ଶଯ୍ୟା ତ୍ୟାଗ
ଚଳ ଚଞ୍ଚଳ ହୋଇ ସାରେ ତାର ନିତ୍ୟକର୍ମ
ଆରାଧ୍ୟ ଦିଅଁଙ୍କୁ ସ୍ମରଣରେ କରି ମନନ ଚିନ୍ତନ
ବିଧି ବିଧାନେ କରେ ପୂଜା ଅର୍ଚ୍ଚନା
ପବିତ୍ର ମନରେ ମାଗେ ତାର ଶୁଭାଶୁଭ
ନିଜକୁ ସେ ପ୍ରସ୍ତୁତ କରି ସମୟାନୁସାରେ
ଜୀବିକା ଅବଲମ୍ବନରେ ଯାଏ ଘରୁ ବାହାରକୁ
କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରେ ନିଷ୍ଠା ପୂର୍ବକ
ସହକର୍ମୀ ମାନଙ୍କ ସହିତ ରଖି ବୁଝାମଣା
ଦିନର ଶ୍ରମ କ୍ଳାନ୍ତି ପରେ ଫେରି ତାର ଗୃହକୁ
ପରିବାର ସହିତ ହସ ଖୁସିରେ ସମୟ ବିତାଏ
ସକାଳରୁ ସଂଜ ଯାଏଁ ଥାଏ ତତ୍ପର
ଆବଶ୍ୟକତା ଅନୁଯାୟୀ କରେ କର୍ତ୍ତବ୍ୟ
ଦିନଚର୍ଯ୍ୟାରୁ ସେ ଶିଖିଥାଏ ସମୟର ବଣ୍ଟନ
ବାଲ୍ୟକାଳରୁ ଯିଏ ଯା କରୁଥାଏ ଅଭ୍ୟାସ
ସେଇ ପ୍ରକାରରେ ହୁଏ ତାର ଭବିଷ୍ୟତ ଚଳଣି
କର୍ମ ସେ କରିଥାଏ ତା’ ଦକ୍ଷତାକୁ ନେଇ
ଦିନଚର୍ଯ୍ୟାର ଅଭିଜ୍ଞତା ଆଣିଦିଏ ଆତ୍ମବିଶ୍ଵାସ
ପ୍ରତ୍ୟେକଙ୍କ ଦୈନନ୍ଦିନର କାର୍ଯ୍ୟ ସବୁ
ସମୂହ କଲ୍ୟାଣ ଉଦ୍ଦେଶ୍ୟରେ ହେବା ବିଧେୟ
ସତ୍କର୍ମରେ ମଣିଷ ହୋଇଥାଏ ଆଦୃତ
ସରସ ସୁନ୍ଦର ଭାବରେ ଗଢ଼ାହୁଏ ତା ଜୀବନ
ଆଦର୍ଶ ଦିନଚର୍ଯ୍ୟାରୁ ମିଳିଥାଏ ସଫଳତା
ଯା’ ବ୍ୟକ୍ତିକୁ କରେ ଉନ୍ନତ ଓ ପ୍ରଭାବଶାଳୀ।

         କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *