ଅମର ପ୍ରେମ

🖊️କବିରତ୍ନ ନୂତନ କୁମାର ବେହେରା

ଶାଶ୍ବତ ସତ୍ୟ ଚିରନ୍ତନ ଅଟେ ଅମର ପ୍ରେମ
ତାର ସଂଜ୍ଞା ବଦଳି ଯାଇ ହୁଏ ନାହିଁ ବ୍ୟତିକ୍ରମ
ସେ ଚିର ଅମ୍ଳାନ ରହି ଥାଏ ଜାଜ୍ଜ୍ୱଲ୍ୟମାନ
ଜନ୍ମ ଜନ୍ମାନ୍ତରର ଏ ଅତୁଟ ସ୍ଵର୍ଗୀୟ ବନ୍ଧନ
ଭାବ ଭାଷାରେ ବ୍ୟାଖ୍ୟା କରନ୍ତି ଅନେକେ
ଅନ୍ଧାରରୁ ଆସି ପ୍ରକାଶିତ ହୁଏ ଆଲୋକେ
ଶଙ୍କା ସନ୍ଦେହ ଅବିଶ୍ଵାସ କରନ୍ତିନି ଯେଉଁମନେ
ଶାଶ୍ଵତ ପ୍ରେମକୁ କଳୁଷିତ କରନ୍ତିି ସେଇମାନେ
ଯେଉଁମାନଙ୍କ ମନ ନିର୍ମଳ ହୃଦୟ ପବିତ୍ର
ଅନାବିଳ ନିଷ୍କଳଙ୍କ ରହିଥାଏ ତାଙ୍କର ଚରିତ୍ର
ସେମାନେ ପ୍ରକୃତ ପ୍ରେମ କରିଥାନ୍ତି ପରସ୍ପରକୁ
କଦାପି ଭୁଲି ରହି ପାରନ୍ତିନି କେହି କାହାକୁ
କେବେ ଦିଅନ୍ତିନି ଧୋକା କରନ୍ତିନି ପ୍ରତାରଣା
ଅକ୍ଳେଶରେ ଘୁଞ୍ଚଇ ତାଙ୍କ ଭାଗ୍ୟର ବିଡ଼ମ୍ବନା
ଅପରିବର୍ତ୍ତିତ ରହିଥାଏ ଏ ଐଶ୍ଵରୀକ ସିଦ୍ଧାନ୍ତ
ଅମର ପ୍ରେମ ପବିତ୍ର ଆତ୍ମାରୁ ହୁଏନା ଅନ୍ତ
ପ୍ରେମ ବ୍ୟାପକରେ ଅସୀମ ଅତୁଳନୀୟ
ପାର୍ଥିବ ସଂସାରକୁ ସଦା କରିଥାଏ ମଧୁମୟ
ଆତ୍ମା ଆତ୍ମାର ମିଳନରୁ ଝରି ଆସେ ଅମୃତ
ପ୍ରେମର ବନ୍ଧନରେ ଚାଲେ ଏ ସାରା ଜଗତ
ତା’ ବିନା ଜୀବନର ନାହିଁ କିଛି ଶାନ୍ତି କି ତୃପ୍ତି
ଅମର ପ୍ରେମରୁ ସ୍ଵର୍ଗୀୟ ସୁଖ ହୁଏ ପ୍ରାପ୍ତି
ମାଆ ବାପାଙ୍କ ପ୍ରେମଠାରୁ ପ୍ରିୟାତମାର ପ୍ରେମ
ବଞ୍ଚିବାକୁ ଦିଏ ପ୍ରେରଣା ରହିଥାଏ ଅନୁପମ
ଅମର ପ୍ରେମ ଚିର ଅକ୍ଷୟ ନାହିଁ ତା’ର ସମାପ୍ତି
ସ୍ଥୂଳରୁ ସୂକ୍ଷ୍ମ ସତ୍ତାର ଏ ଶକ୍ତି ସର୍ବତ୍ରେ ବ୍ୟାପ୍ତି
ଅମର ପ୍ରେମର ଗାଥା ରହେ ଚିର ସ୍ଵଚ୍ଛ ଅମ୍ଳାନ
ଆତ୍ମାର ସଂସ୍କାରରେ ହୁଅଇ ଭଗବତ ଦର୍ଶନ
ଆତ୍ମ ଅନୁଚିନ୍ତାରେ ଅନୁଭୂତ ହୁଏ ଜୀବନ ତତ୍ତ୍ଵ
ସାଧକେ ସାଧିଥାନ୍ତି ହୃଦବୋଧ କରି ତା’ ମହତ୍ତ୍ଵ
ସାଧନାର ସିଦ୍ଧି ପରିଣାମରେ ହୁଅଇ ଅନୁପମ
ଜୀବନକୁ ସାର୍ଥକ କରିଥାଏ ଏଇ ଅମର ପ୍ରେମ।

  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
         ନବସୃଜନ ଇ-ପତ୍ରିକା,
   କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *