ସକଳ ଜୀବରେ
ସକଳ ଜୀବରେ
ଏକଇ ବ୍ରହ୍ମ ବାସ କରେ
🖊️କବିରତ୍ନ ନୂତନ କୁମାର ବେହେରା
ଏ ସାରା ସୃଷ୍ଟିରେ
ହୁଏ ଯା’ ପ୍ରତି ମୁହୂର୍ତ୍ତରେ,
ସମୟ ସ୍ରୋତରେ
ବହେ ତା ଅବାଧ ଗତିରେ।
ଦିଶେ ଯା’ ସଂସାରେ
ଜଳ ସ୍ଥଳରୁ ଆକାଶରେ,
କେ କେତେ ରୂପରେ
ତାର ଆତ୍ମଶକ୍ତି ବିସ୍ତାରେ।
ସକଳ ଜୀବରେ
ଏକଇ ବ୍ରହ୍ମ ବାସ କରେ,
ସ୍ଵଭାବ ଗୁଣରେ
ରହେ ଭିନ୍ନ ଭିନ୍ନ ପ୍ରକାରେ।
ଆହାରେ ବିହାରେ
ନିଜ ଜୀବନ ରକ୍ଷା କରେ,
ତା’ ପରିବେଶରେ
ଚଳେ ସେ କେତେ ଉପାୟରେ।
ଭାବ ଅନୁସାରେ
ଥାଏ ପ୍ରକୃତିର ବଶରେ,
ଶ୍ରମ ସାଧନାରେ
ନିଜ ଧର୍ମ ପାଳନ କରେ।
କୀଟ ପତଙ୍ଗରେ
ପଶୁପକ୍ଷୀ ବୃକ୍ଷ ଲତାରେ,
ଜୀବ ଶରୀରରେ
ବ୍ରହ୍ମ ରହେ ଆତ୍ମା ରୂପରେ।
ସବୁରି ମଧ୍ୟରେ
ମାନବ ଶ୍ରେଷ୍ଠ ଦୁନିଆଁରେ,
ବୁଦ୍ଧିରେ ଜ୍ଞାନରେ
ସାରା ଜଗତ ଜିଣି ପାରେ।
ଚିନ୍ତି ବିବେକରେ
ଚାଲେ ତା’ ଲକ୍ଷ୍ୟ ଠିକଣାରେ,
ନିଜ ଦକ୍ଷତାରେ
ତା’ର ଅଭାବ ଦୂର କରେ।
ଜୀବ ଜଗତରେ
ବ୍ରହ୍ମ ଯେ ସବୁରି ଉର୍ଦ୍ଧରେ,
ରହି ସବୁ ଠାରେ
ସବୁକୁ ନିୟନ୍ତ୍ରଣ କରେ।
ଏକଇ ବ୍ରହ୍ମରେ
ପ୍ରଭୁ ଅଛନ୍ତି ତିନି ପୁରେ,
ତାଙ୍କ ଇଙ୍ଗିତରେ
ସଂସାର ଚାଲେ ନିରନ୍ତରେ।
କର୍ମ ଅନୁସାରେ
ଜୀବ ତା’ ଫଳ ଭୋଗ କରେ,
ସୁଖରେ ଦୁଃଖରେ
ରହିଥାଏ ସେ ବନ୍ଧନରେ।
ମହତ ବିଚାରେ
ସତ୍ୟ ନିଷ୍ଠା ଯିଏ ଆଚରେ,
ଜନ୍ମ ଜନ୍ମାନ୍ତରେ
ଲୀନ ହୁଏ ସେ ପରମରେ।
ସମାନ ଦୃଷ୍ଟିରେ
ଭାବ ରଖି ନିଜର କରେ,
ମନରେ ପ୍ରାଣରେ
ରହେ ନିଃଚିନ୍ତ ନିର୍ବିକାରେ।
ଭାବ ଭକତିରେ
ତା’ ଜୀବନ ସାର୍ଥକ କରେ,
ପ୍ରଭୁଙ୍କ କୃପାରେ
ଭବ ସଂସାରରୁ ସେ ତରେ।
ସେ ବ୍ରହ୍ମ ପୟରେ
ଧ୍ୟାନ ରହୁ ଏକ ଲୟରେ,
ତାଙ୍କ ଆଶିଷରେ
ଭବ ବିଷାଦ ଯାଉ ଦୂରେ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା, ମୟୂରଭଞ୍ଜ।
