ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ ଓ କଲରାବାଙ୍କ ସ୍ମାର୍ଟ ଗ୍ରାମ ଲୋକାର୍ପଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଲରାବାଙ୍କ ଠାରେ ନବନିର୍ମିତ କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସପିଟାଲର ଉଦ୍‍ଘାଟନ କରିବା ସହ କଲରାବାଙ୍କ ସ୍ମାର୍ଟ ଗ୍ରାମର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ନିଜ ଗାଁ ଓ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିର ସନ୍ତକ । ଅଚ୍ୟୁତ ସାମନ୍ତ ଯେଭଳି ଭାବେ ଉତ୍ସର୍ଗୀକୃତ ହୋଇ ନିଜ ଗାଁ ଓ ଜନ୍ମମାଟି୍ ପାଇଁ ଯେତେସବୁ କାର୍ଯ୍ୟ କରୁଛନ୍ତି ସେଥିପାଇଁ ସେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ହେଉଛି ଆମର ମନ୍ତ୍ର । ଓଡ଼ିଶାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କୁ କିମ୍‌ସ୍ ଭଳି ଘରୋଇ ଅନୁଷ୍ଠାନଗୁଡ଼ିକ ସହଯୋଗ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜଭୂତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ସ୍ୱାଗତ ଭାଷଣ ଦେଇ ଅଚ୍ୟୁତ ସାମନ୍ତ ସାମନ୍ତ କହିଲେ, ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରଗତିର ରଥ ଆଗେଇ ଛାଲିଛି । ପ୍ରତ୍ୟେକ ଗାଁରେ ସହରୀ ସୁବିଧା କରାଇବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଏଥିରେ ଅନୁପ୍ରାଣୀତ ହୋଇ ଆମେ କଲରାବାଙ୍କରେ କିମ୍‌ସ ଗ୍ରାମାଂଚଳ ହସ୍‌ପିଟାଲ୍ ଆଜି ଉଦ୍‌ଘାଟିତ ହୋଇଥିବା ବେଳେ ଓଡ଼ିଶାର ୧୯ଟି ସ୍ଥାନରେ କିମ୍‌ସ ଗ୍ରାମାଂଚଳ ହସ୍‌ପିଟାଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।ଏଥିରେ ୩୫୦ଜଣ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ପରୋକ୍ଷ ରୋଜଗାର ପାଇପାରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ । ପ୍ରତ୍ୟେକ ହସ୍‍ପିଟାଲ୍‍ ୧୦୦ ଶଯ୍ୟା ବିଶିଷ୍ଟ ହେବାକୁ ଥିବାବେଳେ ପ୍ରତି ହସ୍‍ପିଟାଲ୍‍ ନିର୍ମାଣରେ ୫୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ ବୋଲି ଶ୍ରୀ ଯୁକ୍ତ ସାମନ୍ତ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶା ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ କୃଷି ଆଦି ସମସ୍ତ କ୍ଷେତ୍ରରେ ଅଗ୍ରଗତି କରିଛି । ଅଚ୍ୟୁତ ସାମନ୍ତଙ୍କ ପାଇଁ ଆଜି କଲରାବାଙ୍କ ପାଇଁ ଆମ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ । ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଥିଲେ ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୯ଟି ଗ୍ରାମାଞ୍ଚଳ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *