କଳାକାର ଭତ୍ତା ବୃଦ୍ଧି ହେଉ

ବରିଷ୍ଠ କଳାକାର ମହାସଂଘ ବ୍ରହ୍ମପୁର, କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ଏକ ବନ୍ଧୁ ମିଳନ ବୈଠକ ସୋରଡ଼ା ଜଗନ୍ନାଥ ମନ୍ଦିର ପରିସରସ୍ଥ ‘ଗୀତଗୋବିନ୍ଦ’ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଳାକାର ଉମାଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଉପସ୍ଥିତ କଳାକାର ମାନଙ୍କୁ ଉଦବୋଧନ କ୍ରମରେ କଳାକାର ଭତ୍ତା ପରିମାଣ ବୃଦ୍ଧି କରାଯିବା ନେଇ ଦାବି ଉପସ୍ଥାପନ ସହ ରାଜ୍ୟରେ କଳାକାର ଭତ୍ତା ଅନ୍ୟୁନ ପାଞ୍ଚ ହଜାର ଏବଂ କେନ୍ଦ୍ରରେ ଦଶ ହଜାର ହେବା ଆବଶ୍ୟକ ଓ ଏହି ମର୍ମରେ ମହାସଂଘ ପକ୍ଷରୁ ଉଭୟ ସରକାରଙ୍କୁ ପତ୍ର ସମ୍ପର୍କ କରାଯିବ ବୋଲି ବ୍ୟକ୍ତ କରିଥିଲେ। ବରିଷ୍ଠ କଣ୍ଠଶିଳ୍ପୀ ପ୍ରଦୀପ କୁମାର ସାହୁ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସୋରଡ଼ା ବ୍ଲକ ଶାଖା ସଭାପତି ରାଧାକୃଷ୍ଣ ଦାଶ, ଅଭିନେତା କୃଷ୍ଣ ଚନ୍ଦ୍ର ଗୌଡ଼ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରାଜ୍ୟର ଲୁପ୍ତ ପ୍ରାୟ କେତେକ ମହାର୍ହ ଲୋକ ନାଟକ ପାଇଁ ଉଦବେଗ ପ୍ରକାଶ କରିବା ସହ ତାହାର ଯଥାଯଥ ସଂରକ୍ଷଣ ଓ ପ୍ରସାର ପ୍ରତି ରାଜ୍ୟ ସଂସ୍କୃତି ବିଭାଗ ଦୃଷ୍ଟି ଦେବା ଉଚିତ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ସୋରଡ଼ା ଅଂଚଳର ବହୁ କଳାକାର ଉପସ୍ଥିତ ରହି ବୈଠକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ସୋରଡ଼ା ଶାଖା ସଂଘ ସମ୍ପାଦକ ସଂଗୀତ ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *