ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତଃର୍ଜାତୀୟ ମହିଳା ଦିବସ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ବରେ ଆନ୍ତଃର୍ଜାତୀୟ ମହିଳା ଦିବସ ଏକ ନିରାଡମ୍ବର ପରିବେଶ ମଧ୍ୟରେ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ଦିବସଟି ମହାଶିବରାତ୍ରୀ ଏବଂ କାଉନ୍ସିଲ ପରୀକ୍ଷା ଯୋଗୁଁ ଆଠ ମାର୍ଚ୍ଚ ପରିବର୍ତ୍ତେ ଆଜି ବିଳମ୍ବରେ ହେଲେ ମଧ୍ୟ ଆନୁଷ୍ଠାନିକ ରୂପେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଅଧିକାରୀ ଚନ୍ଦନ ମାରାଣ୍ଡି, ପବିତ୍ର ଧଙ୍ଗଡାମାଝି ଏବଂ ଶ୍ରୀମତୀ ମଞ୍ଜୁ ଡାକୁଆ ଏବଂ ଯୁବ ରେଡକ୍ରସ (ୟାଇଆରସି)ର ଉପଦେଷ୍ଟା ଦ୍ବୟ ରାଜେଶ କୁମାର ସାହୁ ଏବଂ ଡ. ଅଜିତ୍ କୁମାର ମୁନୀଙ୍କ ସୌଜନ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସମସ୍ତ ମହିଳା ଅଧ୍ୟାପିକା ଏବଂ କର୍ମଚାରୀ, ଛାତ୍ରୀ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ନାରୀ ସଶକ୍ତିକରଣର ବାର୍ତ୍ତା ରଖିଥିବା ବେଳେ ମଞ୍ଚାସୀନ ଅଧ୍ୟାପିକା ଶ୍ରୀମତୀ ସେଇଲ୍ କୁମାରୀ ଝା ନିଜ ଅଭିଭାଷଣରେ ସମାଜରେ ନାରୀମାନେ ସମ୍ମାନର ସହ ବଞ୍ଚିବାକୁ ହେଲେ ପ୍ରଥମେ ପୁରୁଷମାନଙ୍କ ମାନସିକ ସ୍ତରକୁ ସଜାଡ଼ିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଚଳିତ ବର୍ଷ ଆନ୍ତଃର୍ଜାତୀୟ ମହିଳା ଦିବସର ତଥ୍ୟ ନାରୀ ଓ ପୁରୁଷ ଲିଙ୍ଗଗତ ଭେଦଭାବରୁ ବର୍ତ୍ତୀ ସମନତା ସ୍ଥାପନ କରିବା ଦ୍ବାରା ହିଁ ଏକ ଉଜ୍ଜ୍ବଳମୟ ଭବିଷ୍ୟତର ବିନ୍ୟାସ ଉପରେ ମଧ୍ୟ କହିଥିଲେ। ସୁତରାଂ ଏଥି ପ୍ରତି ସରକାରଙ୍କୁ ମଧ୍ୟ ଅନେକ ପ୍ରକାରର ପଦକ୍ଷେପ ନେବାକୁ ପଡିବ ବୋଲି ସେ ଦୃଢ଼ୋକ୍ତି ରଖିଥିଲେ। ମଞ୍ଚାସୀନ ଅଧ୍ୟାପିକା ଡ. ସସ୍ମିତା ପାତ୍ର ପୌରାଣିକ ଯୁଗରୁ ହିଁ ନାରୀମାନଙ୍କ ସ୍ବତନ୍ତ୍ର ସତ୍ତା ରହିଆସିଛି। ନାରୀଙ୍କ ବିନା ସହଯୋଗରେ ପୁରୁଷଙ୍କ ଅସ୍ଥିତ୍ବ ରହେ ନାହିଁ ବୋଲି ମତ ରଖି ସ୍ବୟଂ ମହାପ୍ରଭୁ ଜଗନ୍ନାଥ କିପରି ଦେବୀ ଲକ୍ଷ୍ମୀଙ୍କ ବିନା ଶ୍ରୀହିନ ହୋଇଯାଇଥିଲେ ତାହାର ନିତ୍ସକ ଉଦାହରଣ ପ୍ରତିପାଦନ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ ପୃଥିବୀର ସମସ୍ତ ଶକ୍ତି ନାରିତ୍ବ ଉପରେ ପର୍ଯ୍ୟବେଷିତ ବୋଲି ସୂଚାଇ ଥିଲେ। ଓଡିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଡ. ସ୍ମିତାରାଣୀ ପଣ୍ଡା ସମାଜରେ ନାରୀ ସଶକ୍ତିକରଣରେ ପୁରୁଷମାନଙ୍କ ଭୂମିକା ଅତୀବ ମହତ୍ବପୂର୍ଣ୍ଣ ବୋଲି କହିଥିଲେ। ନାରୀ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବ ହୋଇ ପାରିଲେ ହିଁ ଦେଶ ଉନ୍ନତିରେ ଆଉ କୌଣସି ବାଧକ ରହିପାରିବନି ବୋଲି ମଧ୍ୟ କହିଥିଲେ। ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ସମସ୍ତ ମହିଳା ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ‘ଯତ୍ର ନାର୍ୟସ୍ଥୁ ପୁଜ୍ୟନ୍ତେ ରମନ୍ତେ ତତ୍ର ଦେବତା’ର ସନ୍ଦେଶ ରଖିଥିଲେ ଏବଂ ଉପହାର ପ୍ରଦାନ ଦ୍ବାରା ସମ୍ମାନିତ କରିଥିଲେ। ପରିଶେଷରେ ଶ୍ରୀମତୀ ମଞ୍ଜୁ ଡାକୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *