କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଧର୍ମଘଟରେ ସାମିଲ୍

ଢ଼େଙ୍କାନାଳ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍‌ମାନେ ତଥା ଏଆଇଟିୟୁସିର ଆହ୍ୱାନ କ୍ରମେ କେନ୍ଦ୍ରର ମୋଦି ସରକାରଙ୍କ କୁଶାସନ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ହେଉଥିବା ଦେଶବ୍ୟାପୀ ଧର୍ମଘଟରେ ନିଳ ଓଡିଶା ଅଙ୍ଗନଓ୍ବାଡି କର୍ମୀସଂଘ, ଢେଙ୍କାନାଳ ସଦର ବ୍ଲକ୍ ତରଫରୁ ଦିନିକିଆ ଧର୍ମଘଟରେ ଯୋଗଦେଇ ୮ ଦଫା ଦାବୀ ନେଇ ଜିଲ୍ଲାପାଲଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିଲେ । ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନଙ୍କ ସଂଘ ତରଫରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଥିଲେ । ପ୍ରକାଶଥାଉକି ଚଳିତ ମାସର ଆରମ୍ଭରେ କେନ୍ଦ୍ର ସରକାରଙ୍କର ବଜେଟ୍ ଉପସ୍ଥାପନରେ ଅଙ୍ଗନଓ୍ବାଡି କର୍ମୀ, ଓଡିଶାରେ ପାଚିକାମାନଙ୍କ ପାଇଁ ମାସିକ ଭତା ବୃଦ୍ଧିର କୌଣସି ରୂପରେଖ ନଥୁବାରୁ ବାଧ୍ଯ ହୋଇ ରାଜରାସ୍ତାକୁ ଓହ୍ଲାଇ ବିଭିନ୍ନ ଦାବୀ କରିଛନ୍ତି । ଯଥା -ଅଙ୍ଗନଓ୍ବାଡି କର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକା, ଆଶାକର୍ମୀ ମାନଙ୍କୁ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଭିତରେ ଓ୍ବାର୍କର ମାନ୍ୟତା ପ୍ରଦାନ, ମାସିକ ୨୬ ହଜାର ଟଙ୍କା ଦରମା ପ୍ରଦାନ, ମାସିକ ୧୦ ହଜାର ଟଙ୍କା ପେନ୍‌ସନ୍‌ ପ୍ରଦାନ, ଏସ୍ଏନ୍‌ପିର ଦର ସଂଶାଧନ କରି ବୃଦ୍ଧି କରିବା, ପ୍ରାକ୍ ବିଦ୍ୟାଳୟ ଶିଶୁ ଓ ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର କରାଯାଉ ଇତ୍ୟାଦି ଦାବୀ ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଆଇଟିୟୁସିର ସଭାପତି ଜମ୍ବେଶ୍ବର ପୃଷ୍ଟିଙ୍କ ସଭାପତିତ୍ୱରେ ସଭା ପରିଚାଳନା କରାଯାଇଥୁଲା । ଏଥିରେ ଏଆଇଟିୟୁସିର ସମ୍ପାଦକ ନାରାୟଣ ନାୟକ, ନିଷ୍ଫଳ ଓଡିଶା ଅଙ୍ଗନଓ୍ବାଡି କର୍ମୀ ସଂଘର ସାଧାରଣ ସମ୍ପାଦିକା ହରପ୍ରିୟା ସାଇଁ, ବ୍ଲକ୍ ସଭାପତି ସୁଜାତା ନାୟକ, ସମ୍ପାଦିକା ଭାରତୀ ନାଏକ, ପୂର୍ଣିମା ତ୍ରିପାଠୀ, ବିଷ୍ଣୁପ୍ରିୟା ବରାଳ, ସୁନିତା ବେହେରାଙ୍କ ସମେତ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ଜିଲ୍ଲା ସଭାପତି ରବି ରଥ, ବ୍ଲକ୍ ସଭାପତି ଶାନ୍ତିପ୍ରିୟା ସାହୁ, ସମ୍ପାଦିକା ଶୁଭାସିନୀ ବେହେରା, ସସ୍ମିତା ରାଉତଙ୍କ ସହିତ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଯୋଗଦେଇ ଗୋପବନ୍ଧୁ ଟାଉନ୍ ହଲ୍ ଠାରୁ ବାହାରି ଏକ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ ।

Leave a Reply

Your email address will not be published. Required fields are marked *