ଆଇପିଏଲ-୨୦୨୩ : ଆଜି ଗୁଜୁରାଟ୍‌ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ର ମଙ୍ଗଳବାର ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭ଟାରେ ସପ୍ତମ ମ୍ୟାଚରେ ଡିପେଣ୍ଡିଂ ଚମ୍ପିଆନ୍‌ ଗୁଜୁରାଟ୍‌ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଗୁଜୁରାଟ୍‌ ଟାଇଟନ୍ସ ଦଳଗତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ମନସ୍ଥ କରିଛି । ଗତ ସିଜନରେ ଟାଇଟନ୍ସ ଦଳର ପ୍ରତି ଖେଳାଳି ଭଲ ଖେଳ ପ୍ରଦର୍ଶନ କରିଥିଲେ । ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅନ୍ତିମ ଭାଗରେ ରସିଦ ଖାନ ଓ ରାହୁଲ ତେୱାତିଆ ଦଳକୁ ବିଜୟୀ କରାଇଥିଲେ । ଟାଇଟନ୍ସ ଆଜିର ମ୍ୟାଚ୍‌ରେ ଏକାଦଶରେ ପରିବର୍ତ୍ତନ କରିବ । କେନ ୱିଲିୟମସନ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଡେଭିଡ୍‌ ମିଲର ସାମିଲ ହୋଇପାରନ୍ତି । ଗତ ସିଜନରେ ମିଲରଙ୍କ ପ୍ରଦର୍ଶନ ବଳରେ ଟାଇଟନ୍ସ ଦଳ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ସେ ଦଳ ସହ ଯୋଗ ଦେଇଛନ୍ତି । ତେଣୁ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ।

ସେପଟେ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ହାରିଥିଲା । ବିଶେଷ କରି ବୋଲିଂ ବିଭାଗ ବେଶ୍‌ ଦୁର୍ବଳ ଥିବାର ଦେଖିବାକୁ ମିଳିଥିଲା । ଖଲିଲ ଅହମ୍ମଦ, ମୁକେଶ କୁମାର ଓ ଚେତନ ସକରିୟାଙ୍କୁ ନେଇ ଗଠିତ ପେସ୍‌ ବିଭାଗ ଖୁବ୍‌ ରନ୍‌ ଖର୍ଚ୍ଚ କରିଥିଲେ । ୧୨ ଓଭରରେ ଏହି ପେସ୍‌ ବାହିନୀ ୧୧୭ ରନ୍‌ ପ୍ରଦାନ କରିଥିଲା । ଦକ୍ଷିଣ ଆଫ୍ରିକାର ଦୁଇ ପେସ୍‌ ବୋଲର ଆନରିଚ ନର୍ଜ ଓ ଲୁଙ୍ଗି ଏନ୍‌ଗିଡ଼ି ଦଳରେ ଯୋଗ ଦେଇଥିବାରୁ କ୍ୟାପିଟାଲ୍ସର ବୋଲିଂ ଶକ୍ତି ବୃଦ୍ଧି ହୋଇଛି । ପ୍ରଥମ ମ୍ୟାଚ୍‌ରେ କ୍ୟାପିଟାଲ୍ସର ବ୍ୟାଟରମାନେ ବିଫଳ ହେବା ପରାଜୟର ମଧ୍ୟ ଅନ୍ୟତମ କାରଣ ରହିଥିଲା । ପୃଥ୍ୱୀ ଶ’, ମିଚେଲ ମାର୍ଶ, ସର୍ଫରାଜ ଖାନ ଓ ରୋଭାମାନ ପାୱେଲ ଦକ୍ଷତା ମୁତାବକ ପ୍ରଦର୍ଶନ କରିନଥିଲେ । ଟାଇଟନ୍ସ ପାଇଁ ଉପଯୁକ୍ତ ରଣନୀତି ମଧ୍ୟ ପ୍ରସ୍ତୁତ ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭାବ୍ୟ ଦଳ : ପୃଥ୍ୱୀ ଶ’, ଡେଭିଡ ୱାର୍ଣ୍ଣର (ଅଧିନାୟକ), ମିଚେଲ ମାର୍ଶ, ସର୍ଫରାଜ ଖାନ, ମନୀଷ ପାଣ୍ଡେ, ରୋଭମାନ ପାୱେଲ, ଅମନ ଖାନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଆନରିଜ ନର୍ଜ, ମୁକେଶ କୁମାର/ଚେତନ ସକରିୟା ।

ଗୁଜୁରାଟ ଟାଇଟନ୍ସ ସମ୍ଭାବ୍ୟ ଦଳ : ରିଦ୍ଧିମାନ ଶାହା, ଶୁଭମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍‌ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ଅଲଜାରୀ ଜୋଶେଫ, ଜୋସୁଆ ଲିଟିଲ, ମହମ୍ମଦ ସାମି ।

Leave a Reply

Your email address will not be published. Required fields are marked *