ସ୍ୱାଧୀନତା ଦିବସ ପାଳନରେ ଅବ୍ୟବସ୍ଥା
ସ୍ୱାଧୀନତା ଦିବସ ପାଳନରେ ଅବ୍ୟବସ୍ଥା
ତ୍ରିରଙ୍ଗା ପତାକାକୁ ଅସମ୍ମାନ
ଚୟନରେ ପକ୍ଷପାତିତା
ଅନଭିଜ୍ଞ ଜଜ୍ ଙ୍କୁ ନେଇ ଅସନ୍ତୋଷ
କୋଣାର୍କ – କୋଣାର୍କ ଏନଏସି ପକ୍ଷରୁ କଲ୍ୟାଣ ମଣ୍ଡପରେ ମହା ଆଡ଼ମ୍ବରରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଣି ବୋତଲ ଓ ଟିଫିନ୍ ପ୍ୟାକେଟ ପ୍ରଦାନ ନେଇ ପାତରଅନ୍ତର, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଅଭାବ, ବିଭିନ୍ନ ପ୍ରତିଯୋଗିତାରେ ଅନଭିଜ୍ଞ ଜଜ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସହ ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା ପତାକାକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ କଲ୍ୟାଣ ମଣ୍ଡପ ପରିସରରେ ଏନଏସି ଅନ୍ତର୍ଗତ ସମସ୍ତ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମାନେ ଯୋଗ ଦେଇଥିଲେ। କିଛି ଛାତ୍ରଛାତ୍ରୀ ପ୍ୟାରେଡରେ ଭାଗ ନେଇଥିବା ବେଳେ ଅନ୍ୟମାନେ ବିଭିନ୍ନ ପ୍ରତିଯୋଗିତା ଭାଗନେବା ଓ ଦେଖିବା କାରଣରୁ ଆସିଥିଲେ। କିନ୍ତୁ ଏନଏସି ପକ୍ଷରୁ ପ୍ୟାରେଡ ପରେ ପଡିଆରେ ଗ୍ରୁପ କରି ପଲିଥିନ ପ୍ୟାକେଟ ରେ କେବଳ ପ୍ୟାରେଡ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପାଣି ବୋତଲ ଓ ସେଉ ବୁନ୍ଦିଆ ପ୍ୟାକେଟ ବାଣ୍ଟି ଥିଲେ। ଆସିଥିବା ଅନ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପାଣି ବୋତଲ ଟିକେ ପାଇ ନଥିଲେ। ପ୍ରବଳ ଗୁଳୁଗୁଳି କାରଣରୁ ଅସ୍ତବ୍ୟସ୍ତ ହେଉଥିଲେ। ଏତେ ବଡ଼ କାର୍ଯ୍ୟକ୍ରମ ରେ ଫାଷ୍ଟଏଡ କିମ୍ବା ପ୍ରାଥମିକ ମେଡ଼ିକାଲ ଚିକିତ୍ସା ବ୍ୟବସ୍ଥା ନଥିଲା। କେତେକ ଛାତ୍ର ଛାତ୍ରୀ ମାନଙ୍କ ଆଙ୍ଗୁଠି ଫାଟି ଯାଇଥିଲେ ମଧ୍ଯ ବାଣ୍ଡ୍ ଏଡ ଟିଏ ବି ମିଳିଲା ନାହିଁ । ଏହି ଅବସରରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଉପଯୁକ୍ତ ବିଷୟରେ ଅଭିଜ୍ଞତା ନଥିବା ଅନଭିଜ୍ଞ ଓ ଅଯୋଗ୍ୟ ଜଜ୍ ମାନଙ୍କ ଦ୍ଵାରା ମାର୍କିଙ୍ଗ କରାଯାଇଥିଲା। ଯାହା ଫଳରେ ଶ୍ରେଷ୍ଠ ଚୟନରେ ପକ୍ଷପାତିତା ଅଭିଯୋଗ ହୋଇଛି। ଯାହାକୁ ନେଇ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପରିଶେଷରେ ଏନଏସି ର କର୍ମଚାରୀ ଓ କୋଣାର୍କ ଏନଏସିରେ କେତେକ ରାଜନୈତିକ ନେତାଙ୍କ ଅପାରଗ କାରଣରୁ ତ୍ରିରଙ୍ଗା ପତାକାକୁ ଅସମ୍ମାନ କରାଯାଇ ତେଣ୍ଟ ପଛ ପଟେ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଲକ୍ଷାଧିକ ଟଙ୍କା ରାଜ୍ୟ ସରକାରଙ୍କ ରାଜକୋଷ ଓ ଏନଏସି ପାଣ୍ଠି ରୁ ଖର୍ଚ୍ଚ ହେଉଥିଲେ ମଧ୍ୟ ଅସାଧୁ ଉପାୟରେ ଅର୍ଥ ହରିଲୁଟ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା ହେଉ ନଥିବାରୁ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏପରି ଅବ୍ୟବସ୍ଥା, ଅନଭିଜ୍ଞ ଓ ଅଯୋଗ୍ୟ ଜଜ୍ ମାନଙ୍କ ପାଇଁ କେତେକ ସ୍କୁଲ୍ ସ୍ଵାଧୀନତା ଉତ୍ସବରେ ଭାଗ ନେବା ପାଇଁ କୁଣ୍ଠାବୋଧ କରୁଥିବା ଜଣାପଡିଛି। କେତେକ ସ୍ଵାର୍ଥଖୋର କର୍ମଚାରୀ ମାନଙ୍କ ପାଇଁ ଓ ପରିଚାଳନାଗତ ତୃଟି ଯୋଗୁଁ କୋଣାର୍କ ଏନଏସି ବଦନାମ୍ ହେଉଥିବା ଚର୍ଚ୍ଚା ହେଉଛି।
