ସଂପୂର୍ଣ୍ଣ ହୋଇପାରୁନି ୪୫ ବର୍ଷ ତଳର ଡିମିରି ନାଳ ହଣାଡିହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ
ଦଶପଲ୍ଲା ବ୍କକ୍ ଅନ୍ତର୍ଗତ କଳଶାଖମଣ ଗ୍ରାମପଞ୍ଚାୟତର ହଣା ଡିହ ଗ୍ରାମ ନିକଟସ୍ଥ ଡିମିରି ନାଳ ଉପରେ ଏକ ଆଡ଼ିବନ୍ଧ ବିଗତ ୪ ଦଶନ୍ଧି ପୂର୍ବରୁ ଓଡିଶା ରାଜ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହଣାଡିହ ଗ୍ରାମଠାରୁ ଠୁକେଇ ସାହି ଗ୍ରାମ ପର୍ଯ୍ୟନ୍ତ ଥିବା ପଥର ଗଡ଼, କାଣି ପଦର, ଉଲି ସାହି, ଡିମିରି ସାହି, ଖମାରୀ ସାହି, ନୂଆ ସାହି ତଥା ମାଝି ସାହି ର ପ୍ରାୟ ୧୦୦ ହେକ୍ଟର୍ ଚାଷଜମିରେ ଜଳସେଚନ ସୁବିଧା ହେବା ସହିତ ପ୍ରାୟ ୨୦୦ରୁ ଅଧୂକ ଚାଷୀ ପରିବାରଙ୍କୁ ଅଧିକ ଆୟ କ୍ଷମ କରାଇପାରିବ ।
ଅନୁସଂଧାନରୁ ଜଣାଯାଏ ଯେ, ଡିମିରି ନାଳଟି ଚାଷ ଉପଯୋଗୀ ଭୂମିସ୍ତରରୁ ବହୁତ ଗଭୀର ସ୍ତର ଦେଇ ପ୍ରବାହିତ, ଫଳରେ ଏଠାରେ ପ୍ରାୟ ୨୦ଫୁଟ ଉଚ୍ଚତା ଏବଂ ୬୦ ଫୁଟ ଲମ୍ବାର ପକ୍କା ଆଡ଼ିବନ୍ଧଟିଏ ନିର୍ମାଣ ହେବାର ଆବଶ୍ଯକତା ଥିବାବେଳେ ଗରୀବ ନିରୀହ ମାଳୁଆ ଚାଷୀଙ୍କୁ ଠକି ଦେଇ ନାଳ ଭିତରେ ଜମି ପଡନଠାରୁ ନିଚ୍ଚ କମ୍ ଉଚ୍ଚତା ରେ ଏକ ବନ୍ଧବାନ୍ଧି ପ୍ରତି ଯୋଜନାରେ ସରକାରୀ ପାଣ୍ଠିରୁ ଅର୍ଥ ଅପବ୍ୟୟ କରିଚାଲିଛନ୍ତି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ । ବନ୍ଧ ମରାମତି ତଥା କେନାଲ ନିର୍ମାଣ ଦେଖାଇ ଏଠାରେ ସରକାରଙ୍କର ଅର୍ଥକୁ ବାରଂବାର ବାଟମାରଣା କରାଚାଲିଛି ଅଥଚ ଉପଭୋକ୍ତା ଜଳକା ହୋଇ ସବୁ ଦେଖି ଚାଲିଛନ୍ତି । ଏହା କିଛି ସରକାରୀ ବାବୁ ଏବଂ ଠିକାଦାରଙ୍କ ଭାତହାଣ୍ଡୀ ବୋଲି ସ୍ଥାନୀୟ ଅଧିବାସୀ ବିତୃଷ୍ଣାରେ କହୁଥିବାବେଳେ ନୟାଗଡ଼ ଜିଲ୍ଳାପାଳ ଏବଂ କନ୍ଧମାଳ ସାଂସଦ ମହୋଦୟ ଏଥିପାଇଁ ସଦୟ ଦୃଷ୍ଟି ଦେବାକୁ କଳଶାଖମଣ ମାଳବାସୀ ପ୍ରଜାଗଣ ଆଶା ଏବଂ ନିବେଦନ କରୁଛନ୍ତି ।
