ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ
କାକଟପୁର -୨୭/୦୨- କାକଟପୁର ମା’ମଙ୍ଗଳା ବରିଷ୍ଠ ନାଗରିକ ସଂଘର ୯ମ ବାର୍ଷିକ ଉତ୍ସବ ଓ ନୂତନ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଚନ୍ଦନ ବଜାର ଖୁଣ୍ଟିଆ କନଭେସନର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରୁ ପ୍ରଭୂ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଅତିଥି ମାନେ ଉପସ୍ଥିତ ଶତାଧିକ ବରିଷ୍ଠ ମାନଙ୍କର ନିରାମୟ ସ୍ବଛନ୍ଦ ଜୀବନ କାମନା କରିଥିଲେ। ସ୍ଥାୟୀ ସଭାପତି ପ୍ରଭାକର ଖୁଣ୍ଟିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କାକଟପୁର ଆଇଆଇସି ବସନ୍ତ କୁମାର ସାହୁ ଯୋଗଦେଇ ବରିଷ୍ଠ ମାନଙ୍କୁ ସାମାଜିକ ସ୍ତରରେ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଆଇନଗତ ସହାୟତା ପାଇଁ ଥାନାର ଅଧିକାରୀ ଭାବରେ ସେ ଉପସ୍ଥିତ ବରିଷ୍ଠ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବରିଷ୍ଠ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ସ୍ବାଇଁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ କ୍ଷେତ୍ରମୋହନ ଦାଶ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ।

ସଂଘର ମୁଖ୍ୟବକ୍ତା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଭାତ କୁମାର ତରାଇ, ସମ୍ମାନୀତ ଅତିଥି ଭାବେ ପଣ୍ଡିତ କାଳନ୍ଦୀ ଛାଟୋଇ, ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଜୀବନର ପରିଣତ ବୟସରେ ବରିଷ୍ଠ ପିତାମାତାଙ୍କ ଉଚ୍ଚାରଣ ଓ ଆଚରଣରେ ସଂଯମତା ରକ୍ଷାକରିବା ଉପରେ ଗୁରୁତ୍ୱ ଦେବା ସହ ପୁତ୍ର ଓ ପୁତ୍ରବଧୂ ମାନଙ୍କ ଦ୍ଵାରା ପୀଡ଼ିତ ପିତାମାତାଙ୍କୁ ସାମାଜିକ ନ୍ୟାୟ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ସାଧୁ ଚରଣ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ପୁରୀ ଜିଲ୍ଲା ପୋଲିସ୍ ଅନୁମୋଦନ କ୍ରମେ ବଶିଷ୍ଠ ନାଗରିକ ପରିଚୟପତ୍ର ପ୍ରଦାନ କରାଯାଇଥିଲା।
