ରାସ୍ତା ନିର୍ମାଣ ପାଇଁ ବି ଡି ଓ ଙ୍କୁ ଦାବୀ ପତ୍ର ପ୍ରଦାନ
ଧରାକୋଟ,5/5/25କେଉଁ ଉପାନ୍ତ ଅଞ୍ଚଳ ନୁହଁ , ଖୋଦ ଧରାକୋଟ ଗଡର ମେଡିକାଲ ଛକ ରୁ କୋଠରୀ ସାହି କୁ ଯିବା ରାସ୍ତାର ସ୍ଥିତି ସାମାନ୍ୟ ବର୍ଷା ହେଲେ ବେହାଲ ହୋଇ ଉଠୁଛି । ସାମାନ୍ୟ ବର୍ଷା ହେଲେ ରାସ୍ତା ସାରା କାଦୁଅ, ପଙ୍କ,ବାଲି,ଗୋଡ଼ି ରେ ଭର୍ତ୍ତି ହୋଇଯାଉଛି । ଯାହା ଫଳରେ ଏହି ରାସ୍ତାରେ ଯିବା ଆସିବା ସମ୍ଭବ ହେଉନାହିଁ । କାଦୁଅ ରାସ୍ତାରେ ଗୋଡ଼ ଖସି ପଡିବା ଯୋଗୁଁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଗତ ବୁଧବାର ଦିନ ର କାଳ ବୈଶାଖୀ ବର୍ଷା ଯୋଗୁଁ ଏହି ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେବା ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତା ପାର୍ଶ୍ବ ର ଡ୍ରେନ ଅବରୋଧ ହୋଇ ରହିଥିବାରୁ ଏଥିରେ ବର୍ଷା ପାଣି ସଠିକ ଭାବେ ନିସ୍କାସନ ହୋଇପାରୁନାହିଁ । ଏଣୁ ରାସ୍ତା ଉପରେ କାଦୁଅ ଓ ପଙ୍କର ଆସ୍ତରଣ ଜମିବା ଯୋଗୁଁ ଲୋକେ ଏଥିରେ ସାହି ଭିତରକୁ ଯାଇପାରି ନଥିଲେ । ଫଳରେ ଲୋକେ ଉତ୍ତେଜିତ ହୋଇ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । କୋଠରୀ ସାହି ଲୋକେ ଏ ସମ୍ପର୍କରେ ଏକ ଦାବିପତ୍ର ବି ଡି ଓ,ତହସିଲଦାର ଓ ଥାନା ଅଧିକାରୀଙ୍କୁ ପ୍ରଦାନ କରି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବୀ କରିଛନ୍ତି । ପ୍ରକାଶ ଯୋଗ୍ୟ ଧରାକୋଟ ଗଡର କୋଠରୀ ସାହିକୁ ଯିବାପାଇଁ ମେଡିକାଲ ପାଚେରୀ କୁ ଲାଗି ଏକ ରାସ୍ତା ରହିଛି । ଏହି ରାସ୍ତା ଦେଇ ପିଲା ମାନେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର କୁ ଯାଉଥିବା ବେଳେ ଲୋକେ ସେବା ସମବାୟ ସମିତି,କୋଠରୀ ମନ୍ଦିର ସହ ସାହି ଭିତରକୁ ଯିବା ଆସିବା କରନ୍ତି । କିନ୍ତୁ ରାସ୍ତାଟି ଖାଲୁଆ ହୋଇ ରହିଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହୋଇ ସ୍ଥିତି ବେହଲ ହୋଇ ଯାଉଛି । ଏଣୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବୀ ହେଉଛି ।
