କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନଙ୍କ ପ୍ରତି ଅଙ୍ଗୁଳି ପ୍ରଦର୍ଶନ ଆସମିଚୀନ

ବ୍ରହ୍ମପୁର, ତା. ୨୨/୦୪ : ସମ୍ପ୍ରତି ଆମ ରାଜ୍ୟରେ ଦେଖା ଦେଇଥିବା ଯଲିଉଡ୍ ହଇଚଇ ନେଇ କଳା ଓ କଳାକାର ହିତୈଷୀ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସୁରଳ ଜଙ୍କସନ୍ ସ୍ଥିତ ସୁରେଶ ହସ୍ପିଟାଲ ପରିସରରେ ଆୟୋଜିତ ବୈଠକରେ ସାମ୍ପ୍ରତିକ ଯଲିଉଡ୍ ସମସ୍ୟାର ଆସୁ ସମାଧାନ କାମନା କରାଯାଇଥିଲା। କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ, ସମାଜ ସୁଧାରକ। ସେମାନେ ଯେତିକି ଶାନ୍ତ-ସରଳ, ସେତିକି ସ୍ୱାଭିମାନୀ। ତାକୁ କେହି ନିଜ ସ୍ୱାର୍ଥ ସିଦ୍ଧି ନିମନ୍ତେ ଅବହେଳା ପ୍ରଦର୍ଶନ କରିବା ସର୍ବାଦୌ ଅସମିଚୀନ। କତିପୟ ଯାତ୍ରା ମାଲିକ ରୂଢିବାଦୀ ହୁକୁମାତୀ ଯାହା ଚଳେଇଛନ୍ତି ତାହା ଅତୀବ ନିନ୍ଦନୀୟ। ମାଲିକ ଓ କଳାକାର ଉଭୟେ ଗୋଟିଏ ମୁଦ୍ରାର ଦିଓଟି ପାର୍ଶ୍ୱ। ଏମାନଙ୍କ ଭିତରେ ସୁସମନ୍ୱୟ ରହିଲେ କଳାର ମଙ୍ଗଳ, ସମାଜର ମଙ୍ଗଳ ସାଧିତ ହୋଇପାରିବ। ଦେବତାମାନେ ବି ଭୁଲ କରନ୍ତି। ମନୁଷ୍ୟ ମାତ୍ର କେତେକେ? କୋଉ ମାଲିକ କିମ୍ବା କଳାକାରର ଭୁଲ ହେଇଛି ନିଶ୍ଚିତ। କିନ୍ତୁ ତାକୁ ଉଦାର ହୃଦୟରେ ଗ୍ରହଣ କରି ଆପଣା ବ୍ୟବସାୟ କିମ୍ବା ବୃତ୍ତି ତଥା ସମାଜର ଅଭିବୃଦ୍ଧି ଦିଗରେ ପ୍ରଧାବିତ ହେବା ବୁଦ୍ଧିମାନର କାମ। ଉଭୟ ସଂଘ ସମ୍ମିଳିତ ଭାବେ ଆପୋଷ ବୁଝାମଣା ଭିତରେ ଆପଣା ସମସ୍ୟାର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିବା ଏକ ମାତ୍ର ପନ୍ଥା। ଦୋଷୀ ଉଚିତ ଦଣ୍ଡ ଭୋଗୁ, ମାତ୍ର ତାହା ଉଭୟ ପକ୍ଷର ଆପୋଷ ବୁଝାମଣା ଭିତରେ ହେଉ। ଏଠାରେ ଆମକୁ ସ୍ମରଣ ରଖିବାକୁ ହେବ, କଳାକାରମାନେ ଆଜି ନିଃଶ୍ୱ ନୁହନ୍ତି, ସେମାନଙ୍କ ସହିତ କଳାକାର ସଂଘ ରହିଛି। ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଡାକ୍ତର ସୁରେଶ ଚୌଧୁରୀ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ସମାଜସେବୀ କୁରା ଗୌଡ଼ ପ୍ରମୁଖ ବୈଠକ ଆଲୋଚନାରେ ଅଂଶ ଗ୍ରହଣ କରି “ସବୁ କଳାକାର ଏକ ପରିବାର” ନ୍ୟାୟରେ ସମସ୍ତ କଳାକାର ସଂଘ ମନସ୍କ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ମହେନ୍ଦ୍ର କୁମାର ସାହୁ, କୁନୁ ବେହେରା, ଜି. କାମରାଜୁ ପାତ୍ର, ଦୀପକ କୁମାର ପ୍ରଧାନ, ସୁମତି ସାହୁ, କଳ୍ପନା ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *