କାଞ୍ଚି ବିଜୟରେ ଜଗନ୍ନାଥ
କାଞ୍ଚି ବିଜୟରେ ଜଗନ୍ନାଥ
ଡ. ପ୍ରେମାନନ୍ଦ ବେହେରା
ନୀଳାଚଳର ନିସ୍ତବ୍ଧ ରାତ୍ରିରେ
ଦୁଇଟି ଛାୟା ଆଗକୁ ବଢ଼ିଲେ
ନା ମହାରାଜା, ନା ସେନାପତି,
ହାତରେ କେବଳ
କରୁଣା ଓ କୃପାର
ଆୟୁଧ ବହନ କରି ।।
କଳା ଘୋଡ଼ାରେ କଳା ଠାକୁର,
ଧଳା ଘୋଡ଼ାରେ ଧଳା ଭାଇ…
କାଳିଆ ଓ ବଳିଆ
ନିଜେ ଯାତ୍ରାରେ ବାହାରିଲେ
ଭକ୍ତର ମର୍ଯ୍ୟାଦା ରକ୍ଷା ପାଇଁ ।।
ମାଟିର ପଥ ହୋଇଗଲା ମନ୍ତ୍ର
ଧୂଳିରେ ଲେଖାଗଲା ଇତିହାସ
ଯେଉଁଠି ରାଜନୀତି ହାରିଗଲା
ଏବଂ ଭକ୍ତି
ବିଜୟର ଧ୍ୱଜ ଉଡ଼ିଲା ।।
କାଞ୍ଚିର ଦ୍ୱାରେ ଦଣ୍ଡାୟମାନ
ସେନା ନୁହେଁ…
ଦଣ୍ଡାୟମାନ ଥିଲା
ମାନବ ଅହଂକାର
ଜଗନ୍ନାଥ ଦୃଷ୍ଟିରେ
ଯାହା ଲୋପ ପାଇଗଲା ।।
ନା ତଳୱାର ଅବା କିଛି ଅସ୍ତ୍ର
କେବଳ ନ୍ୟାୟର ଆଲୋକ
କେବଳ ଧର୍ମର ଶବ୍ଦ….
ସେଇ ଶବ୍ଦରେ ଭାଙ୍ଗିଗଲା
କାଞ୍ଚିର ଅହଂକାରୀ ଦ୍ୱାର ।।
କାଞ୍ଚି ବିଜୟ ମାନେ
ରାଜ୍ୟର ଜୟ ନୁହେଁ
ଏହା ହେଉଛି
ଭକ୍ତିର ଜୟ
ନ୍ୟାୟର ଜୟ
ଧର୍ମର ଜୟ
ଏବଂ ଜଗନ୍ନାଥଙ୍କ
ଲୀଳାମୟ ଅନନ୍ତ କଥା ।।
ହେ କାଳିଆ ସାଆନ୍ତ !
ଆଜି ବି
ଯେବେ ଅପମାନ ହୁଏ ଧର୍ମର
ତୁମେ ନିଶ୍ଚୟ ଚାଲିଆସ
ନିରବରେ,
କଳା ଘୋଡ଼ାରେ….
ଭକ୍ତର ଅଶ୍ରୁକୁ
ବିଜୟରେ ପରିଣତ କରିବାକୁ ।।
ପଦ୍ମପୁର, ବରଗଡ଼
