ଜାଗର ଅହୋରାତ୍ର ସାଂସ୍କୃତିକ ସମାରୋହ ଅନୁଷ୍ଠିତ
ପୁରୀ ୮/୩ ଆଜି ପବିତ୍ର ମହାଶିବରାତ୍ରି ଅବସରରେଶ୍ରୀ ଶ୍ରୀ ଲୋକନାଥ ମନ୍ଦିର ପ୍ରାଙ୍ଗଣ ଲୋକାରଣ୍ୟ ହୋଇ ଉଠିଥିଲା।ପ୍ରାତଃ କାଳରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଧାଡ଼ି ରେ ରହି ଶ୍ରୀ ଲୋକନାଥ ଙ୍କ ଦର୍ଶନ କରିଥିଲେ।ରାତ୍ରି ସାରା ଭକ୍ତ ମାନେ ମନ୍ଦିର ଚତୁର୍ପାଶ୍ୱ ରେ ଉଜାଗର ରହି ଦୀପ ଜାଳି ଥିଲେ।ମନ୍ଦିର ନିକଟସ୍ଥ ଜାଗରପଦା ଠାରେ ଶ୍ରୀଶ୍ରୀ ଲୋକନାଥ ଦେବ ସାସ୍କୃତିକ ସଂସଦ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଜାଗର ଅହୋରାତ୍ର ସାସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହାକୁ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଉଦଘାଟନ କରିଥିଲେ।ଆମ ସଂସ୍କୃତି ରେ ଜାଗରର ମହତ୍ତ୍ଵ ବେଶ ଗୁରୁତ୍ୱପୂର୍ଣ୍ଣ।ଶିବ ଚତୁର୍ଦ୍ଦଶୀ ଅବସରରେ ପ୍ରଭୁ ଙ୍କୁ ପୂଜା ଓ ସମର୍ପଣ ପାଇଁ ଶ୍ରଦ୍ଧାଳୁ ମାନେ ନିଷ୍ଠା ଓ ଭକ୍ତି ର ସହ ପୁରା ରାତି ଉଜାଗର ରହି ପ୍ରଭୁ ଙ୍କ ପ୍ରତି ସମର୍ପିତ ଭାବ ରଖିଥାନ୍ତି।ଏହି ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସେମାନଙ୍କ ମନରେ ଅଧିକ ଭକ୍ତି ଭାବ ଓ ଶାନ୍ତି ସୃଷ୍ଟି କରିବ ବୋଲି ଉପଜିଲ୍ଲାପାଳ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ବିବେକାନନ୍ଦ ସାହୁ, ସହଦେବ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଆଇନଜୀବୀ କୈଳାସ ପରିଡା,ସମ୍ପାଦକ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଶ୍ରୀଶ୍ରୀ ଲୋକନାଥ ଦେବ ସାଂସ୍କୃତିକ ସଂସଦର ସଭାପତି ରବି ନାରାୟଣ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଉପସଭାପତି ରାଜେଶ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ପରେ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ,ଗୀତିନାଟ୍ୟ ଓ ଭଜନ ଇତ୍ୟାଦି ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
