ବାବା ବାଲିକପିଳେଶ୍ଵର ପୀଠରେ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ
ବାବା ବାଲିକପିଳେଶ୍ଵର ପୀଠରେ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ l ରାତି ୨ଟାରେ ଉଠିବ ମହାଦୀପ # ଭଙ୍ଗା ହାଡ଼ ଯୋଡ଼ା ପାଇଁ ପ୍ରସିଦ୍ଧ ଶୈବପୀଠ କୋଣାର୍କ – ପୁରୀ କୋଣାର୍କ ବେଳାମାର୍ଗ ସଂଲଗ୍ନ ତରକୋର ପଞ୍ଚାୟତରେ ଅବସ୍ଥିତ ତଥା ଭଙ୍ଗା ହାଡ଼ ଯୋଡ଼ା ପାଇଁ ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ବର ପୀଠରେ ପବିତ୍ର ଜାଗର ଯାତ୍ରା ବା ମହାଶିବରାତ୍ରି ପାଳନ ନିମନ୍ତେ ଶୁକ୍ରବାର ଅପରାହ୍ନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଉପଜିଲ୍ଲାପାଳଙ୍କ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ, ବ୍ଯାରିକେଟ ନିର୍ମାଣ, ଶ୍ରଦ୍ଧାଳୁଙ୍କ ପାଇଁ ନିରବଛିନ୍ନ ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା, ଆମ୍ବୁଲାନ୍ସ, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ସୂଚନା କେନ୍ଦ୍ର, ସ୍ୱେଚ୍ଛାସେବୀ ମୁତୟନ, ସ୍ବଚ୍ଛତା ପରିମଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମେତ ଠାକୁରଙ୍କ ନୀତିକାନ୍ତି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା। ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ବାବା ବାଲିକପିଳେଶ୍ବର ପୀଠରେ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁରକ୍ଷା ନିମନ୍ତେ ବ୍ଯାପକ ପୁଲିସ ମୁତୟନ ଉପ ଜିଲ୍ଲାପାଳ ଶ୍ରୀ ଜେନା ଗୁରୁତ୍ବାରୋପ କରିଥିଲେ। ସେବାୟତ ଓ ଉନ୍ନୟନ କମିଟି, ତରୋକୋର ପଞ୍ଚାୟତ ଓ ଗ୍ରାମ୍ୟ କମିଟି ସହିତ ଆଲୋଚନା ପରେ ଠାକୁରଙ୍କ ନୀତି ନିର୍ଦ୍ଧାରଣ କରାଯାଇଛି। ଜାଗର ଭୋର ସମୟରୁ ଦ୍ୱାରଫିଟା ନୀତି, ମଙ୍ଗଳ ଆଳତି, ସ୍ନାନ ଚନ୍ଦନ ବେଶ, ବାଳ ଭୋଗ ପରେ ଭୋର୍ ୪ ରୁ ସର୍ବସାଧାରଣ ଦର୍ଶନ, ଖେଚୁଡ଼ି ଧୂପ, ଆଳତି, ଦିବା ୨ ଘଟିକା ରେ ମଧ୍ୟାହ୍ନ ସ୍ନାନ, ଖିରିଧୂପ, ଆଳତି, ସନ୍ଧ୍ୟା ଆଳତି, ରାତ୍ର ସ୍ନାନ, ବେଶ, ରାତିରେ ମନ୍ଦିର ସୋଧ, ହରିହର ଭେଟ, ପରେ ରାତି ୨ ଟାରେ ମହାଦୀପ ମନ୍ଦିର ଉପରକୁ ଉଠିବା ନେଇ ନୀତି ନିର୍ଦ୍ଧାରଣ କରାଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ଗୋପ ଅତିରିକ୍ତ ତହସିଲଦାର ସତ୍ୟଜିତ ନାୟକ, ତରକୋର ଗ୍ରାମ କମିଟି ସଭାପତି ଦୁର୍ଯ୍ୟଧନ ଖଟୋଇ, ଯୁବନେତା ବିଜେପି ମଣ୍ଡଳ ସଭାପତି ଦିଲୀପ କୁମାର ପ୍ରଧାନ, ଗୋପ ଅଗ୍ନିଶମ ଅଧିକାରୀ ମନୋଜ କୁମାର ପାତ୍ର, ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡ଼ା, ସମାଜସେବୀ ଗୋପାଳ ଚନ୍ଦ୍ର ବେହେରା, ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, ସୁତନ ସରପଞ୍ଚ ପ୍ରତିନିଧି ରମାକାନ୍ତ ବେହେରା, ତରକୋର ସରପଞ୍ଚ ସୁଶାନ୍ତ କୁମାର ପରିଡା , ନିରଞ୍ଜନ ବେହେରା, ସୁତନ ସମିତି ସଭ୍ୟ କାଶିନାଥ ନାୟକ, ସେବାୟତ ସଭାପତି କୈଳାସ ଚନ୍ଦ୍ର ପଣ୍ଡା, ଉପ ସଭାପତି ଗଗନ ନାୟକ, ମନ୍ଦିର ସେବାୟତ ସମ୍ପାଦକ ମଦନ ମୋହନ ମହାପାତ୍ର, ପ୍ରସାନ୍ତ ସାହୁ, ବାଦଲ ବେହେରା, ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗର ସହାୟକ ଯନ୍ତ୍ରୀ ପ୍ରଭାତ ଚନ୍ଦ୍ର ବେହେରା, ୱାଟକୋ ଯନ୍ତ୍ରୀ ଧର୍ମେନ୍ଦ୍ର ପଟ୍ଟନାୟକ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସମେତ ସେବାୟତ, ବିଭିନ୍ନ କମିଟିର ସଦସ୍ୟ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
