ବେପାରୀ ଧାନକୁ ଜବତ କଲେ ଜଗତସିଂହପୁର ଉପଜିଲ୍ଲାପାଳ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ୍ ଅନ୍ତର୍ଗତ କନିମୂଳ ଗ୍ରାମ ପଞ୍ଚାୟତର ମତ୍ତଗଜପୁର ଗ୍ରାମର ବାସିନ୍ଦା ନୃସିଂହ ଦାସ ଙ୍କ ଘର ଚଢାଉ କରିଥିଲେ ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଶାନ୍ତ ତରାଇ। ଚଢାଉ ସମୟରେ ନୃସିଂହ ଦାସଙ୍କ ଘରୁ ତିନିଶହ ଧାନ ବସ୍ତା ବାହାରିଥିଲା ଯାହାକି ନୃସିଂହ ଦାସଙ୍କ ଚାଷ ଜମି ତୁଳନାରେ ବହୁତ ଅଧିକ ଥିଲା। ତଦନ୍ତ ବେଳେ ନୃସିଂହ ଦାସ, ଉପ ଜିଲ୍ଲାପାଳଙ୍କ ସମ୍ମୁଖରେ ସ୍ବୀକାର କରିଥିଲା କି ସେ ଧାନ ବେପାର କରିବା ଉଦ୍ଦେଶ୍ୟରେ ଏମ୍ଏସ୍ପି ମୂଲ୍ୟ ଠାରୁ ବହୁ କମ୍ ଦରରେ ଚାଷୀ ମାନଙ୍କଠାରୁ ଏହି ଧାନ କିଣିଥିଲା। ଧାନର ଅଭାବୀ ବିକ୍ରିକୁ ରୋକିବା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ, ତିନିଶହ ଧାନ ବସ୍ତା ଅର୍ଥାତ୍ ୧୫୦ କ୍ଵିଣ୍ଟାଲରୁ ଉର୍ଦ୍ଧ୍ବ ଧାନକୁ ଜବତ କରି ନୃସିଂହ ଦାସ ବିରୋଧରେ ଏକ ମାମଲା ରୁଜ୍ଜୁ କରାଇଥିଲେ।

ଉପଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟାନୁଷ୍ଠାନ ଅନ୍ୟ ଧାନ ବେପାରୀ ମାନଙ୍କ ମଧ୍ୟରେ ନିଶ୍ଚୟ ଭୟ ସୃଷ୍ଟି କରିବ ମାତ୍ର ମଣ୍ଡିରେ କ୍ଵିଣ୍ଟାଲ ପିଛା ୪/୬ କେଜି ଧାନ ଗରିବ ଚାଷୀ ଠାରୁ ହଡ଼ପ କରୁଥିବା ମିଲର ମାନଙ୍କ ଉପରେ କେତେ ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା। କାରଣ ଜଗତସିଂହପୁର ଜିଲ୍ଲାର ସମସ୍ତ ଚାଷୀ ମାନଙ୍କଠାରୁ ମିଲର ମାନେ କେବଳ ଧାନ ବାବଦରେ କୋଟି କୋଟି ଟଙ୍କା ଲୁଟିନେବେ। ଯେଉଁଭଳି ଭାବେ ନୃସିଂହ ଦାସ ଘର ଚଢାଉ ହେଲା ସେହିଭଳି ମଣ୍ଡିରେ ମିଲରର ଧାନ ଭର୍ତ୍ତି ଟ୍ରକ୍ କେବେ ଚଢାଉ ହେବ ଚାଷୀମାନେ ଅପେକ୍ଷା କରି ରହିଛନ୍ତି।
