ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ
ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ବ୍ରହ୍ମପୁର:-୦୬/୦୫ ସୋମବାର ପ୍ରଧାନମନ୍ତ୍ରୀ ଭୁବନେଶ୍ୱରସ୍ଥିତ ରାଜଭବନରୁ ବାହାରି ସକାଳ ପ୍ରାୟ ୧୦ଟା ୩୦ ସୁଦ୍ଧା ହେଲିକପ୍ଟର ଯୋଗେ ବ୍ରହ୍ମପୁରର କନିଷିରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆୟୋଜିତ ଜନ ସମାବେଶରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।

ମୋଦି କହିଛନ୍ତି, “କାଲି ମୁଁ ଅଯୋଧ୍ୟାରେ ଯାଇ ରାମ ଲାଲାଙ୍କୁ ଦର୍ଶନ କରିଥିଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ବିଜେପି ଯାହା କହେ ତାହା କରି ଦେଖାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, “ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ହେବାକୁ ଯାଉଛି । ଓଡିଶାର ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଥିବା ବେଳେ ସରକାର ଆସିବା ପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ଏହା ମୋଦିଙ୍କର ଗ୍ୟାରେଣ୍ଟି ଅଟେ। ଜୁନ ୦୪ରେ ବିଜେଡ଼ିର ଏକ୍ସପାଏରୀ ଡେଟ୍ ଲେଖାହୋଇଛି ବୋଲି ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି । ଜୁନ୍ ୦୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଏବଂ ଜୁନ୍ ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ସେ କହିଛନ୍ତି ।ଓଡିଶାରେ ବିଜେଡି ଅସ୍ତ ହେଉଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ସରକାରଙ୍କୁ ଶାଣିତ କଟାକ୍ଷ କରି କହିଛନ୍ତି, ” ଓଡ଼ିଶାରେ ବିଜେଡି ଅସ୍ତ ହେଉଛି ଏବଂ କଂଗ୍ରେସ ଅତୀତ ହୋଇଯାଇଛି । ଓଡ଼ିଶାରେ କେବଳ ବିଜେପିର ସୂର୍ଯ୍ୟଦୋୟ ହୋଇଛି ।”ମହାପ୍ରଭୁ ଓଡିଶାକୁ ପ୍ରାକୃତିକ ସମ୍ପଦରେ ଭରି ଦେଇଛନ୍ତି: ଜଗନ୍ନାଥ ଓଡିଶାକୁ ପ୍ରାକୃତିକ ସମ୍ପଦରେ ଭରି ଦେଇଛନ୍ତି । ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି । କିନ୍ତୁ କଂଗ୍ରେସ ଏବଂ ବିଜେଡି ନେତାଙ୍କ ଲୁଟ ପାଇଁ ଆଜି ଓଡିଶା ଗରିବ ହୋଇ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରୁ ହିଁ ସର୍ବାଧିକ ଦାଦନ ଖଟିବା ପାଇଁ ଜିଲ୍ଲା ବାହାରକୁ ଯାଉଛନ୍ତି । ଅନ୍ୟପଟେ ହିଞ୍ଜିଳିରେ ଶୀତଳ ଭଣ୍ଡାର ଟିଏ ଅଛି ନା ଭଲ ପିଇବା ପାଣି ସୁବିଧା ରହିଛି ବୋଲି ନିଜ କଟାକ୍ଷ ରେ କହିଥିଲେ।ମୋଦି ଓଡିଶାର ବିକାଶ ପାଇଁ ବଜେଟର ଅଭାବ କରିନାହାନ୍ତି । ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛନ୍ତି । ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ତେବେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ । ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ବିଜେପି ସରକାରଙ୍କ ଲକ୍ଷ୍ୟ ଅଟେ । ଥରେ ସୁଯୋଗ ଦିଅନ୍ତୁ ୫ ବର୍ଷରେ ନମ୍ବର ଓ୍ବାନ କରି ଦେଖାଇବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠାରେ ବିକାଶ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଓଡିଶାର ଝିଅକୁ ବିଜେପି ଦେଶର ବଡ ପଦବୀ ଦେଇଛି । ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡିଶା ପାଇଁ କାମ କରୁଛି । ଦିଲ୍ଲୀରେ ବସିଥିବା ଜଗନ୍ନାଥଙ୍କ ଏହି ପୁଅ ଓଡିଶା ପାଇଁ ବହୁତ କିଛି କରିବ । ମୋଦି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି । ମଞ୍ଚ ଉପରେ ଉଭୟ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ବିଜେପି ପକ୍ଷରୁ ଲଢ଼େଇ କରୁଥିବା ଦୁଇ ସାଂସଦ ଓ ସମସ୍ତ ବିଧାୟକ /ବିଧାୟିକା ପ୍ରାର୍ଥୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଦଳୀୟ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ସଭାରେ ଉପସ୍ଥିତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଏବଂ ସହଯୋଗ କାମନା କରିଥିବା ଜନତାଙ୍କୁ ଧନ୍ୟବାଦ ଅର୍ପଣ ସହ ସଭାସଙ୍ଗ ଘୋଷଣା କରିଥିଲେ।
