ଝାମୁଯାତ୍ରା ର ପ୍ରଥମ ପାଳିରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା ମଙ୍ଗଳା

ଝାମୁଯାତ୍ରା ର ପ୍ରଥମ ପାଳିରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା ମଙ୍ଗଳା l
ଝାମୁଯାତ୍ରା ର ପ୍ରଥମ ମଙ୍ଗଳବାର ରେ ଉତ୍ସବମୂଖର କାକଟପୁର l
କାକଟପୁର ୧0/୩ :- ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ, ମଙ୍ଗଳମୟୀ ମା ମଙ୍ଗଳା ଙ୍କ ଆରମ୍ଭ ହୋଇଛି ଚୈତ୍ର ପର୍ବ ଵା ଝାମୁ ଯାତ୍ରା l ଏକ ମାସ ବ୍ୟାପୀ ଏହି ପ୍ରସିଦ୍ଧ ଝାମୁଯାତ୍ରା ଚୈତ୍ର ମାସ ପ୍ରଥମ ମଙ୍ଗଳ ବାର ଠାରୁ ଆରମ୍ଭ ହୋଇ ବୈଶାଖ ପ୍ରଥମ ମଙ୍ଗଳ ବାର ପର୍ଯ୍ୟନ୍ତ ଚାଲିଥାଏ l ଚୈତ୍ର ମାସରେ ମା ପ୍ରଥମେ ପ୍ରାଚୀ ନଦୀ ରୁ ଉଦ୍ଧାର ହେବା ଓ ସ୍ଥାପନା ହୋଇଥିବା ରୁ ମା ଙ୍କ ଜନ୍ମ ମାସ ଭାବେ ପ୍ରତି ବର୍ଷ ମାସେ ବ୍ୟାପି ଏହି ଚୈତ୍ର ପର୍ବ ଵା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଆଜି ପ୍ରଥମ ମଙ୍ଗଳ ବାର ନେତ୍ରୋତ୍ସବ ଭାବରେ ମଧ୍ୟ ପରିଚିତ l ମା ଙ୍କ ବିଶେଷ ନୀତିକାନ୍ତି ରେ ନୂତନ ନେତ ପୂଜା କରାଯାଇ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା l ଅଂଚଳ ର ଯାଦବ ସମୂହ ଏକାଠି ଲହୁଡି ଖେଳି, ଓଗାଳ ବୋଲି ଏହି ପରିକ୍ରମା ରେ ସାମିଲ ହୋଇଥିଲେ l ପରେ ସେବକ ମାନଙ୍କ ଦ୍ୱାରା ମନ୍ଦିର ର ଦଧିନଉତି କୁ ସ୍ନାନ ମାର୍ଜନା କରାଯାଇ ନୂତନ ବାନା ବନ୍ଧା ଯିବାପରେ ନେତ୍ରୋତ୍ସବ କାର୍ଯ୍ୟ ସମାପନ କରାଯାଇଥିଲା l ଚାରିଆଡେ ମାତୃଭକ୍ତ ଙ୍କ ସମାଗମ ସହ ମନ୍ଦିର ବେଢାରେ ବିରି ଅରୁଆ ଚାଉଳ ଓ ଜାମୁ ଡାଳ ରେ ପରିବାର ର ମଙ୍ଗଳ ମନାସି କୁଳବଧୂ ମା ମାନେ ବେଢା ଓଳେଇବା, ଓ ପନ୍ଥେଇ ପୂଜାସହ ହୁଳହୁଳି ରେ ମନ୍ଦିର ପ୍ରକମ୍ପିତ ହୋଇ ଉଠିଥିଲା l ଦିନ ୨ ଟା ରେ ଶାରଳା ରୁ ଆସିଥିବା ପାଟୁଆ ମାନେ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠ ରୁ ପାରମ୍ପରିକ ପଟୁଆର ରେ ଯାଇ ଜଳ ତୋଳି ମନ୍ଦିର ଭିତର ବେଢା ଓ ବାହାର ବେଢା ରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ l ଏହି ନୃତ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା l ଆଜି ପ୍ରଥମ ପାଳି ଯାତ୍ରା ରେ ଭକ୍ତମାନେ କିପରି ଶାନ୍ତି ଶୃଙ୍ଖଳା ର ସହ ଦର୍ଶନ କରିବେ ଓ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ପାଇଁ ଥାନା ଆଇ ଆଇ ସି ବସନ୍ତ କୁମାର ସାହୁ ଙ୍କ ତତ୍ୱାବଧାନ ରେ ପୋଲିସ ଫୋର୍ସ ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷ ରୁ ଭକ୍ତ ଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଚାରିପଟେ ଟେଣ୍ଟ ବନ୍ଧାଯାଇ ଖରା ଦାଉରୁ ରକ୍ଷା କରାଯିବା ସହିତ ବ୍ୟାରିକେଡ଼ ମଧ୍ୟରେ ଶୃଙ୍ଖଳିତ ଭାବେ ଗର୍ଭଗୃହ କୁ ଯାଇ ଦର୍ଶନ ର ସୁବ୍ୟବସ୍ଥା କରାଯାଇଥିଲା l ତତ ସଂଗେ ସଂଗେ ମନ୍ଦିରକୁ ସତେଜ ଫୁଲରେ ସଜ୍ଜାଯିବା ସହିତ ମା ଙ୍କୁ ସ୍ବର୍ଣ୍ଣ ଅଳଙ୍କାର, ପାଟବସ୍ତ୍ର ରେ ବିଭୂଷିତ କରାଯାଇଥିଲା l ଅନ୍ୟପକ୍ଷରେ ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ମନ୍ଦିର ନୀତି ନିର୍ଘଣ୍ଟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ସହିତ ସର୍ବସାଧାରଣ ଦର୍ଶନ ଠିକ ସମୟରେ କରାଯାଇଥିବା ପ୍ରକାଶ କରିଥିଲେ l ଦୂର ଦୁରାନ୍ତ ରୁ ଆସୁଥିବା ଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା l ସେହିପରି ଭକ୍ତ ମାନଙ୍କ ଆସୁଚିକିତ୍ସା ନିମନ୍ତେ ସୂଚନା କେନ୍ଦ୍ର ଓ ମେଡିକାଲ କ୍ୟାମ୍ପ, ପାନୀୟଜଳ ର ବ୍ୟବସ୍ଥା କରାଯିବା ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ଉପରେ ପାଣି ସିଞ୍ଚନ କରାଯିବା ସହିତ ସମସ୍ତ ପ୍ରକାର ସହଯୋଗ କରାଯିବାକୁ ବ୍ୟବସ୍ଥା ହୋଇଥିଲା l l ଆଜି ପ୍ରଥମ ପାଳି ଯାତ୍ରା ରେ ଶରତ କୁମାର ଦୀକ୍ଷିତ ପୂଜାପଣ୍ଡା ଭାବେ କାର୍ଯ୍ୟ କରିଥିଲେ । ପ୍ରଥମ ପାଳି ଯାତ୍ରା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ସହିତ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥିଲା ।

Leave a Reply

Your email address will not be published. Required fields are marked *