ଜୀବନ ଦୀପ ଜଳେ ତୁମ ପାଇଁ

  ଜୀବନ ଦୀପ ଜଳେ ତୁମ ପାଇଁ
( ରାଗ – ଆଷାଢ଼ ଶୁକ୍ଳ ବାଣୀ )

🖊️କବିରତ୍ନ ନୂତନ କୁମାର ବେହେରା

ଜୀବନ ଦୀପ’ ଜଳେ ତୁମ ପାଇଁ’
             ଆଶିଷ ତୈଳ’ ଢ଼ାଳ ତୁମେ ତହିଁ’,
ଆଲୁଅ ଦେଇ’ ଶରୀର ସଳିତା’
                ତିମିର ନାଶେ’ ଦୂର ହୁଏ ଚିନ୍ତା’,
ହେ ଜଗତ ସାଇଁ,
         ଶଙ୍କା ସନ୍ଦେହ’ ମନେ ଦିଅ ନାହିଁ’/୧/

ବିଶ୍ଵାସେ ଭରି ଦିଅ ସ୍ଵଚ୍ଛ ଭାବ
              ଦୀନ ଦୁଃଖୀର ତୁମେ ତ ବିଭବ,
ଭକତ କରେ ତୁମକୁ ଭରସା
            ବିପଦେ ସାହା ହୋଇ ରଖ ଆଶା,
ଓଠେ ଫୁଟୁ ହସ,
           ହୃଦୟେ ଖେଳୁ ଆନନ୍ଦ ଉଲ୍ଲାସ/୨/

ସଂସାର ସିନ୍ଧୁ ଦୁଃଖ ତାର ଢେଉ
              ଜୀବନ ନାବେ ତୁମ ହାତ ଥାଉ,
ନାଉରୀ ହୋଇ କୂଳେ ନିଅ ବାହି
                ସଂକଟୁ ରଖି କର ତୁମେ ତ୍ରାହି,
ପାଶେ ସଦା ରହି
          ସଦୟେ ମନ ପ୍ରାଣ ନିଅ ମୋହି/୩/

ସତ୍ୟ ଅହିଂସା ମାର୍ଗରେ ଚଳାଅ
               ପ୍ରେରଣା ଦେଇ ପ୍ରଦର୍ଶକ ହୁଅ,
ଅତୁଟ ରହୁ ସଂପର୍କର ଡୋର
            କେହି ନହେଉ କାହା ଲାଗି ପର,
ନଜରେ ନିଜର
           ହୋଇ ରୁହନ୍ତୁ ଏ ସଚରାଚର/୪/

ସ୍ତୁତି ଏତିକି ତୁମକୁ ହେ ନାଥ
             ପୂରଣ କର ବାରେ ମନୋରଥ,
ଜୀବନ ଦୀପ ଜଳୁ ଶିଖା ଟେକି
            ତୁମଠୁ କେବେ କରନା ଏକାକୀ,
ତୁମେ ହର୍ତ୍ତା କର୍ତ୍ତା
         ଦାତା ପଣରେ ବିଧିର ବିଧାତା/୫/

   କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *