କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ
କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ :୯୬ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ
ଉଦଳା ୨୭/୧ – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗଦେଇ ୯୬ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡ଼ି.ଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦୋଳମଣି ଭୋଇ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡ଼. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୮୪ ଗୋଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୨ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୨ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ସୁଭଦ୍ରା ମୁର୍ମୁ ପୋଡ଼ାଡ଼ିହାଙ୍କୁ ୧୦ ହଜାର ଟଙ୍କା ଏବଂ ହେମଲତା ପାତ୍ର, ଧାନଘେରାଙ୍କୁ ୫ ହଜାର ଟଙ୍କା ମୋଟ ୧୫ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରେ କପ୍ତିପଦା ବ୍ଲକ ମଝିଗଡ଼ିଆ ଗ୍ରାମର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଚାଷ ଜମିକୁ ପାଣି ଯୋଗାଇବା, ଦଲାଲ ମାନଙ୍କ କବଳରୁ ଶରତ ଅଞ୍ଚଳର ସରକାରୀ କାର୍ଯ୍ୟାଳୟ ଗୃହ ଗୁଡ଼ିକୁ ଉଦ୍ଧାର କରିବା, କୋଳିଅଳମ୍ ଗ୍ରା:ପ: ର ନୂଆସାହି (ତଳସାହି) ର ୬ ଗୋଟି ପରିବାର ବିଦ୍ୟୁତ୍ ସଂଯୋଗରୁ ବଞ୍ôଚତ, ଉଦଳା ବ୍ଲକ ରାଇଦାଣ୍ଡିଆ ଗ୍ରାମ ପାଶ୍ୱର୍ ସୋନ ନଦୀ ପଠାରେ ପଥର ପେକିଂ ହୋଇନଥିବା, ଜି.ବି. ନଗର ବ୍ଲକ୍ ଖୁଣ୍ଟାରୁ ପଶୁଦା ପି.ଡବ୍ଲ୍ୟୁ.ଡ଼ି. ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଆଦି ଅଭିଯୋଗ ଗୁଡ଼ିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ, ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଜିଲ୍ଲାପାଳ ପ୍ରବୀଣ କୁମାର ମାଝୀ ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ, ରମେଶ ପୃଷ୍ଟି, ସାଇ ସ୍ୱରୂପ କର, ତାପସ ପ୍ରଧାନ, ଉଷାରାଣୀ ବିନ୍ଧାଣୀ, ଭବାନୀ ପଣ୍ଡା, ଉଦୟ ନାୟକ, କୈଳାସ ଦନୈକ, ଅଜିତ୍ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିବାର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ ।
