କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ
କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ :୧୦୮ ଅଭିଯୋଗର ଶୁଣାଣୀ କଲେ ଅତିରିକ୍ତ ଜିଲ୍ଲାପାଳ ଉଦଳା ୨୪/୨ – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ବିଭୁତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗଦେଇ ୧୦୮ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡ଼ି.ଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡ଼. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୯୦ ଗୋଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୮ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରେ କପ୍ତିପଦା ବ୍ଲକ ଚକ୍ରଧରପୁର ସରକାରୀ ପ୍ରାଥମିକ ବିଦାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତି, ବେଲଡ଼ିହା, ଜାମଶୁଳୀ ଏବଂ ବଡ଼ ବିଶୋଳ ଗ୍ରାମବାସୀ ବିଦ୍ୟୁତ୍ ସଂଯୋଗରୁ ବଞ୍ôଚତ ହେବା, ପେଡ଼ାଗଡ଼ି ଗ୍ରାମରେ ଥିବା ଭୀମେଶ୍ୱରୀ ଠାକୁରାଣୀ ସମ୍ପତ୍ତିର ପୁର୍ନରୁଦ୍ଧାର ଏବଂ ଉଦଳା ବ୍ଲକ୍ କୁଟଲିଂ ମୌଜାର ଶେଷକୁ ଲାଗି ଗ୍ରାମରେ ଥିବା ଦେଓ ନଦୀର ଜଳ ସ୍ରୋତ ଏବଂ ବେଆଇନ ଭାବେ ଆବଦ୍ଧ ଥିବା ନଦୀକୁ ସୁରକ୍ଷା କରିବା ଆଦି ଅଭିଯୋଗ ଗୁଡ଼ିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡ଼େପୁଟୀ କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ, ରମେଶ ପୃଷ୍ଟି, ସାଇ ସ୍ୱରୂପ କର, ତାପସ ପ୍ରଧାନ, ଉଷାରାଣୀ ବିନ୍ଧାଣୀ, ଭବାନୀ ପଣ୍ଡା ଉଦୟ ନାୟକ, କୈଳାସ ଦନୈକ, ଅଜିତ୍ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିବାର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ ।
