କନ୍ଧମାଳ ଜିଲ୍ଲା ଶୀତର ପ୍ରଭାବରେ ଜୀବନ ଜୀବିକାରେ ବାଧା ପ୍ରାପ୍ତ।
ଜନ ଜୀବନ ଅସ୍ତବ୍ୟସ୍ତ।ଫୁଲବାଣୀ:ନିପ୍ର:-୨୩/୧୧ ସମଗ୍ର କନ୍ଧମାଳ ଜିଲାରେ ଏବେ ଅସହ୍ୟ ଶୀତ ଜାଡ଼ ଅନୁଭୂତ ହେଉଛି। ଜିଲ୍ଲାର ଦୁର୍ଗମ ଅପହଞ୍ଚ ଇଲାକାରେ ଗାଁ ଗୁଡିକରେ ଶୀତର ପ୍ରକୋପ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଦେଖାଯାଇଛି। ତାପମାତ୍ରା ଦିନକୁ ଦିନ ତଳ ମୁହାଁ ହେଉଥିବା ବେଳେ କେଉଁ ଅଞ୍ଚଳରେ ୧୦ ଡିଗ୍ରୀ ରହୁଛି ତ ଆଉ କେଉଁ ଅଞ୍ଚଳରେ ୭/୮ ଡ଼ିଗ୍ରୀ ପାଖାପାଖି ରହୁଛି। କନ୍ଧମାଳ ଜିଲ୍ଲା ୧୨ଗୋଟି ବ୍ଲକ ଓ ୧୭୧ ପଞ୍ଚାୟତକୁ ନେଇ ଗଠିତ।ସେଥି ମଧ୍ୟରେ ଦାରିଙ୍ଗବାଡ଼ି, ଜି,ଉଦୟଗିରି,ରାଇକିଆ,ଚକାପାଦ, କୋଟଗଡ଼,ତୁମୁଡ଼ିବନ୍ଧ,ଫିରିଙ୍ଗିଆ, ଖଜୁରୀପଡ଼ା,ଆଦି ବ୍ଲକର ପଞ୍ଚାୟତ ର ପାହାଡ଼ିଆ ଅଞ୍ଚଳ ଗାଁ ଗୁଡିକରେ ଅସହ୍ୟ ଶୀତ ସହ ପାଣି ଜାଡ଼ ଯୋଗୁ ପାଣିରେ ହାତ ଦେବା ମଧ୍ୟ କଷ୍ଟ ହୋଇପଡୁଥିବା ଜଣାପଡିଛି। ଶୀତ ଯୋଗୁ ସକାଳୁ ଲୋକମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଶୀତରୁ ମୁକ୍ତି ପାଇବା ପାଇଁ ସବୁଠି ଲୋକ ନିଆଁପୁଇଁ ହେଉଥିବା ଦେଖିବାକୁ ମିଳିଛି। ଶୀତରୁ ରକ୍ଷା ପାଇବା ପାଇଁ ଚା’ଦୋକାନ ଗୁଡିକରେ ମଧ୍ୟ ଭିଡ଼ ଜମୁଛି। ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରୁ କନ୍ଧମାଳକୁ ଯିଏ ମଧ୍ୟ ଆସନ୍ତୁ ତାହେଲେ ଖଜୁରୀପଡ଼ାରେ ପ୍ରଥମ ପାଦ ଦେଇଥାନ୍ତି।

ବିଶେଷକରି ନେତାମନ୍ତ୍ରି,ସଚିବ ଡାଇରେକ୍ଟର,ପର୍ଯ୍ୟଟକ ଆସିଲେ ଖଜୁରୀପଡ଼ା ବ୍ଲକ ଦ୍ଵାରବନ୍ଧ ଡେଇଁ ଶୀତ କୁ ସ୍ପର୍ଶ କରି ଜିଲ୍ଲା ଭିତରକୁ ପ୍ରବେଶ କରନ୍ତି।ସେହିଭଳି ପର୍ଯ୍ୟଟକ ମାନେ ଦୈନିକ ଆସି ବଣ ଭୋଜି କରିବା ସହ ଶୀତର ମଜା ନେଉଛନ୍ତି।ସୂଚନାଯୋଗ୍ୟ ଯେ, ପାଗ ଶୁଖିଲା ରହିଲେ ଅଧିକା ଶୀତ ହେଉଥିବା ବେଳେ ମଝିରେ ମଝିରେ ପାଗ ମେଘୁଆ ଯୋଗୁ ଶୀତ କମିଯାଉଛି। ଫଳରେ ପର୍ଯ୍ୟଟକ ନିରାଶ ହେଉଛନ୍ତି। କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ କେନ୍ଦ୍ର ସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ ରହିଥିବା ଯୋଗୁଁ ବିଭିନ୍ନ ଅଞ୍ଚଳ ମଧ୍ୟରେ ଅନେକ ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ରହିଛି। କିନ୍ତୁ ପର୍ଯ୍ୟଟନ ବିଭାଗର ଅଣଦେଖା ଓ ଆନ୍ତରିକତା ଅଭାବ ଯୋଗୁଁ ଏସବୁର ଉନ୍ନତି କରଣଓ ରକ୍ଷଣ ବେକ୍ଷଣର ଦୂର ଦୃଷ୍ଟି ଆଢ଼ୁଆଳରେ ପଡ଼ିରହିଛି। ଫଳରେ ପର୍ଯ୍ୟଟକ ମାନେ ମୁହଁ ଫେରାଉଛନ୍ତି। ବର୍ତ୍ତମାନ ଲୋକେ ବିଭିନ୍ନ କାମଧନ୍ଦା ରୁ ବାଧ୍ୟ ହୋଇ ନିବୃତ ରହିଥିବା ଦେଖିବାକୁ ମିଳୁଛି।
