କର୍ମଫଳ
କର୍ମଫଳ
🖋️କବିରତ୍ନ ନୂତନ କୁମାର ବେହେରା
ଅଜଣା ଅଦେଖା କପାଳ ଲିଖନ
ଭୋଗିଥାଏ ନର ହୁଏନା ଖଣ୍ଡନ,
ସୁଖ ଦୁଃଖ ମିଶା ସବୁରି ଜୀବନ
ବିଧିର ବିଧାନ କେ କରିବ ଆନ।
ପ୍ରାରବ୍ଧକୁ ନେଇ ହୁଅଇ ଜନମ
ପ୍ରଭାବରେ ତାର କରଇ କରମ,
ପୁଣ୍ୟଫଳ ଅରଜିବା ହିଁ ଧରମ
ଆଣିଦିଏ ତାହା ସୁଯଶ ସୁନାମ।
ସାରା ସଂସାରରେ ବିବେକୀ ମଣିଷ
ବୁଦ୍ଧି ଜ୍ଞାନ ନେଇ ହୁଏ ତା’ ବିକାଶ,
କାମନା ବାସନା କରେ ଯା’କୁ ବଶ
ନିଜେ ନିଜର କରଇ ସେ ବିନାଶ।
ସତ୍ୟ ପଥେ ଚାଲିବା କଷ୍ଟଦାୟକ
ତା’ଠାରୁ ଦୂରେଇ ରହେ ଅଧାର୍ମିକ,
ପୁଣ୍ୟବାନ ହୁଏ ଭକ୍ତ ଉପାସକ
ରଖେ ନ୍ୟାୟ ନୀତି ଆଦର୍ଶର ଟେକ।
ଧର୍ମ ପଥ ହୁଡ଼ି ହେଲେ ଅବିବେକୀ
ଜୀବନର ସତ୍ୟ କର୍ମ ରହେ ବାକି,
ଭାଗ୍ୟଚକ୍ର ତାର ରୁହଇ ଅଟକି
ସୁଗୁଣ ମହକ ଉଠେନା ମହକି।
ବୁଝେ ନାହିଁ ଯିଏ ଜୀବନର ମର୍ମ
ଦୁଃଖ କଷ୍ଟ ପାଏ କରି ହୀନ କର୍ମ,
ହୃଦୟ ତାର ହୋଇ ଯାଏ ନିର୍ମମ
ଷଡ଼ରିପୁ ବଶେ ହୁଏ ମତିଭ୍ରମ।
ଅଢ଼େଇ ଦିନର ମଣିଷ ଜୀବନ
ବୁଝେ ଯିଏ କରେ ତା’ ନିଷ୍ଠା ପାଳନ,
ପତନରୁ ଉଠି ପାଏ ଶୀର୍ଷ ସ୍ଥାନ
ସଂସ୍କାର ପାଇ ସେ ହୁଏ ସାଧୁଜନ।
ବିଧିର ବିଧାନ ସତ୍ୟ ସନାତନ
ଯୁଗେ ଯୁଗେ ରହେ ହୋଇ ଅମଳିନ,
ପବିତ୍ର ନିଷ୍ପାପ ଥାଏ ଯା’ର ମନ
କର୍ମ ନେଇ କ୍ରମେ ହୁଅଇ ଖଣ୍ଡନ।
କର୍ମଫଳ ସବୁ ବିଧାତା ଲିଖନ
ହୁଏ ନାହିଁ କେବେ ବୃଥା ଅବା ଆନ।
କର୍ମେ ହୁଏ ସୃଷ୍ଟି କର୍ମେ ସମାଧାନ
କର୍ମ ବିନା ହୁଏନା ତାର ଉତ୍ଥାନ,
ଜନ୍ମ ମୃତ୍ୟୁ ଚକ୍ରେ ରହେ ସେ ଅଧୀନ
ବିଧିର ବିଧାନ କେ କରିବ ଆନ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା, କୋହି,ବାରିପଦା,ମୟୂରଭଞ୍ଜ।
