କର୍ମ ହିଁ ଭଗବାନ
କର୍ମ ହିଁ ଭଗବାନ
( ରାଗ — ରାମକେରୀ )
🖊️କବିରତ୍ନ ନୂତନ କୁମାର ବେହେରା
ମହୀମଣ୍ଡଳରେ ଜନମି ମାନବ କାଟେ ଦିନ,
ସଂସାର ଧରମ ପାଳନେ କର୍ମ ହିଁ ଭଗବାନ।
ଶିଶୁରୁ ଅଭିଜ୍ଞ ବୟସ୍କ ସର୍ବେ କରନ୍ତି କାର୍ଯ୍ୟ,
ଦାୟିତ୍ଵ କର୍ତ୍ତବ୍ୟ ତୁଲାନ୍ତି ରଖି ତାଙ୍କର ଧୈର୍ଯ୍ୟ।
ରହି ପରିବାରର ସାଥେ ଚଳନ୍ତି ମିଳିମିଶି,
ସେବା ତ୍ୟାଗର ବିନିମୟେ ପ୍ରତିଭା ଯେ ବିକାଶି।
ପାର୍ଥିବ ସମ୍ପର୍କ ବନ୍ଧନେ ଆତ୍ମୀୟ ବନ୍ଧୁ ବର୍ଗ,
ପରସ୍ପରରେ ରଖି ଭାବ ବାଛନ୍ତି ତାଙ୍କ ମାର୍ଗ।
ପରିବାର ପ୍ରତିପୋଷଣେ ରୁହନ୍ତି ସଚେତନ,
ଖଟାଇ ବଳ ବୁଦ୍ଧି ଜ୍ଞାନ ଅର୍ଜନ୍ତି ଧନ ମାନ।
ଖାଦ୍ୟ ପୋଷାକ ବାସଗୃହ ଜୀବନ ପାଇଁ ଲୋଡ଼ା,
ସାହାଯ୍ୟ ସହଯୋଗ କରି ସଂପର୍କ ହୁଏ ଯୋଡ଼ା।
ଜୀବନଧାରାର ଏ ନୀତି ସଂସାରେ ସାଧାରଣ,
କରି ଦୈନିକ ପରିଶ୍ରମ ଦେଖାନ୍ତି ଆଚରଣ।
ସରସ ସୁନ୍ଦର ଜୀବନ ଦିଅଇ ଶାନ୍ତି ତୃପ୍ତି,
ସତ୍କର୍ମେ ମାନବର ହୁଏ ମହତ ଲକ୍ଷ୍ୟ ପ୍ରାପ୍ତି।
ପ୍ରକୃତିରୁ ପ୍ରାପ୍ତ ବିଭବେ ଜୀବନ ସୁରକ୍ଷିତ,
ପଞ୍ଚଭୂତରୁ ଖାଦ୍ୟ ଶସ୍ୟ ହୁଅଇ ଉପାର୍ଜିତ।
ନିଜ ନିଜର କର୍ମ ପାଇଁ ହୋଇଲେ ଯତ୍ନବାନ,
ଆବଶ୍ୟକତା ହୁଏ ପୂର୍ଣ୍ଣ ସୁଖେ ବିତଇ ଦିନ।
ସାମାଜିକ ଶୃଙ୍ଖଳା ଭାଙ୍ଗି ଯେ ହୁଏ ସ୍ଵାର୍ଥପର,
ସୃଷ୍ଟି କରେ ନାନା ଅନର୍ଥ ଯାହା ଅପ୍ରୀତିକର।
କିଏ ଖଟେ କିଏ ବା ଲୁଟେ ହେବାକୁ ପ୍ରତିଷ୍ଠିତ,
ସରଳ ନିରୀହ ବିଚରା ହୁଅଇ ନିର୍ଯ୍ୟାତିତ।
ଲୋଭରେ ପଡ଼ି ଯେ ହରାଏ ତା’ ହିତାହିତ ଜ୍ଞାନ,
ଆସିଥାଏ ନାନା ସଂକଟ ହୁଏ ସେ ହୀନିମାନ।
ନ୍ୟାର୍ଯ୍ୟ ଅଧିକାର ଦାବୀରେ ଉପୁଜେ ଗଣ୍ଡଗୋଳ,
ପରିଣାମ ହୁଏ ଯାହାର ବିଷମ ଫଳାଫଳ।
ହସ୍ତିନା ରାଜ ସିଂହାସନ କୁରୁ ପାଣ୍ଡବେ ବାଦ,
ମହାଭାରତ ଯୁଦ୍ଧ ତାର ଅଭୁଲା ଅବସାଦ।
ଅର୍ଜୁନ ହୋଇ ମହାବୀର ଯୁଦ୍ଧେ ହେଲେ ଉଦାସ,
ପ୍ରଭୁ ଯେ ସାରଥୀ ଶ୍ରୀକୃଷ୍ଣ ଜ୍ଞାନେ ଦେଲେ ସାହସ।
କର୍ମ ହିଁ ପରମ ଧରମ କରିବାକୁ ହୁଏ ପାଳନ,
ସତ୍କର୍ମ ନିକଟେ ନାହିଁ ତ ପ୍ରିୟା ପ୍ରୀତିର ସ୍ଥାନ।
ଉଚିତ ଯାହା ତା’ ସତ୍କର୍ମ କରେ ଯେ ନ୍ୟାୟବାନ,
ସମୂହ କଲ୍ୟାଣେ ରହି ସେ କରେ ପୁଣ୍ୟ ଅର୍ଜନ।
ଗୀତା ଜ୍ଞାନ ବୁଝାଇ ଦିଏ କର୍ମଯୋଗ ହିଁ ଶ୍ରେଷ୍ଠ,
ମାନବ କରି ତା’ ସାଧନ ହୁଏ ସତ୍ୟରେ ନିଷ୍ଠ।
ନିଷ୍କାମ କର୍ମ କରେ ଯିଏ ପୁରେ ତା’ ମନୋରଥ
ସରଳ ସୁଗମ ହୁଅଇ ତାର ଜୀବନ ପଥ।
ସମୟାନୁବର୍ତ୍ତୀ ହୋଇ ଯେ କରଇ ସମ୍ପାଦନ,
ଲକ୍ଷ୍ୟ ହୁଏ ତାର ପୂରଣ ହୁଏ ସେ ଭାଗ୍ୟବାନ।
କର୍ମକୁ ଛାଡ଼ି ନାହିଁ ପଥ କର୍ମମୟ ଜୀବନ,
ପ୍ରଭୁଙ୍କୁ କରିଣ ସ୍ମରଣ କର୍ମରେ ରଖେ ଧ୍ୟାନ।
ମାନବ ସେବାରେ ମାଧବ ହୋଇଥାନ୍ତି ସନ୍ତୁଷ୍ଟ,
କର୍ମୀଙ୍କୁ ଦିଅନ୍ତି ଆଶିଷ ଖଣ୍ଡନ ହୁଏ ରିଷ୍ଟ।
ସାରା ସଂସାରରେ ପରମ କର୍ମ ହିଁ ଭଗବାନ,
ରଖେ ଯେ ତାହାର ସମ୍ମାନ ହୁଏ ସେ ପୁଣ୍ୟବାନ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
' ନବସୃଜନ ' ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
