ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା ବୈଠକ

ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା ବୈଠକ।ଆସନ୍ତା ୨୦ ଓ ୨୨ ରୁ ବରଗଡ଼ ଏବଂ ସମ୍ବଲପୁରରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ।ଭୁବନେଶ୍ୱର: ୧୭/୧୧/୨୦୨୪ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଧାନ ସଂଗ୍ରହ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନିତ କରାଯିବା ସହ ସମସ୍ତ ପ୍ରକାର ଅନିୟମିତତା, ଦଲାଲି, କଟନୀ ଛଟନୀକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱ ଦେଇଛନ୍ତି । ଏହି ମାସ ୨୦ ଓ ୨୨ ତାରିଖରୁ ବରଗଡ଼ ଓ ସମ୍ବଲପୁରରୁ ଧାନ ସଂଗ୍ରହ ଆରମ୍ଭ ହେଉଛି ।ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଛି

। ଏହାର ବଣ୍ଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆସନ୍ତା ୮ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରୁ ଆରମ୍ଭ ହେବ । ଡ଼ିସେମ୍ବର ମାସ ୭ ତାରିଖ ସୁଦ୍ଧା ମଣ୍ଡିରେ ଧାନ ଦେଇଥିବା ସମସ୍ତ ଚାଷୀ ଏକାଥରକେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ପାଇବେ ।ଧାନର ମାନ ପରୀକ୍ଷଣ ପାଇଁ ଅଟୋମେଟିକ ଗ୍ରେନ ଆନାଲାଇଜର ବ୍ୟବହାର କରାଯିବ । ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବା ନିମନ୍ତେ ପ୍ରଦାନ ହୋଇସାରିଛି । ଏହା ସହ ଆଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି । କଟନୀ ଛଟନୀକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ ଭାବେ କରାଯିବ । ଏଥି ନିମନ୍ତେ ମଣ୍ଡିରେ ନୋଡ଼ାଲ ଅଫିସର, ସୁପରଭାଇଜର ନିଯୁକ୍ତ କରାଯାଇଛି । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇଥିଲେ ।ସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *