ଏକବିଂଶତମ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମ

ଆଇସିଏଆର-ସିଆଇଡବ୍ଲୁଏ ପରିସରରେ ପିଏମ-କିସାନର ଏକବିଂଶତମ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମ

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ୱାମୀ

ଭୁବନେଶ୍ୱର,19.11.2025:

ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ) ଠାରେ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ)ର ଏକବିଂଶତମ କିସ୍ତି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା।

କେନ୍ଦ୍ର ଭାରୀ ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାବେଶକୁ ସମ୍ବୋଧିତ କରି ଦେଶର ବିକାଶରେ କୃଷକମାନଙ୍କ ଅମୂଲ୍ୟ ଅବଦାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଦକ୍ଷତା ବିକାଶ ପ୍ରୟାସ ଏବଂ ଆଧୁନିକ ଜ୍ଞାନକୌଶଳର ଉପଲବ୍ଧତା ମାଧ୍ୟମରେ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।
ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ମୃଦୁଳା ଦେବୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମହିଳାମାନେ କିପରି କୃଷି-ଖାଦ୍ୟ ପ୍ରଣାଳୀ ଏବଂ ଗ୍ରାମୀଣ ଉଦ୍ୟୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିର୍ବାହ କରୁଛନ୍ତି ତାହା ଉଲ୍ଲେଖ କରିଥିଲେ। ମହିଳା ଚାଷୀମାନଙ୍କୁ ମୁଖ୍ୟଧାରା ବିକାଶ କାର୍ଯ୍ୟକ୍ରମରେ ଅଧିକ ସଂପୃକ୍ତ କରିବାର ପ୍ରୟୋଜନ ଉପରେ ସେ ଆଲୋକପାତ କରିଥିଲେ। ସେ ମହିଳା କୃଷକମାନଙ୍କୁ ଉନ୍ନତ କୃଷି ଜ୍ଞାନକୌଶଳ, ଦୀର୍ଘସ୍ଥାୟୀ ପ୍ରକ୍ରିୟା ଏବଂ ଆଧୁନିକ ଅଭ୍ୟାସକୁ ଗ୍ରହଣ କରିବାକୁ ଅନୁପ୍ରାଣିତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ‘‘ବୈଜ୍ଞାନିକ ଓ ମହିଳା ଚାଷୀ ଆଲୋଚନାଚକ୍ରରେ ପିଏମ-କିସାନ ଯୋଜନାର ଲାଭ, ପ୍ରାକୃତିକ କୃଷି ପ୍ରଣାଳୀ, ରବି ଫସଲ ପାଇଁ ଉନ୍ନତ ପ୍ୟାକେଜ୍, ଫସଲ ଅପଶିଷ୍ଟ ପରିଚାଳନା ଏବଂ କୃଷକମାନଙ୍କ ପାଇଁ ଜିଏସଟି ହ୍ରାସ ସୁବିଧା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ପିଏମ-କିସାନ ଯୋଜନା ମାଧ୍ୟମରେ କୃଷକ କଲ୍ୟାଣ, ଗ୍ରାମାଞ୍ଚଳର ବିକାଶ ଏବଂ କୃଷି ସମୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରତିବଦ୍ଧତା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ 300ରୁ ଅଧିକ ମହିଳା କୃଷକ, ଜନପ୍ରତିନିଧି ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
24 ଫେବୃଆରୀ 2019 ମସିହାରେ ଆରମ୍ଭ ହୋଇଥିବା ପିଏମ-କିସାନ ଯୋଜନା ମାଧ୍ୟମରେ ସମସ୍ତ ଜମି ମାଲିକାନା ଥିବା କୃଷକ ପରିବାରମାନଙ୍କୁ ପ୍ରତ୍ୟେକ ବର୍ଷ 2,000 ଟଙ୍କାର ତିନୋଟି କିସ୍ତିରେ ସର୍ବନିମ୍ନ ବାର୍ଷିକ 6,000 ଟଙ୍କା ଆୟ ସହାୟତା ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ପିଏମ-କିସାନର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ କୃଷି ପରିବାରକୁ ଠିକ୍ ସମୟରେ ଆୟ ସହାୟତା ନିଶ୍ଚିତ କରି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିବା ।

Leave a Reply

Your email address will not be published. Required fields are marked *