କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

ସ୍ଵର୍ଗତ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପରେ ୩୯ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅତିଥିଭାବେ ଜଗତସିଂହପୁର ସାଂସଦ ଡ. ବିଭୁ ପ୍ରସାଦ ତରାଇ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କୋଣାର୍କ ଏନ୍ଏସି ଅଧ୍ଯକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରୀପାଠୀ, ନାଟ୍ୟମଣ୍ଡପ ମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଧର୍ମପତ୍ନୀ ସୁଲୋଚନା ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହାର ଶୁଭାରମ୍ଭ କରିଥିଲେ। ପ୍ରଥମେ ଘଣ୍ଟ ମର୍ଦ୍ଦଳ ଓ ଶଙ୍ଖଧ୍ୱନି ତାଳେତାଳେ ବାବା ବାଲୁଙ୍କେଶ୍ବର ମହାଦେବଙ୍କ ଆଜ୍ଞାମାଳ ମଞ୍ଚରେ ବିଜେ କରାଯାଇଥିଲା।

କୋଣାର୍କ ନାଟ୍ୟ ମଣ୍ଡପ ଓ ନିମାପଡ଼ା ନୃତ୍ୟାଳୟା ଡାନ୍ସ ଏକାଡେମୀ କଳାକାରଙ୍କ ଦ୍ଵାରା ପଞ୍ଚଦେବ ସ୍ତୁତି ପରିବେଷଣ ହୋଇଥିଲା। କୋଣାର୍କ ମୁଖଶାଳା ପରି ନିର୍ମିତ ମଣ୍ଡପ ଉପରେ ୪୦ଜଣ ନୃତ୍ୟଶିଳ୍ପୀଙ୍କ ପ୍ରଦର୍ଶନ ଆକର୍ଷଣ ସାଜିଥିଲା। ଏହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ ଓ ବିମୋହିତ କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ କୋଲକତାର ସଂକଳ୍ପ ନୃତ୍ୟାୟନ କଳାକାରଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ରଘୁରାଜପୁର ଦଶଭୁଜା ଗୋଟିପୁଅ ଓଡ଼ିଶୀନୃତ୍ୟ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷିତ କରାଯାଇଥିଲା। ଯାହା ନୃତ୍ୟ ରସିକ ମାନଙ୍କୁ ବାନ୍ଧି ରଖିଥିଲା।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *