ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲା୧୦ଜଣଙ୍କୁ କୋର୍ଟ ଚାଲାଣ କଲା କୋଣାର୍କ ପୋଲିସ

, କୋଣାର୍କ:- ଗତ ରବିବାର ୧୨ ତାରିଖରେ କୋଣାର୍କ ଚନ୍ଦ୍ରଭାଗାରେ ନିମାପଡା ଗଡଅଣ୍ଡିଆ ଓ କୋଣାର୍କ ମାଙ୍କରଗୋଡି ଗ୍ରାମବାସୀଙ୍କ ମଧ୍ୟରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଓ ସଂଘର୍ଷ ଘଟି ଉଭୟ ପକ୍ଷରୁ ୨୧ ଜଣ ଗୁରୁତର ଭାବେ ଆହତ ଘଟଣାକୁ ନେଇ କୋଣାର୍କ ଥାନା ରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମାଙ୍କରଗୋଡି ଗ୍ରାମବାସୀଙ୍କ ମୁଖିଆମାନେ ଗତ ୧୪ ତାରିଖ ମଙ୍ଗଳବାର ଦିନ କୋଣାର୍କ ଥାନାରେ ପହଁଚି ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସହ ସମାଧାନ ପାଇଁ ସବିଶେଷ ଆଲୋଚନା କରି ତାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଦାବିପତ୍ର ପ୍ରଦାନ କରିବାର ୩ଦିନ ନପୁରୁଣୁ କୋଣାର୍କ ପୋଲିସ ଗତ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଫୋର୍ସ ନେଇ ମାଙ୍କରଗୋଡି ଗ୍ରାମରେ ଚଢ଼ାଉ କରି ଜଣେ ଯୁବକଙ୍କୁ ଉଠାଇ ଆଣିବାକୁ ନେଇ ମାଙ୍କରଗୋଡି ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ଶୁକ୍ରବାର ଦିନ ମାଙ୍କରଗୋଡି ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ମହିଳା ପୁରୁଷ କୋଣାର୍କ ପୋଲିସର ଏକ ପାଖିଆ କାର୍ଯ୍ୟାନୁଷ୍ଠାନକୁ ବିରୋଧକରି ଥାନା ଘେରାଉ କରି ଧାରଣାରେ ବସିରହିଥିଲେ ।

ଖବର ପାଇ ବିଜେପି ନିମାପଡା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ୧୨ନଂ ଜୋନର ଜିଲାପରିଷଦ ସଭ୍ୟା ପୁଷ୍ପାରାଣୀ ସ୍ୱାଇଁ ପ୍ରମୁଖ ପହଁଚି ମାଙ୍କରଗୋଡି ଗ୍ରାମବାସୀ ଓ କୋଣାର୍କ ଥାନା ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରି ସମାଧାନ ପନ୍ଥା ବାହାର କରିଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିଲା। ସର୍ବସମ୍ମତି ନିଷ୍ପତି କ୍ରମେ ମାଙ୍କରଗୋଡି ଗ୍ରାମର ୧୦ ଜଣ ଅଭିଯୁକ୍ତଙ୍କୁ ଗ୍ରାମବାସୀ ମାନେ କୋଣାର୍କ ଥାନାରେ ଆଣି ଆତ୍ମସମର୍ପଣ କରାଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋଣାର୍କ କୋର୍ଟରେ ହାଜର କରାଇଥିବା ବେଳେ ମାନ୍ୟବର ଅଦାଲତ ଅଭିଯୁକ୍ତ ମାନଙ୍କୁ ଜାମିନରେ ଛାଡିଥିଲେ। ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏଥି ସହିତ ନିମାପଡ଼ାର ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *