ଟାଉନ ଭେଣ୍ଡିଂ ଜୋନରେ ସାମିଲ ସମେତ ୫ଦଫା ଦାବି ନେଇ କୋଣାର୍କ ରାସ୍ତା ପାର୍ଶ୍ବ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ଧାରଣା, ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ।

କୋଣାର୍କ,୧୦.୧୧- କୋଣାର୍କ ଏନଏସି କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କୋଣାର୍କ ରାସ୍ତା ପାର୍ଶ୍ବ କ୍ଷୁଦ୍ର ବ୍ୟବସାୟୀ ସଂଘ ଓ ସିଦ୍ଧି ବିନାୟକ କ୍ଷୁଦ୍ର ବ୍ୟବସାୟୀ ସଂଘ ମିଳିତ ଆନୁକୁଲ୍ୟରେ କୋଣାର୍କ ଟାଉନ ଭେଣ୍ଡିଂ ଜୋନ କମିଟିରେ ସାମିଲ ସମେତ ୫ ଦଫା ଦାବି ନେଇ ସୋମବାର ପୂର୍ବାହ୍ନ ସମୟରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ସୁଚନା ଅନୁଯାୟୀ କୋଣାର୍କ ରାସ୍ତା ପାର୍ଶ୍ବ କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଲକ୍ଷ୍ମୀଧର ସ୍ବାଇଁ, ସମ୍ପାଦକ ସନ୍ତୋଷ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଧାରଣାରେ ବରିଷ୍ଠ ଶ୍ରମିକ ନେତା ତଥା ସଂଗଠନର ଉପଦେଷ୍ଟା ମନୋରଞ୍ଜନ ପରିଡା, ବରିଷ୍ଠ ଶ୍ରମିକ ନେତା ପ୍ରଦୀପ୍ତ କୁମାର ମହାନ୍ତି, ପ୍ରସନ୍ନ ଦାସ ଓ ଶରତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ରାସ୍ତା ପାର୍ଶ୍ବ କ୍ଷୁଦ୍ର ବ୍ୟବସାୟୀ ସଂଘ ଓ ସିଦ୍ଧି ବିନାୟକ କ୍ଷୁଦ୍ର ବ୍ୟବସାୟୀ ସଂଘର ଦୋକାନୀ ମାନଙ୍କୁ କୋଣାର୍କ ଏନଏସି ପକ୍ଷରୁ କୋଣାର୍କ ଟାଉନ ଭେଣ୍ଡିଂ ଜୋନରେ ସାମିଲ କରିବା, ବ୍ୟବସାୟୀ ମାନଙ୍କ ନିମନ୍ତେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରିବା, ନିରପେକ୍ଷ ଭାବେ ଭେଣ୍ଡିଂ କମିଟି ଗଠନ କରିବା ସମେତ ୫ଦଫା ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପ୍ରଶାସନର ଆନ୍ତରିକତା ଅଭାବ ଓ ବ୍ୟବସାୟୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ନୀତିକୁ ସମାଲୋଚନା କରିଥିଲେ। ଏହି ଗଣଧାରଣାରେ ୧୦୦ରୁ ଊର୍ଦ୍ଧ୍ବ ଉଭୟ ବ୍ୟବସାୟୀ ସଂଘ ଓ ଏଆଇଟିୟୁସିର ବରିଷ୍ଠ ଶ୍ରମିକ ନେତା ମାନେ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନର ୫ଦଫା ଦାବି ସମ୍ମିଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉର୍ଦେଶରେ କୋଣାର୍କ ଏନଏସି ନୂତନ ଭାବେ ଯୋଗ ଦେଇଥିବା ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନାଙ୍କୁ ପ୍ରଦାନ କରିଥିଲେ। ଖୁବ ଶୀଘ୍ର ବ୍ୟବସାୟୀ ମାନଙ୍କ ଦାବି ପୂରଣ ଦିଗରେ କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରିବ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିଲା। କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Leave a Reply

Your email address will not be published. Required fields are marked *