କୋଣାର୍କ ଉତ୍ସବ ପ୍ରସ୍ତୁତି ବୈଠକ
# କୋଣାର୍କ,୧୮.୧୧()- ଓଡିଶା କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ପ୍ରସିଦ୍ଧ ୩୫ତମ କୋଣାର୍କ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଡେରି ହେଲେ ମଧ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ କୋଣାର୍କସ୍ଥିତ ଯାତ୍ରୀନିବାସ ସମ୍ମେଳନୀ କକ୍ଷରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ , ନିର୍ଦେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ବିନିତ୍ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦସ୍ତ ଅଧିକାରୀ ମାନେ ଯୋଗ ଦେଇ କୋଣାର୍କ ଉତ୍ସବ କିଭଳି ସୁରୁଖୁରୁରେ ପାଳନ କରାଯିବ ତାହାର ଆଲୋଚନା କରିଥିଲେ। ମୁକ୍ତାକାଶ ରଙ୍ଗମଞ୍ଚ ସାଜସଜ୍ଜା, କଳାକାର ଓ ନୃତ୍ୟଶିଳ୍ପୀ ମାନଙ୍କ ପାଇଁ ସୂ ବନ୍ଦୋବସ୍ତ, ଟ୍ରାଫିକ ସମସ୍ୟା, ସିସିଟିଭି ମୁତୟନ, ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା, ଅଗ୍ନି ନିରାପତ୍ତା, ଆଲୋକିକରଣ, ସଫେଇ ଓ ପରିମଳ, ପ୍ରଚାର ପ୍ରସାର ଆଦି ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ନିଜ ନିଜର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ଦିନ ସଂଧ୍ୟାରେ ଓଡିଶୀ ସହିତ ଅନ୍ୟ ଏକ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ନିଷ୍ପତି ହୋଇଛି। କଳାକାର ଚୟନ ହୋଇ ସରିଛି । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ମାନେ ଯୋଗଦେବେ। ଯାହା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବ। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ବାବଧାନରେ ଚନ୍ଦ୍ରଭାଗା ବେଳାଭୂମିରେ ୧୪ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ୩୫ରୁ ୩୮ ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ହେବ। ୫ରୁ ଅଧିକ ଦେଶର ପ୍ରତିନିଧି ସହ ଦେଶ ବିଦେଶରୁ ଶତାଧିକ ବାଲୁକା ଶିଳ୍ପୀ ଯୋଗଦେବେ। ଯାହା ଆତ୍ୟତମ ଆକର୍ଷଣ ସାଜିବ। ହେଲିପ୍ୟାଡରେ କୋଣାର୍କ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ମିନା ବଜାର ଓ ଅପେରା ଯାତ୍ରା ପାର୍ଟି ଆୟୋଜିତ ହେବ ବୋଲି ସୂଚନା ମିଳିଛି। ଏଥି ସହିତ ହସ୍ତକଳା ପ୍ରଦର୍ଶନୀ, ପୁସ୍ତକ ମେଳା, ସାହିତ୍ୟ ଆସର, ଗଣଦୌଡ, ସାଇକ୍ଲୋଥନ୍ ସହ ଅନ୍ୟାନ୍ୟ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
