ନାରୀ କବି କୁନ୍ତଳା କୁମାରୀ ସାବତ

✍🏼କବିରତ୍ନ ନୂତନ କୁମାର ବେହେରା
କବି କୁଳେ ଅମ୍ଳାନ ପ୍ରତିଭାର ଅଧିକାରିଣୀ
କବିତା ସୁମନ ଅର୍ପଣେ ପ୍ରକୃତିର ପୂଜାରିଣୀ
କଳ୍ପନା ରାଇଜର କୋଳେ କଳ କଲ୍ଲୋଳିନୀ
କବିତା କାହାଣୀ ରଚନାରେ ଯଶସ୍ବିନୀ
କବି କୁନ୍ତଳା କୁମାରୀ ସାବତ ଉତ୍କଳ ଭାରତୀ
କୁନ୍ତଳେ କୁନ୍ତଳା ଶୋଭା ମଞ୍ଜୁଳାର ଖ୍ୟାତି
କଲମ ଚାଳନାରେ ଥିଲେ ଯିଏ ସିଦ୍ଧହସ୍ତା
କହିଲେ ସରେ ନାହିଁ ତାଙ୍କ କବିତାର ବାରତା
କୋମଳ କମନୀୟ ଶବ୍ଦ ପଦେ ଲାଳିତ୍ୟ ଭରି
କାଳଜୟୀ କରିଛନ୍ତି ସୃଜନୀକୁ ମର୍ମେ ବିସ୍ତାରି
କୁଳର କୁଳୀନା ପ୍ରଦୀପ ରୂପେ ଜଳି ଜଳି
କର୍ତ୍ତବ୍ୟ କରି କଠୋର ରଖିଛନ୍ତି ସତ୍ୟନିଷ୍ଠା
କରୁଣା ଦାନେ ସେ ଦେଖାଇଛନ୍ତି ପରାକାଷ୍ଠା
କୁନ୍ତଳାଙ୍କ ପିତା ଥିଲେ ଡାକ୍ତର ଦାନିଏଲ
କୋଳେ ଧରି ମାତା ମନିକା ପାଉଥିଲେ ଭଲ
କର୍ପୂର ସମ ମହକ ବିତରି ପାଇଲେ ଉଚ୍ଚ ଶିକ୍ଷା
କର୍ମରେ ଡାକ୍ତରାଣୀ ହୋଇ କଲେ ଜୀବନ ରକ୍ଷା
କବିତା ରଚନା ଦିଗେ ଥିଲା ଅତ୍ୟନ୍ତ ଶ୍ରଦ୍ଧା
କଷ୍ଟ ସହି ଭାଷା ସାହିତ୍ୟର ଝରାଉଥିଲେ ସୁଧା
କଳନା କରିହୁଏ ପଢ଼ିଲେ ତାଙ୍କ ଶେଫାଳୀ ପ୍ରତି
କବି ପ୍ରାଣର ପ୍ରୀତି ବୁଝିହୁଏ ମତିରେ ଚିନ୍ତି
‘କୋଟି କୋଟି କଣ୍ଠେ ଆଜି’,’ପ୍ରେମ ଚିନ୍ତାମଣି’,
କଳାର କୋଣାର୍କ ‘ଅଞ୍ଜଳି’,’ଉଚ୍ଛ୍ୱାସ’,’ସ୍ଫୁଲିଙ୍ଗ’ ପୁଣି
କୋଟି ଜନେ ଦିଏ ‘ଆହ୍ଵାନ’, ‘ଅବହେଳିତ ଦେଶ’
କହେ ଏ ଜାତି ‘ବରମାଳା’ ଧାରଣର ବେଶ
କସ୍ତୁରୀ ପ୍ରାୟେ ତାଙ୍କ ‘ବନଫୁଲ ଉଦ୍ୟାନକୁସୁମ’
କାଳ ଯାଏ ବିତି ‘ପୂଜା’ ପାଏ ତାଙ୍କ ଭାଷା ପ୍ରେମ
କବିର କଲମ ମୂନରେ ‘ ଅଭିଶପ୍ତ ଅଭାମାନ’
କନକ ବରଣେ ଝଟକେ ହୋଇ ‘ମଣିକାଞ୍ଚନ’
କଥା କହେ ଉପନ୍ୟାସ ‘ଭ୍ରାନ୍ତି’,’ନଅତୁଣ୍ଡୀ’
‘କାଳୀବୋହୂ’,’ଚିତ୍ରପଟ’,’ପରଶମଣି’ ସଜାଡ଼ି
କପାଳ ଲିଖନ ଅନୁସରି ଚାଲେ ‘ରଘୁ ଅରକ୍ଷିତ’
କୁନ୍ତଳା କୁମାରୀଙ୍କ ଲେଖନୀ ଚିର ଶାଶ୍ଵତ
କବି ପାଠକଙ୍କ କୁଳେ ସେ ପୂଜ୍ୟା ନମସ୍ୟା
କଳିର ଅଳ୍ପାୟୁରେ ତାଙ୍କର ଥିଲା କୁଚ୍ଛ୍ର ତପସ୍ୟା।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
