କାର୍ଯ୍ୟାଦେଶ ନମିଳୁ କଂକ୍ରିଟ ରାସ୍ତା ନିର୍ମାଣ ,ଜିଲ୍ଲାପାଳଙ୍କୁ ଅଭିଯୋଗ ସହ ଭିଜିଲାନ୍ସ ତଦନ୍ତ ଦାବି କଲେ କୁରୁଜଙ୍ଗ ଗ୍ରାମବାସୀ

କୋଣାର୍କ,୨୭.୧୨ – କୋଣାର୍କ ଥାନା ଅଧୀନ ତଥା କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମପଞ୍ଚାୟତର କୁରୁଜଙ୍ଗ ଗ୍ରାମରେ କରାଯାଇଥିବା କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ କାର୍ଯ୍ଯ ନିମ୍ନମାନର ଓ କାର୍ଯ୍ୟାଦେଶ ନମିଳୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସୁଚନା ଅନୁଯାୟୀ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅନୁଯାୟୀ କୁରୁଜଙ୍ଗ ଗ୍ରାମପଞ୍ଚାୟତର କୁରୁଜଙ୍ଗ ଗ୍ରାମର ଛବିଳ କାଣ୍ଡି ଘରଠାରୁ ଦକ୍ଷିଣେଶ୍ବର ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ କାମ କରିବା ପାଇଁ ଉକ୍ତ ଗ୍ରାମ ପଞ୍ଚାୟତ ଦାଯିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ କରାନଯାଇ ଏବଂ ବିଭାଗୀୟ ଫାଇଲ ଖୋଲା ନଯାଇ ବେଆଇନ ଭାବେ ସରକାରୀ ନିୟମ ଉଲଙ୍ଘନ କରାଯାଇ ତରବରିଆ ଭାବେ କିଛି ମୁଷ୍ଟିମେୟ ବ୍ୟକ୍ତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ କାମ କରାଯାଇଛି ବୋଲି କୁରୁଜଙ୍ଗ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହି ରାସ୍ତା ନିର୍ମାଣ ପାଇଁ କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ୬ଲକ୍ଷ ୧୨ ହଜାର ୫୧୩ ଟଙ୍କା ବ୍ୟୟ ଅଟକଳ ବରାଦ କରାଯାଇଛି। ଏହି ନିର୍ମାଣ କାର୍ଯ୍ୟରେ ଲୁଣି ବାଲି, ନିମ୍ନମାନର ସିମେଣ୍ଟ, ନିମ୍ନମାନର ଚିପ୍ସ ବ୍ୟବହାର କରାଯାଇ କାମ କରାଯାଇଥିବାରୁ ଏହାର ସ୍ଥାୟୀତ୍ବ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏହି ରାସ୍ତା ନିର୍ମାଣ କାମ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ ଏଷ୍ଟିମେଣ୍ଟ ମୁତାବକ କାର୍ଯ୍ୟ କରାଯାଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। କେଉଁ ଅଧିକାରୀଙ୍କ ନିର୍ଦ୍ଦେଶରେ କାହା ଦ୍ଵାରା କାର୍ଯ୍ୟ କରାଗଲା। ପ୍ରକଳ୍ପ କାର୍ଯ୍ୟାଦେଶ ଆସି ନଥିବା ଓ ଫାଇଲ ଆରଂଭ ହୋଇ ନଥିବା ବେଳେ କେଉଁ କାରଣରୁ ଏବଂ କିଏ ରାସ୍ତା ନିର୍ମାଣ ପାଇଁ ନିର୍ଦେଶ ଦେଲା ତାହା ତଦନ୍ତ ସାପେଖ୍ୟ। ଏପରି ବେଆଇନ ଓ ନିମ୍ନ ମାନର ରାସ୍ତା ନିର୍ମାଣ ଭଙ୍ଗା ଯାଇ ନୂତନ ଭାବେ ପ୍ରକଳ୍ପ ଅନୁଯାୟୀ ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ କୁରୁଜଙ୍ଗ ଗ୍ରାମର ପ୍ରତାପ କାଣ୍ଡି, ପବିତ୍ର କୁମାର ପାତ୍ର, ଅତ୍ଯୁଲ୍ଯ କାଣ୍ଡି, ପ୍ରଶାନ୍ତ କାଣ୍ଡି, ଶଶିକାନ୍ତ ସାମନ୍ତରାୟ, ରଶ୍ମି କାଣ୍ଡି, ବୁଦ୍ଧନାଥ କାଣ୍ଡି ଓ କୌଳାସ ଚନ୍ଦ୍ର ମାହାରୀ, ନରେନ୍ଦ୍ର ପାତ୍ର, ଗଦାଧର ଜେନା ଓ କାଳନ୍ଦୀ ବେହେରାଙ୍କ ସମେତ ଗ୍ରାମବାସୀ ମାନେ ପୁରୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ, ରାଜ୍ୟ ଭିଜିଲାନ୍ସ ବିଭାଗ ଓ କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *