ଜମି ଅଧିଗ୍ରହଣ ହୋଇନି ବେଆଇନ ଭାବେ ଓ୍ବାଟକୋ କରୁଛି ପାନୀୟଜଳ ପ୍ରକଳ୍ପ
ଜମି ଅଧିଗ୍ରହଣ ହୋଇନି ବେଆଇନ ଭାବେ ଓ୍ବାଟକୋ କରୁଛି ପାନୀୟଜଳ ପ୍ରକଳ୍ପ,
ରାଜସ୍ବ ବିଭାଗ ନେଉନି କାର୍ଯ୍ୟାନୁଷ୍ଠାନ, ଉଚ୍ଚସ୍ତରୀୟ ତଦନ୍ତ ଦାବି ।
କୋଣାର୍କ – କୋଣାର୍କ ଏନଏସିର ଚାରିଗୋଟି ସ୍ଥାନରେ ଜମି ଅଧିଗ୍ରହଣ ନ କରି ପୁରୀ ଜିଲ୍ଲା ଓ୍ବାଟକୋ କର୍ତୃପକ୍ଷଙ୍କ ପକ୍ଷରୁ ବେଆଇନ ଭାବେ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଆଇନ ଉଲ୍ଲଂଘନ କାର୍ଯ୍ୟ ଉପରେ ସ୍ଥାନୀୟ ରାଜସ୍ବ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜିବା ଘଟଣାକୁ ନେଇ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ମାନଙ୍କ ମଧ୍ୟରେ ରାଜସ୍ବ ବିଭାଗର ସ୍ବଚ୍ଛତା ପ୍ରତି ଅଂଗୁଳି ନିର୍ଦେଶ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଖବରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ଓ୍ବାଟକୋ ଡିଭିଜନ ପକ୍ଷରୁ କୋଣାର୍କ ଏନଏସି ଅଧିନସ୍ଥ ମାଧିପୁର ମୌଜାର ପ୍ଲଟନଂ-୩୩୨ରେ ୨୦ ଡିସିମିଲି, କୋଣାର୍କ ମୌଜାର ପ୍ଲଟନଂ-୧୩୨୧ରେ ୨୦ ଡିସିମିଲି, ପ୍ଲଟନଂ-୧୯୨୯ରେ ୧.୮୭ ଡିସିମିଲି, ପ୍ଲଟନଂ-୧୯୦୩ରେ ୧୩ ଡିସିମିଲି ଓ ପ୍ଲଟନଂ-୧୬୦୪/୧୭୨୧ରେ ୧.୮୦ ଡିସିମିଲି ଜାଗାରେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ଗତ ୧୯-୧୦-୨୪ ତାରିଖରେ ଚିଠିନଂ-୩୧୦୩ ଯୋଗେ ପତ୍ର ମାଧ୍ୟମରେ ଜାଗା ପ୍ରଦାନ କରିବା ପାଇଁ ଗୋପ ତହସିଲଦାରଙ୍କୁ ଅବଗତ କରାଇଥିଲେ। ମାତ୍ର ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ପାଇଁ ଓ୍ବାଟକୋ କର୍ତୃପକ୍ଷଙ୍କ ପକ୍ଷରୁ ଏ-୧ ଫର୍ମରେ ଜମିଅଧିଗ୍ରହଣ ନିମନ୍ତେ ଗୋପ ତହସିଲଦାରଙ୍କୁ ଆବେଦନ କରିବାର ସରକାରୀ ନିୟମ ରହିଛି। ମାତ୍ର ଓ୍ବାଟକୋ କର୍ତୃପକ୍ଷଙ୍କ ପକ୍ଷରୁ ଗୋପ ତହସିଲ କାର୍ଯ୍ଯାଳୟକୁ ଜମି ଅଧିଗ୍ରହଣ ପାଇଁ ଆବେଦନ କରା ନ ଯାଇ ସରକାରୀ ଆଇନର ଖୋଲା ଉଲଂଘନ କରି କୋଣାର୍କ ଏନଏସିର ନାଗାମଠ ଗ୍ରାମର ବାଡିଆ ବନ୍ତ, ମହାବୀର ମଠ ସମ୍ମୁଖ ସ୍ଥାନ, କୋଣାର୍କ ବସଷ୍ଟାଣ୍ଡ ଓ କୋଣାର୍କ ପଶୁ ଡାକ୍ତରଖାନା ପରିସରରେ ବେଆଇନ ଭାବେ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛି। ଓ୍ବାଟକୋ କର୍ତୃପକ୍ଷଙ୍କ ଏଭଳି ସରକାରୀ ବିରୋଧୀ କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ଗୋପ ତହସିଲଦାରଙ୍କୁ ଅବଗତ କରାଯାଇଥିଲା ବେଳେ ରାଜସ୍ବ ବିଭାଗ ଉଦାସୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜିଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଓ୍ବାଟକୋ କର୍ତୃପକ୍ଷ ଜମିଅଧିଗ୍ରହଣ ଓ ଜମିର କିସମ ପରିବର୍ତ୍ତନ ନ କରି ଏଭଳି ବେଆଇନ କାର୍ଯ୍ୟ କରୁଥିବା ବେଳେ ରାଜସ୍ବ ବିଭାଗର ନୀରବ ଦ୍ରଷ୍ଟା ସାଜିବା ବିଭାଗୀୟ ପାରିବାପଣିଆକୁ ପଦାରେ ପକାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନାଙ୍କୁ ପଚାରିବାରେ ସେ କୁହନ୍ତି ଜମି ଅଧିଗ୍ରହଣ ନ ହୋଇ ପ୍ରକଳ୍ପ କାର୍ଯ୍ୟ କରିବା ଆଇନ ସମ୍ମତ ନୁହେଁ। ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଇ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗୋପ ତହସିଲଦାର ଅନିଲ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କୁହନ୍ତି ଘଟଣା ସମ୍ପର୍କରେ କୋଣାର୍କ ରାଜସ୍ବ ନିରୀକ୍ଷକ ଙ୍କ ସହ ଆଲୋଚନା କରି ଆଇନଗତ ପ୍ରକ୍ରିୟାରେ ଓ୍ବାଟକୋ କର୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇ ସରକାରୀ ନିୟମ ଅନୁଯାୟୀ ଜମି ଅଧିଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
