ପଲ୍ଲିଶ୍ରୀ ମେଳା ଉଦଯାପିତ

ପଲ୍ଲିଶ୍ରୀ ମେଳା ଉଦଯାପିତ
ପୁରୀ ୭/୭ ଜୁନ ମାସ ୨୫ ତାରିଖ ଠାରୁ ପୁରୀ ହୋଟେଲ ସମ୍ମୁଖ ବେଳାଭୂମି ରେ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆରମ୍ଭ ହୋଇଥିବା ପଲ୍ଲିଶ୍ରୀ ମେଳା ଆଜି ଉଦଯାପିତ ହୋଇ ଯାଇଛି।ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗ ଦେଇ ଏହି ମେଳା ମାଧ୍ୟମରେ ଆମ ଗ୍ରାମୀଣ ଶିଳ୍ପୀ ଓ କଳାକାର ମାନେ କେବଳ ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶନ କରୁ ନାହାନ୍ତି ତା ସହ ଆର୍ଥିକ ଅଭିବୃଦ୍ଧି ମଧ୍ୟ କରୁଛନ୍ତି ବୋଲି କହିଥିଲେ।ପଲ୍ଲିଶ୍ରୀ ମେଳାର ଲକ୍ଷ୍ୟ ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର ଗ୍ରାମୀଣ କାରିଗର, ବୁଣାକାର, କାରିଗର, ଉତ୍ପାଦକ ଏବଂ ମହିଳା ଏସ ଏଚ ଜି ସଦସ୍ୟମାନଙ୍କୁ ସେମାନଙ୍କର ଅନନ୍ୟ ଉତ୍ପାଦ ପ୍ରଦର୍ଶନ ଏବଂ ବଜାର କରଣ ପାଇଁ ଏକ ସ୍ପନ୍ଦନଶୀଳ ପ୍ଲାଟଫର୍ମ ପ୍ରଦାନ କରିବା ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସଦର ବିଡିଓ ସମ୍ବିତ ଶତପଥୀ, ଓରମାସ ଡେପୁଟି ସିଇଓ ଜିତେନ୍ଦ୍ର କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।ଏହି ମେଳାରେ ୨୬୭ଟି ଷ୍ଟଲରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜୈବିକ ଉତ୍ପାଦ, ବନଜାତ ଦ୍ରବ୍ୟ, ଟେରାକୋଟା ସାମଗ୍ରୀ, ଆଦିବାସୀ ଅଳଙ୍କାର, ବାଜରା ଆଧାରିତ ସୁସ୍ୱାଦୁ ଖାଦ୍ୟ, ପ୍ରାକୃତିକ ତେଲ, ପାରମ୍ପରିକ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।ଏଥିରେ ଗ୍ରାମୀଣ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ଖାଦ୍ୟର ପ୍ରଦର୍ଶନୀ ମଧ୍ୟ ହୋଇଥିଲା। ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଲାଇଭ୍ କ୍ରାଫ୍ଟ ପ୍ରଦର୍ଶନ, ଫୁଡ୍ କୋର୍ଟ ଏବଂ ଗ୍ରାମୀଣ ଉଦ୍ୟୋଗ ଏବଂ ଐତିହ୍ୟର ଭାବନାକୁ ପାଳନ କରୁଥିବା କାର୍ଯ୍ୟକଳାପ ପ୍ରଦର୍ଶିତ ହୋଇଥିଲା।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମହାପ୍ରଭୁଙ୍କ ରଥଯାତ୍ରା ର ବିଭିନ୍ନ ବେଶ, ଅନନ୍ୟ ଫଟୋ ଚିତ୍ର,ବହୁ ପୁରାତନ ସମ୍ବାଦପତ୍ରରେ ପ୍ରକାଶିତ ରଥଯାତ୍ରା ର ବିବରଣୀ ପ୍ରଦର୍ଶିତ ହୋଇଥିଲା।ଏହି ମେଳା ମାଧ୍ୟମରେ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ହଜାର ହଜାର ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ଗ୍ରାମୀଣ ଜୀବିକାକୁ ସିଧାସଳଖ ସମର୍ଥନ କରିବା ସହିତ ଭାରତର ଗ୍ରାମୀଣ ପରମ୍ପରାର ଏକ ଅଂଶ ଘରକୁ ନେବାର ସୁଯୋଗ ପାଇଥିଲେ ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ବାଗତ ସହ ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲା ସହ ଅନ୍ୟାନ୍ୟ ୨୧ ଟି ରାଜ୍ୟର ଶିଳ୍ପୀ ମାନଙ୍କ ଦ୍ବାରା ଷ୍ଟଲ କରା ଯାଇଥିଲା ବୋଲି ସୂଚନା ଦେଇଥିଲେ।।ଏହି ମେଳାରେ ପ୍ରାୟ ୧୫ କୋଟି ଟଙ୍କାର ବ୍ୟବସାୟ ହୋଇଛି ଯାହା ପୂର୍ବ ବର୍ଷ ଅପେକ୍ଷା ଅଧିକ।୬୦୦ରୁ ଉର୍ଦ୍ଧ୍ବ ଆର୍ଟିସାନ,ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟକ୍ତି ଏଥିରେ ସାମିଲ ଥିଲେ ।୨୨ଟି ଫୁଡ ଷ୍ଟଲ ମଧ୍ୟ ଲାଗିଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ ପ୍ରଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପୁରୀ ଓରମାସ ଶାଖା ର ଡେପୁଟି ସିଇଓ ନିଗମ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଭଲ ବ୍ୟବସାୟ ପାଇଁ ହସ୍ତଶିଳ୍ପୀ ଗୋବର୍ଦ୍ଧନ ସାହୁ, ସୁନ୍ଦର ଭାବେ ଷ୍ଟଲ ପ୍ରଦର୍ଶନ ବା ସଜ୍ଜା ପାଇଁ ପଶ୍ଚିମ ବଙ୍ଗ ର ସଞ୍ଚାରୀ ଦେ ବୋଷ,ଶ୍ରେଷ୍ଠ ଇନୋଭେଟିଭ ଉତ୍ପାଦ ପାଇଁ ସୁନ୍ଦରଗଡ ର ଜୀବିକା ସଞ୍ଚୟ ପ୍ରଡକ୍ସନ ଗୃପ, ଶ୍ରେଷ୍ଠ ପ୍ରତିଯୋଗୀ ଭାବେ କନ୍ଧମାଳ ର ଖଣ୍ଡେଇଶୁଣି ସ୍ବୟଂ ସହାୟକ ଗୋଷ୍ଠୀ ଓ ସର୍ବାଧିକ ବିକ୍ରି ପାଇଁ ବରଗଡର ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ।ସେହିପରି ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ପୁରୀ ପୌରପାଳିକା, ୱ୍ବାଟକୋ, ଟିପିସିଓଡିଏଲ, ସଂସ୍କୃତି ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବ୍ୟବସାୟ ବେଶ ଭଲ ହୋଇଥିବାରୁ ବ୍ୟବସାୟୀ ,ଏସ ଏଚ ଜି ମା ମାନେ ଖୁସି ବ୍ୟକ୍ତ କରିଥିବା ବେଳେ ଖୋଲା ରେ ବୁଲିବା ସହ କିଣା କିଣି, ଫୁଡ ଷ୍ଟଲର ମଜା ଓ ସମୁଦ୍ର କୂଳ ବୁଲିବା ସୁବିଧା ପାଇ ଗ୍ରାହକ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *