ଶେଷ ଘଣ୍ଟାର କଥା : ମୋ ହୃଦୟର ନିଭୃତ କୋଣରୁ
ଶେଷ ଘଣ୍ଟାର କଥା : ମୋ ହୃଦୟର ନିଭୃତ କୋଣରୁ
ଡ. ପ୍ରେମାନନ୍ଦ ବେହେରା
ପ୍ରିୟ ପୁଅଝିଅମାନେ
ଆଜି ଯେତେବେଳେ
ବାରିକ ଶେଷଥର ପାଇଁ
ଧୀରେ ଧୀରେ ଘଣ୍ଟା ଦେବ
ସେ ଶବ୍ଦ କେବଳ
ଛୁଟିର ନୁହେଁ….
ସେ ଶବ୍ଦ ଭାଙ୍ଗିଦେବ
ଆମ ମନ ଭିତରେ
ଗଢ଼ିଉଠିଥିବା
ଗୋଟିଏ ସମ୍ପୂର୍ଣ୍ଣ ଅଭ୍ୟାସ ।।
ମନେ ହେବ,
କିଛି ଚୁପଚାପ ଭାଙ୍ଗିଗଲା…
ହସ ଭରିଥିବା ଶ୍ରେଣୀକୋଠା
ଆଜିଠୁ
ଶାନ୍ତ, ନୀରବ ଲୁହରେ ଭରିଯିବ ।।
ପ୍ରଧାନ ଶିକ୍ଷକ ଭାବେ ନୁହେଁ,
ଗୋଟିଏ ଅଭିଭାବକ ଭାବେ
ମୁଁ ଆଜି ଏଠି ଦଣ୍ଡାୟମାନ
କାରଣ ଦଶମ ଶ୍ରେଣୀ
କେବଳ ଏକ ଶ୍ରେଣୀ ନୁହେଁ
ଏହା ତୁମ ଶୈଶବର
ଶେଷ ଘଣ୍ଟା ।।
ବେଞ୍ଚ ଉପରେ ଲେଖା
ତୁମ ନାମଗୁଡ଼ିକ
ଆସନ୍ତାକାଲି ମଧ୍ୟ
ତୁମକୁ ଡାକିବ
“ଆଉଥରେ ଆସିବ କି?”
ଅଭ୍ୟାସରେ
ପାଦ ବଢ଼ିଯିବ
ଦଶମ ଶ୍ରେଣୀର ଗୃହକୁ
ଏବଂ ସେଇ ଦ୍ବାର
ମୋ ମନକୁ ଭାଙ୍ଗିଦେବ ।।
ଗୁରୁମାନଙ୍କ ସ୍ନେହ ଛାୟା ତଳେ
ତୁମେ ଭୁଲ କରି
ଜୀବନ ଶିଖିଛ
କେବେ ଗାଳି ଖାଇଛ
ସେ ଗାଳି ଭିତରେ
ସ୍ନେହ ଲୁଚିଥିଲା
ନୀରବତା ଭିତରେ
ଆଶୀର୍ବାଦର ବର୍ଷା ।।
ଆଜି ସେଇ ହାତ
ଛାଡିଯାଉଛି
ଲୁହ ଲୁଚିଲେ ମଧ୍ୟ
ହୃଦୟ ଭିଜିଯାଉଛି
ସାଙ୍ଗମାନଙ୍କ ହସ–କଥା
ଗତକାଲି ପର୍ଯ୍ୟନ୍ତ
କେତେ ସହଜ ଥିଲା,
ଆଜି ସେହି ହସ ପଛରେ
ଲୁହ ଲୁଚି ରହିଛି
ଆପଣାର ସ୍ନେହ
କାରଣ ଆଗକୁ
ରାସ୍ତା ଅଲଗା ।।
ଶେଷ ବେଞ୍ଚରେ ବସି
ତୁମର ଯେଉଁ ସ୍ବପ୍ନ
ଆକାଶକୁ ଉଡ଼ୁଥିଲା
ଆଗାମୀ ଦିନରେ
ସେହି ସ୍ବପ୍ନ
ଭାରି ହୋଇ
ଚୁପଚାପ
ଏ ସ୍କୁଲକୁ ଝୁରିବ ।।
ପିଲାମାନେ
ବିଦାୟ କହିବା ସହଜ
କିନ୍ତୁ ଛାଡ଼ିଯିବା
କେବେ ସହଜ ନୁହେଁ,
ତୁମ ମୁହଁ ସବୁ
କାଗଜରେ ଛପା ହୁଏନି
ଏହା ହୃଦୟରେ
ଅଲିଭା ହୋଇ ରହିଯାଏ ।।
ମାଟିର ଗନ୍ଧ
ତୁମ ପାଦରେ ଲାଗିରହିବ
ଶ୍ରେଣୀ ଦ୍ବାର
ତୁମକୁ ମନେ ପକାଇବ
ତୁମେ ଯିବ,
କିନ୍ତୁ ତୁମ ହସ
ତୁମ ଭୁଲ
ତୁମ ସ୍ବପ୍ନ
ତୁମ କୋଳାହଳ
ସବୁ ଏଇଠି ରହିଯିବ ।।
ଆଜି ଯଦି
ଲୁହ ଝରୁଛି,
ତାହା ଦୁର୍ବଳତା ନୁହେଁ…
ଏହା ପ୍ରମାଣ କରୁଛି
ଏଠି କିଛି ସ୍ନେହ, ମମତା, ଆପଣାପଣ
ହୃଦୟରୁ
ବହୁତ ଗଭୀର ଥିଲା ।।
ହେ ପ୍ରିୟ ପୁଅଝିଅମାନେ,
ଆଗକୁ ଯାଅ
ନିଜ ସ୍ବପ୍ନକୁ ଧର
କିନ୍ତୁ କେବେ
ଏଇ ସ୍କୁଲକୁ
ଭୁଲିଵନି
ଆସିବ, ଆମକୁ ମନେ ପକେଇ
ଦଶମ ଶ୍ରେଣୀ…
ତୁମେ କେବଳ ଏକ ଅଧ୍ୟାୟ ନୁହେଁ
ତୁମେ ଆମ ଜୀବନର
ସବୁଠୁ ନୀରବ
ସବୁଠୁ ସତ
ସବୁଠୁ ମୂଲ୍ୟବାନ ଲୁହ ।।
ପଦ୍ମପୁର, ବରଗଡ଼
